ରାଜ୍ୟ ସରକାରଙ୍କ ପ୍ରତାରଣା ଓ ବିଫଳତା ବିରୋଧରେ ବାଲେଶ୍ୱର- ତିର୍ତ୍ତୋଲରେ ପ୍ରଚାର କରିବେ ପାରା ମେଡ଼ିକାଲ ଷ୍ଟାଫ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : କରୋନା କବଳରେ ପଡ଼ି ରାଜ୍ୟବାସୀ କଲବଲ ହେଉଥିବା ବେଳେ ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ଅଗ୍ରାଧିକାର ଏବଂ ପ୍ରାଥମିକତା ଦେବା ବଦଳରେ ରାଜ୍ୟ ସରକାର ଯେଉଁ ନାଟକବାଜି କରୁଛନ୍ତି ତାହା କୌଣସି ସଭ୍ୟ ସମାଜ ପକ୍ଷେ ଗ୍ରହଣୀୟ ନୁହେଁ । ନବୀନ ସରକାରଙ୍କ ଏହି ଫମ୍ପା ପ୍ରଚାରର ରାଜନୀତି ବିରୋଧରେ ଆସନ୍ତା ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନରେ ଘର ଘର ବୁଲି ଜନସାଧାରଣଙ୍କୁ ଅବଗତ କରାଯିବ ବୋଲି ତାଲିମପ୍ରାପ୍ତ ଅଣନିଯୁକ୍ତି ଯୁବ ମଙ୍ଗଳ ନ୍ୟାସ ପକ୍ଷରୁ ସଭାପତି ଶ୍ରୀ ପାର୍ଥସାରଥୀ ଜେନା ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି । ଏଭଳି ସଙ୍କଟମୟ ପରିସ୍ଥିତିରେ ରାଜ୍ୟ ସରକାର ଲୋକସଂଖ୍ୟା ଅନୁସାରେ ସମଗ୍ର ରାଜ୍ୟରେ ପାରା ମେଡ଼ିକାଲ ଷ୍ଟାଫଙ୍କୁ ନିଯୁକ୍ତି ଦେବାକୁ ବାରମ୍ବାର ଦାବୀ ହୋଇଆସୁଛି । ଏପରିକି ଆମ ସଂଗଠନ ପକ୍ଷରୁ ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ମଧ୍ୟ ଆବେଦନ ହେବା ଫଳରେ ରାଜ୍ୟ ସରକାର କେବଳ ଭୁଆଁ ବୁଲାଇବା ଲକ୍ଷ୍ୟରେ କିଛି ଅସ୍ଥାୟୀ ନିଯୁକ୍ତି ଘୋଷଣା କରିଦେଲେ । ଏବେ ବୟସ୍କ ବ୍ୟକ୍ତି, ଶିଶୁ ତଥା ପ୍ରସୂତି ମହିଳାମାନେ ନିଜ ନିଜର ସ୍ୱାସ୍ଥ୍ୟ ସମସ୍ୟା ନେଇ ଡ଼ାକ୍ତରଖାନା ଯିବାକୁ ଭୟ କରୁଛନ୍ତି ଏବଂ ସେମାନଙ୍କ ଜୀବନ ପ୍ରତି ମଧ୍ୟ ବିପଦର ଆଶଙ୍କା ରହିଛି । ଏଭଳି ସ୍ଥିତିରେ ପର୍ଯ୍ୟାପ୍ତ ପାରା ମେଡ଼ିକାଲ ଷ୍ଟାଫଙ୍କୁ ନିଯୁକ୍ତି ଦିଆଯାଇଥିଲେ ସେମାନେ ଘର ଘର ବୁଲି ନିୟମିତ ଯାଞ୍ଚ କରିବା ସହ ଚିକିତ୍ସା ସୁବିଧା ଯୋଗାଇ ଦେବାରେ ସହାୟକ ହୋଇପାରିଥାଆନ୍ତେ । ମାତ୍ର ରାଜ୍ୟ ସରକାର ମିଥ୍ୟା ନିଯୁକ୍ତିର ବିଜ୍ଞାପନ ଦେଇ ଦିନ କେଇଟାରେ ସେମାନଙ୍କୁ ଚାକିରୀରୁ ବାହାର କରିଦେବାର ଯେଉଁ ନିଷ୍ପତ୍ତି ନେଲେ ଏବଂ ବିଜ୍ଞପ୍ତି ପ୍ରକାଶ କଲେ ଏହା ଚରମ ପ୍ରତାରଣା ଏବଂ ଧୋକ୍କାବାଜୀ ଛଡ଼ା ଅନ୍ୟ କିଛି ନୁହେଁ । ଗତ ୧୪ ବର୍ଷ ଧରି ଆବଶ୍ୟକୀୟ ତାଲିମ ଓ ଶିକ୍ଷା ଗ୍ରହଣ କରି ମଧ୍ୟ ରାଜ୍ୟରେ ୪୦ ହଜାର ପିଲା ନିଯୁକ୍ତି ନ ପାଇ ବେକାର ବସିଥିବା ବେଳେ ରାଜ୍ୟ ସରକାର ନିଘୋଡ଼ ନିଦ୍ରାରେ ଶୋଇଛନ୍ତି ଏବଂ ନିଦାବିଷ୍ଣୁ ସାଜିଛନ୍ତି । ସ୍ୱାସ୍ଥ୍ୟସେବାରେ ବୈପ୍ଲବିକ ପରିବର୍ତ୍ତନ ଆଣିବାର ସ୍ୱପ୍ନ ଦେଖାଉଥିବା ତଥା ପ୍ରଚାର କରୁଥିବା ସରକାର ବାସ୍ତବରେ ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟା ପ୍ରତି ଆବଶ୍ୟକୀୟ ଦୃଷ୍ଟି ଦେଉନାହାଁନ୍ତି କିମ୍ବା କୌଣସି କୌଣସି ପଦକ୍ଷେପ ଗ୍ରହଣ କରୁନାହାଁନ୍ତି । କେବଳ ଭଳିକି ଭଳି ଭେଳିକିର ସ୍ଲୋଗାନ ଓ ପ୍ରଚାର ସର୍ବସ୍ୱ ରାଜନୀତି କରିବାରେ ବ୍ୟସ୍ତ ରହିବା ବାସ୍ତବରେ ଦୁର୍ଭାଗ୍ୟଜନକ । ଯଦି ରାଜ୍ୟ ସରକାର ୭ ଦିନ ଭିତରେ ପାରା ମେଡ଼ିକାଲ ଷ୍ଟାଫ ବା ତାଲିମପ୍ରାପ୍ତ ଅଣନିଯୁକ୍ତି ଯୁବ ମଙ୍ଗଳ ନ୍ୟାସର କର୍ମକର୍ତ୍ତାଙ୍କ ସହିତ ଆଲୋଚନା ନ କରନ୍ତି ତେବେ ସମସ୍ତ ପାରା ମେଡ଼ିକାଲ ଷ୍ଟାଫମାନେ ବାଲେଶ୍ୱର ସଦର ଓ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲରେ ରାଜ୍ୟ ସରକାରଙ୍କ ଅପରାଗତାକୁ ନେଇ ସମସ୍ତ ଲୋକମାନଙ୍କୁ ସଚେତନ କରାଇବା ସହ ସ୍ୱାସ୍ଥ୍ୟସେବା ବିଷୟରେ ଚିନ୍ତା କରିନଥିବା ସରକାରଙ୍କୁ ଗାଦିଚ୍ୟୁତ କରିବାକୁ ନିବେଦନ କରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ