ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତି, ରାଜଧାନୀ ଶାଖାର ଅଷ୍ଟାଦଶ ସମ୍ମିଳନୀ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତି, ରାଜଧାନୀ ଶାଖାର ଅଷ୍ଟାଦଶ ସମ୍ମିଳନୀ ସାଥୀ ପ୍ରଶାନ୍ତ କୁମାର ମହାନ୍ତିଙ୍କ ସଭାପତିତ୍ୱ ରେ ଭାରତୀୟ ବିଦ୍ୟାଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମ୍ମିଳନୀକୁ ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତିର ସାଧାରଣ ସମ୍ପାଦକ ଶ୍ରୀ ନରୋତ୍ତମ ପାର୍ଥସାରଥୀ ଉଦ୍ଘାଟନ କରିଥିଲେ । ଏହି ସମ୍ମିଳନୀରେ ଅଖିଳ ଭାରତୀୟ ରାଜ୍ୟ ସରକାରୀ କର୍ମଚାରୀ ମହାସଂଘର ସାଧାରଣ ସମ୍ପାଦକ ସାଥୀ ଏ. ଶ୍ରୀକୁମାର ମୁଖ୍ୟ ଅତିଥି ଭାବରେ ଯୋଗଦେଇ କହିଥିଲେ ଯେ, କେନ୍ଦ୍ର ସରକାରଙ୍କ ଜନବିରୋଧି ଅର୍ଥନୀତି ଫଳରେ ବ୍ୟାପକ ବେକାରୀ ଦେଶରେ ସୃଷ୍ଟି ହେଉଛି । ସରକାରୀ ସଂସ୍ଥାକୁ ଘରୋଇକରଣ କରାଯାଉଛି, ଖାଦ୍ୟ ପଦାର୍ଥ ଉପରେ ଜି.ଏସ୍.ଟି ଲାଗୁ କରିବା ଫଳରେ ଜନସାଧାରଣ ଦିନକୁ ଦିନ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପେଟ୍ରୋଲ, ଡ଼ିଜେଲ, ଜାଳଣୀ ଗ୍ୟାସ୍ର ଅହେତୁକ ମୂଲ୍ୟବୃଦ୍ଧି ଯୋଗୁ ଦରଦାମ ବୃଦ୍ଧି ଘଟୁଛି । ଶିଳ୍ପପତି, ପୁଞ୍ଜିପତିମାନଙ୍କୁ ସୁହାଇଲା ଭଳି ଶ୍ରମ ଆଇନର ପରିବର୍ତ୍ତନ କରାଯାଉଛି । ଆଗାମୀ ଦିନରେ କର୍ମଚାରୀମାନଙ୍କୁ ପେନସନ ନଦେବା ପାଇଁ ଅଗ୍ନିପଥ ବା ଅଗ୍ନିବୀର ଭଳି ଠିକା ନିଯୁକ୍ତିକୁ ପ୍ରୋତ୍ସାହନ କରିବାରୁ ଦେଶରେ ବ୍ୟାପକ ଭାବରେ ଆନ୍ଦୋଳନ କରିବାକୁ ବେକାର ଯୁବକ ଯୁବତୀମାନେ ବାଧ୍ୟ ହେଉଛନ୍ତି । ତେଣୁ ଆଗାମୀ ଦିନରେ ଦେଶର ଶ୍ରମିକ, କର୍ମଚାରୀ, କୃଷକମାନେ ବୃହତ୍ତର ଆନ୍ଦୋଳନ କରିବାକୁ ବାଧ୍ୟ ହେବେ । ରାଜଧାନୀ ଶାଖାର ସମ୍ପାଦକ ଶ୍ରୀ କାହ୍ନୁଚରଣ ମଲ୍ଲିକ ତାଙ୍କ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଏହି ସମ୍ମିଳନୀରେ ଭୁବନେଶ୍ୱର ୟୁନିୟନ ଓ ଆସୋସିଏସନର ସାଧାରଣ ସମ୍ପାଦକ ବାମଦେବ ମିଶ୍ର, ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତିର ପୂର୍ବତନ ସଭାପତି ପ୍ରତାପ ଚନ୍ଦ୍ର ମିଶ୍ର, ସମ୍ପାଦକ କ୍ଷେତ୍ରମୋହନ ଦାସ, ଅକ୍ଷୟ କୁମାର ମିଶ୍ର, ରାଜ୍ୟ ସରକାରୀ କର୍ମଚାରୀମାନଙ୍କ ୧୮ ମାସର ବକେୟା ମହଙ୍ଗା ଭତ୍ତା, ୨୦୦୫ରୁ ନିଯୁକ୍ତି ପାଇଥିବା କର୍ମଚାରୀମାନଙ୍କୁ ପୁରୁଣା ପେନସନ ଦେବା, ବାକିଥିବା ୩ ପ୍ରତିଶତ ମହଙ୍ଗା ଭତ୍ତା ତୁରନ୍ତ ଦେବା, ୨୦୧୬ରୁ ସଂଶୋଧିତ ହାରରେ ଘରଭଡ଼ା ଦେବା ସହିତ ରାଜଧାନୀ କର୍ମଚାରୀ କେତେକ ମୌଳିକ ଦାବି ହାସଲ ପାଇଁ ରାଜ୍ୟ ସରକାରଙ୍କୁ ଦାବିପତ୍ର ଦେବାକୁ ମତପୋଷଣ କରିଥିଲେ । ଶେଷରେ ଲକ୍ଷ୍ମୀଧର ପଣ୍ଡା ମଞ୍ଚାସୀନ ନେତୃବୃନ୍ଦ, ବିଭିନ୍ନ ଜିଲ୍ଲାରୁ ଆସିଥିବା ନେତୃବୃନ୍ଦ ଓ ରାଜଧାନୀର ସଚେତନ କର୍ମଚାରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସମ୍ମିଳନୀର ଆଗାମୀ ଦୁଇବର୍ଷ ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚିତ କରାଯାଇଛି ।


