ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତିର ରାଜ୍ୟବ୍ୟାପୀ ପ୍ରତିବାଦ ଦିବସ ପାଳିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତି ତରଫରୁ ରାଜ୍ୟବ୍ୟାପୀ ପ୍ରତିବାଦ ଦିବସ ପାଳନ ଅବସରରେ ୩୦ଟି ଜିଲ୍ଲାର ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳମାନଙ୍କ ଜରିଆରେ ସାତଦଫା ସମ୍ବଳିତ ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାଜଧାନୀ ଶାଖା ତରଫରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ସ୍ୱାଇଁଙ୍କୁ ପ୍ରଦାନ କରାଯାଇଛି । ମୁଖ୍ୟ ଦାବିଗୁଡ଼ିକ ମଧ୍ୟରେ ଅନ୍ୟ ରାଜ୍ୟ ଭଳି ପୁରୁଣା ସ୍ଥିରୀକୃତ ପେନସନ ପ୍ରଦାନ କରାଯାଉ, ଇଞ୍ଜିନିୟରିଂ ବିଭାରେ କାର୍ଯ୍ୟରତ ୱାର୍କଚାର୍ଜଡ଼ କର୍ମଚାରୀଙ୍କୁ ସ୍ଥାୟୀ କର୍ମଚାରୀ ମାନ୍ୟତା ଦେଇ ସ୍ଥିରୀକୃତ ପୁରୁଣା ପେନସନ ଯୋଜନା ଅନ୍ତର୍ଭୁକ୍ତ କରାଯାଉଳ, କଣ୍ଟ୍ରାକଚୁଆଲ ଓ ଆଉଟସୋର୍ସିଂ କର୍ମଚାରୀମାନଙ୍କ ନିଯୁକ୍ତି ଉପରୁ କଟକଣା ଉଠାଯାଇ ନିଯୁକ୍ତି ପାଇଁ ବିହିତ ନିର୍ଦ୍ଦେଶ ଦିଆଯାଉ, ଖାଲି ଥିବା ପଦବୀ ଗୁଡ଼ିକରେ କଣ୍ଟ୍ରାକଚୁଆଲ, ଆଉଟ ସୋର୍ସିଂ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଉ, ଗତ ୧.୧.୨୦୨୨ରିଖ ଠାରୁ ବକେୟା ଥିବା ସରକାରୀ କର୍ମଚାରୀଙ୍କ ୩ ପ୍ରତିଶତ ମହଙ୍ଗା ଭତ୍ତା ପ୍ରଦାନ କରାଯାଉ, ଗତ ୨୦୧୬ ମସିହାରୁ କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ସଂଶୋଧିତ ଘରଭଡ଼ା ଅବିଳମ୍ବେ ପ୍ରଦାନ କରିବାକୁ ବିହିତ ଆଦେଶ କରାଯାଉ, ସାଧାରଣ ପ୍ରଶାସନ ବିଭାଗ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାସ୍ତରୀୟ ଅମଲାମାନଙ୍କର ପୁନର୍ଗଠିତ ପଦବୀ ସବୁ ଜିଲ୍ଲାସ୍ତରୀୟ ଅଫିସ୍ରେ ଲାଗୁ କରାଯାଉ, ପଦବୀ ଅନୁଯାୟୀ ମୁଖ୍ୟ ବିଭାଗ ଅମଲାମାନଙ୍କ ସହିତ ଦରମା ସମୀକରଣ କରାଯାଉ ଏବଂ ରାଜ୍ୟର ଗ୍ରାମାଞ୍ଚଳ ଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ମଚାରୀ ମାନଙ୍କୁ ସରକାରୀ ଛୁଟି ପ୍ରଦାନ କରାଯାଉ ଏବଂ ତା ସହିତ ଅନୁକମ୍ପା ମୂଳକ ନିଯୁକ୍ତି ଯୋଜନା ଥିବା ଭିନ୍ନ ଭିନ୍ନ କଟକଣା ଗୁଡ଼ିକୁ ପ୍ରତ୍ୟାହାର କରି ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦିଆଯାଉ । ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ସଭାପତି ପ୍ରଶାନ୍ତ କୁମାର ମହାନ୍ତି, ଉପଦେଷ୍ଟା କ୍ଷେତ୍ରମୋହନ ଦାସ, ଉପସଭାପତି ଅଶୋକ କୁମାର ବ୍ରହ୍ମ, ବିପିନ ନାୟକ, ସୁଧୀର ପାଣିଗ୍ରାହୀ, ଚିତ୍ରସେନ ନାୟକ, ହାଡ଼ିବନ୍ଧୁ ନାୟକ, ଅନିଲ ପ୍ରଧାନ, ସାରଙ୍ଗଧର ସାହୁ, ଲକ୍ଷ୍ମୀଧର ମହାନ୍ତି ଓ ଅନ୍ୟାନ୍ୟ ବହୁ କର୍ମଚାରୀଙ୍କ ଗହଣରେ ସ୍ମାରକପତ୍ର ତଥା ଦାବିପତ୍ର ପ୍ରଦାନ କରାଯାଇଥିଲା ବୋଲି ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତିର ସମ୍ପାଦକ କାହ୍ନୁ ଚରଣ ମଲ୍ଲିକ ଜଣାଇଛନ୍ତି ।


