ରାଜ୍ୟ ସରକାରଙ୍କ ବିକାଶର ନଗ୍ନ ଚିତ୍ର, ଅଇଁଠା ପତ୍ର ଚାଟିଲା ଭୋକିଲା ଶିଶୁ
ସୁନ୍ଦରଗଡ଼(ୱାଇଏନ୍ଏସ୍): ବିକାଶର ଡିଣ୍ଡିମ ପିଟୁଥିବା ନବୀନ ସରକାରଙ୍କ ବିକାଶ ଯେ, କେତେଦୂର ସତ ତାହା ଗୋଟିଏ ଚିତ୍ରରୁ ହିଁ ପଦାକୁ ପଡିଛି । ଏମିତି ଏକ ଦୃଶ୍ୟ… ଯାହା ଆପଣଙ୍କୁ ଭାବିବାକୁ ମଜବୁର କରିଦେବ । ଖଣି ଖାଦାନ ଭରା ସୁନ୍ଦରଗଡ଼ କୋଇଡ଼ାରୁ ଆସିଛି ଦାରିଦ୍ର୍ୟର କରୁଣ କାହାଣୀ । ମାଟି ଭିତରେ କେତେ ଅମୂଲ୍ୟ ସଂପଦ ଭରି ରହିଛି ହେଲେ ମାଟି ଉପରେ ରହୁଥିବା ଲୋକଙ୍କ ପେଟ ପୋଡ଼ିଯାଉଛି । ଛୋଟିଆ ପୁଙ୍ଗୁଳା ଛୁଆଟିଏ, ରାସ୍ତା କଡ଼ରେ ପଡିଥିବା ଅଇଁଠା ପତ୍ରକୁ ଚାଟି ଖାଇଯାଉଛି । ଏହି ଗୋଟିଏ ଚିତ୍ର ସରକାରଙ୍କ ଶହ ଶହ ଯୋଜନା ଉପରେ ହଜାରେ ପ୍ରଶ୍ନ ଛିଡ଼ା କରୁଛି? ଏହି କୁନି ଛୁଆଟି ରାସ୍ତାରେ ପଡ଼ିଥିବା ଅଇଁଠା ପତ୍ର ଚାଟି ପେଟର ଭୋକ ମେଣ୍ଟାଇଲା । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଦୃଶ୍ୟ । ଖଣି ଖାଦାନ ଭରା ଅଞ୍ଚଳରେ ଥିଲା ଠିକ ନଗଡ଼ା ଭଳି ଚିତ୍ର । ଏହି ପଡ଼ାରେ ୧୦ରୁ ୧୨ଟି ପରିବାର ବସବାସ କରନ୍ତି । ସେଠାକାର ଜଣେ ବାସିନ୍ଦା ରାବଣ ମୁଣ୍ଡାଙ୍କ ତିନି ଛୁଆଙ୍କୁ ନେଇ ତେଲ ଲୁଣର ସଂସାର । ଖାଦ୍ୟ ଅଭାବ ଯୋଗୁ ଦିନକୁ ଓଳିଏ ଖାଇବାକୁ ନ ପାଇ ଅପପୁଷ୍ଟିର ଶିକାର ହୋଇଛନ୍ତି । କିଛି ମାସ ହେବ ରାବଣଙ୍କ ସ୍ତ୍ରୀଙ୍କ ଦେହାନ୍ତ ପରେ ଏବେ ପିଲାଙ୍କ ଦାୟିତ୍ୱ ରାବଣ ଉପରେ ପଡ଼ିଛି । ହେଲେ ବାହାରକୁ କାମ ପାଇଁ ନ ଗଲେ ତିନି ପିଲାଙ୍କ ମୁହଁରେ ଆହାର ଦେବେ କିପରି ? ତେଣୁ ପିଲାଙ୍କୁ ଘରେ ଛାଡ଼ି ସେ କାମରେ ଯାଇଥିବା ବେଳେ ଭୋକର ଦାଉରେ ଜଳୁଥିଲେ ତିନି ପିଲା । ଆଉ ପେଟର ଜ୍ୱଳା ସହି ନପାରି କୁନି ଶିଶୁଟି ରାସ୍ତାକଡ଼ରେ ଭୋଜି ପରେ ଫୋପାଡି ଦେଇଥିବା ପତ୍ର ଚାଟି ଖାଇଥିଲା ।