ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସଦସ୍ୟାଙ୍କ କେନ୍ଦ୍ରାପଡା ଗସ୍ତ

କେନ୍ଦ୍ରାପଡ଼ା,( ଚିତ୍ତରଞ୍ଜନ ଦାସ): ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସଦସ୍ୟା ମନ୍ଦାକିନୀ କର ଦିନିକିଆ କେନ୍ଦ୍ରାପଡା ଜିଲ୍ଲା ଗସ୍ତରେ ଆସି ଗୁରୁବାର ପୂର୍ବାହ୍ନରେ ଏଠାରେ ପହଁଚିଥିଲେ । ଆୟୋଗର ସଦସ୍ୟା କେନ୍ଦ୍ରାପଡା ସଦର ମହକୁମାରେ ପହଁଚିବା ପରେ ପ୍ରଥମେ ଭାରପ୍ରାପ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କ ସହ ଏକ ବୈଠକରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଶିଶୁ ସୁରକ୍ଷା ସମ୍ପର୍କୀତ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ଏହାପରେ ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭା ଗୃହରେ ସ୍ଥାନୀୟ ଗଣମାଧ୍ୟମର ପ୍ରତିନିଧିମାନଙ୍କ ସହ ଗଣମାଧ୍ୟମ ଜରିଆରେ ଆସୁଥିବା ବିଭିନ୍ନ ତଥ୍ୟ ଯଥା ବାଲ୍ୟ ବିବାହ, ଶିଶୁ ଶ୍ରମିକ ଓ ଅସହାୟ ପିଲାମାନଙ୍କୁ ସହାୟତା ପ୍ରଭୃତି ଉପରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାକୁ ଅନୁରୋଧ କରିଥିଲେ । ପରେ ଗରାପୁରସ୍ଥିତ ଶିଶୁ ମଙ୍ଗଳ ସମିତି କାର୍ଯ୍ୟାଳୟରେ ପହଁଚି ସମିତିର କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଥିଲେ । ଏହାପରେ ଲୁଥେରାନ ମହିଳା ସମିତି ଦ୍ୱାରା ପରିଚାଳିତ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ,ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଗରାପୁର ଠାରେ ଚାଲିଥିବା “ୱାନ ଷ୍ଟପ ସେଂଟର” ସଖୀକୁ ପରିଦର୍ଶନ କରି ସେଠାରେ ଅଭିଯୋଗକାରୀମାନଙ୍କୁ କିଭଳି ସେବା ଯୋଗାଇ ଦିଆଯାଉଛି ସେ ସମ୍ପର୍କରେ ପଚାରି ବୁଝିଥିଲେ । ଗଣମାଧ୍ୟମରୁ ଆସିଥିବା ଏକ ଶିଶୁ ନିର୍ଯ୍ୟାତନା ସମ୍ପର୍କିତ ତଥ୍ୟର ତଦାରଖ ପାଇଁ ନିକିରାଇ ଥାନାକୁ ଯାଇଥିଲେ । ନୂତନ ଭାବେ ଜିଲ୍ଲାରେ ଖୋଲିଥିବା ଚାଇଲଡ ଲାଇନ – ୧୦୯୮ କେନ୍ଦ୍ରରେ ପହଁଚି ଚଳିତବର୍ଷ ଆସିଥିବା କେଶ ଗୁଡିକର ସମୀକ୍ଷା କରିଥିଲେ । ଏହାପରେ ମାର୍ଶାଘାଇ ଥାନା ଅନ୍ତର୍ଗତ ପାଟଳିପଙ୍କର ଲୁଥେରାନ ମହିଳା ସମିତି ପାଟକୁରା ଥାନା ଅନ୍ତର୍ଗତ କୋରୁଆର ପଲ୍ଲିଶ୍ରୀ ମହିଳା ସମିତି ଦ୍ୱାରା ପରିଚାଳିତ ୨ଟି ଶିଶୁ ଯତ୍ନ କେନ୍ଦ୍ର ପରିଦର୍ଶନ କରି ସେଠାରେ ରହୁଥିବା ଅନ୍ତେବାସୀମାନଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ଜିଲ୍ଲା ପ୍ରଶାସନକୁ କେତେକ ପ୍ରସ୍ତାବ ଦେଇଥିଲେ । ପରିଦର୍ଶନ ସମୟରେ ଜିଲ୍ଲାର ବିଭିନ୍ନ କେନ୍ଦ୍ରରେ ଆବଶ୍ୟକତା ଅନୁଯାଇ କର୍ମଚାରୀ ନଥିବା ଓ କେତେକ ସ୍ଥାନରେ ସରକାରଙ୍କ ନୀତିନିୟମକୁ ସଠିକ ଭାବରେ ପାଳନ କରାଯାଉନଥିବା ଦେଖି ଆୟୋଗ ସଦସ୍ୟା ବିରକ୍ତି ପ୍ରକାଶ କରିବା ସହ ସାଙ୍ଗରେ ଥିବା ଜିଲ୍ଲାର ଅଧିକାରୀଙ୍କୁ ଏଥି ପାଇଁ ତାଗିଦ କରିଦେଇଥିଲେ । ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସଦସ୍ୟାଙ୍କ ସହ ପୋଲିସ ଇନିସପେକ୍ଟର ଶସ୍ମିତା ବେହେରା, ଭାରପ୍ରାପ୍ତ ଶିଶୁ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ବାଦଲ ଦାଶ ପ୍ରମୁଖ ବିଭିନ୍ନ କାର୍ଯ୍ୟାଳୟକୁ ପରିଦର୍ଶନ ସମୟରେ ଉପସ୍ଥିତ ଥିଲେ । ପ୍ରଥମେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସଦସ୍ୟାଙ୍କୁ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସ୍ୱାଗତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ