ରାଜ୍ୟ ସଭାପତିଙ୍କ ଗଡରେ ଆରମ୍ଭ ହେଲା କରୋନା ସଚେତନତା

ହିଞ୍ଜିଳି କାଟୁ,(ଶେଷଦେବ ସାହୁ): ଜାତୀୟ ତଥା ରାଜ୍ୟ ରାଜନୀତିରେ ଏକ ସ୍ୱତନ୍ତ୍ର ସ୍ଥାନ ଅଳଙ୍କୃତ କରିଥିବା ଆଞ୍ଚଳିକ ଦଳ ବିଜୁ ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଚଳିତ ବର୍ଷର ଦଳୀୟ କାର୍ଯ୍ୟକ୍ରମକୁ ଅଗ୍ରାଧିକାର ଦେବା ପରିବର୍ତ୍ତେ କରୋନା ମହାମାରୀ ସହ ଲଢେ଼ଇ ଜାରୀ ରଖିବା ପାଇଁ ଏକ ନିର୍ଣ୍ଣାୟକ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଓଡ଼ିଶାର ସାଢେ ୪ କୋଟି ଓଡ଼ିଆ ବାସୀଙ୍କ ସେବା ପାଇଁ ସମର୍ପିତ ଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମହାମାରୀ କରୋନା ସଂକ୍ରମଣରୁ ଲୋକଙ୍କ ଜୀବନ ସୁରକ୍ଷା ପ୍ରତି ପ୍ରାଧାନ୍ୟ ଦେଇ ଦୀର୍ଘ ୬ ମାସରୁ ଉର୍ଦ୍ଧ ସମୟ ଧରି ଉତ୍କୃଷ୍ଟ ସେବା ଯୋଗାଇ ଦେଇ ଆସୁଛନ୍ତି । ରାଜ୍ୟ ସରକାର କରୋନା ନିୟନ୍ତ୍ରଣ କ୍ଷେତ୍ରରେ ନିରବଛିନ୍ନ ସେବା ଜାରୀ ରଖି ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ପ୍ରଶଂସା ପତ୍ର ସାଉଁଟିବା ପରେ ରାଜ୍ୟ ସଭାପତି ବେଶ ଉତ୍ସାହିତ ହୋଇ ଜନସମ୍ପର୍କ ପଦଯାତ୍ରା ପରିବର୍ତ୍ତେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ଆସନ୍ତା ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ କରୋନା ସଚେତନତା ଅଭିଯାନ ନିମନ୍ତେ ଦଳୀୟ ଜନ ପ୍ରତିନିଧି ଏବଂ କର୍ମୀ ସମୂହଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସଭାପତିଙ୍କ ଅଭେଦ୍ୟ ଦୁର୍ଗ ହିଞ୍ଜିଳିରେ ତୁଙ୍ଗ ନେତୃମଣ୍ଡଳୀଙ୍କ ଦ୍ୱାରା ଉଭୟ ବ୍ଲକ ଓ ନଗର ବିଜେଡି ପକ୍ଷରୁ ଶୁକ୍ରବାର ଠାରୁ ସଚେତନତା ଅଭିଯାନ ଆରମ୍ଭ ହୋଇଥିଲା  ।ହିଞ୍ଜିଳି ବ୍ଲକ ସମରଝୋଳ ଛକ ଠାରେ ବ୍ଲକ ସଭାପତି ସୁରେନ୍ଦ୍ର ନାଥ ପ୍ରଧାନ, ଅଧ୍ୟକ୍ଷ ଏନ. ରଘୁନାଥ,ଯୁବ ନେତା ଅଜୟ କୁମାର ମହାରଣା ସମାଜସେବୀ ଡ଼ି.ବିଶ୍ୱନାଥ, ଯୁବ ବିଜେଡି ବ୍ଲକ ସଭାପତି ମନୋଜ କୁମାର ସାବତ, ବଡ଼ଖଣ୍ଡି ସରପଞ୍ଚ କେ ଦୁର୍ଗା ପ୍ରସାଦ ରାଓ ଓ ପୋଚିଲିମ୍ମା ସରପଞ୍ଚ ଭି. ରବୀନ୍ଦ୍ର ଓ ବହୁ କର୍ମୀ ଉପସ୍ଥିତ ଥିଲେ । ବାଇକ ଚାଳକ, ପଥଚାରୀ ଓ ଅନ୍ୟ ମାନଙ୍କୁ ମାସ୍କ ପ୍ରଦାନ କରି କରୋନା ସଂକ୍ରମଣର ଭୟାଭହତା ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ । ସେହିପରି ନଗର ବିଜେଡ଼ି ପକ୍ଷରୁ ବିଜୁ ପଟ୍ଟନାୟକ ଛକ ଓ ଶିଶୁ ଉଦ୍ୟାନ ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିକୃତିରେ ଦଳୀୟ ନେତୃବୃନ୍ଦ ପୁଷ୍ପ ମାଲ୍ୟ ଅର୍ପଣକରି ସଚେତନତା ଅଭିଯାନ ଆରମ୍ଭ କରିଥିଲେ । ପୂର୍ବତନ ଉପାଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ, ଭୀମସେନ ବେହେରା,ପୂର୍ବତନ ନଗରପାଳ ଶିବରାମ ଗୌଡ଼, ପୂର୍ବତନ ଉପ ନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ,ଗୌରହରି ସାମନ୍ତରା, ସରୋଜ କୁମାର ପଣ୍ଡା, ସଞ୍ଜୟ କୁମାର ପଣ୍ଡା, ଯୁଧିଷ୍ଠିର ସ୍ୱାଇଁ, କିରଣ କୁମାର ପଟ୍ଟନାୟକ, ରୋହିତ ବିଷୋୟୀ,ବି ଅଜିତ କୁମାର ସୁବୁଦ୍ଧି, ମାନସ ବେହେରା, ଅକ୍ଷୟ ସ୍ୱାଇଁଙ୍କ ସମେତବହୁ ସଂଖ୍ୟକ ଦଳୀୟ କର୍ମୀ ସହରର ବିଭିନ୍ନ ସ୍ଥାନରେ ମାସ୍କ ବଣ୍ଟନ କରି ଜନସାଧାରଣଙ୍କୁ କରୋନା ସଚେତନତା ସୃଷ୍ଟି କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ