ରାଜ୍ୟ ସିଲେକ୍ସନ ବୋର୍ଡ ଅଧ୍ୟାପକ ସଙ୍ଘର କାର୍ଯ୍ୟକାରିଣୀ ବୈଠକ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଓଡିଶା ଏସ.ଏସ.ବି. ଅଧ୍ୟାପକ ସଙ୍ଘର ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଙ୍ଘର ସଭାପତି ସରୋଜକାନ୍ତ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବରିଷ୍ଠ ଅଧ୍ୟାପକ ଓ ଅଧ୍ୟାପିକାମାନେ ଯୋଗଦେଇ ସଙ୍ଘର ଭବିଷ୍ୟତ ଯୋଜନା, ସଦସ୍ୟତା ଅଭିଯାନ ଏବଂ ସରକାରଙ୍କ ନିକଟରେ ଉପସ୍ଥାପନା କରାଯାଇଥିବା ଦାବିପତ୍ର ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ । ରାଜ୍ୟ ସିଲେକସନ ବୋର୍ଡ ଦ୍ୱାରା ନିଯୁକ୍ତି ପାଇଥିବା ଅଧ୍ୟାପକ ଓ ଅଧ୍ୟାପିକାମାନେ ସମ୍ମୁଖିନ ହେଉଥିବା ସମସ୍ୟା ଉପରେ ସମ୍ପାଦକ ଡଃ. ଲମ୍ବୋଦର ରାଉତ ଆଲୋକପାତ କରିଥିଲେ । କୋଷାଧ୍ୟକ୍ଷ ଡଃ. ପ୍ରସନ୍ନ କୁମାର ବରାଳ ସଙ୍ଘର ଆୟ ଏବଂ ବ୍ୟୟର ବିବରଣୀ ପ୍ରଦାନ କରିଥିଲେ । ସଙ୍ଘର ସଦସ୍ୟତା ଅଭିଯାନ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ସହିତ ସରକାରଙ୍କ ନିକଟରେ ଉପସ୍ଥାପିତ ଦାବି ଗୁଡିକ ପୂରଣ ଦିଗରେ ଆବଶ୍ୟକ ପଦକ୍ଷେପ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ସଙ୍ଘର କାର୍ଯ୍ୟକାରିଣୀ ସଦସ୍ୟ ଡଃ. ଆନନ୍ଦ ଚନ୍ଦ୍ର ନାୟକ ବୈଠକ ପରିଚାଳନା କରିଥିବା ବେଳେ ଅଧ୍ୟାପକ ପ୍ରତାପ ଚନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସଂଯୋଜକମାନେ ଯୋଗଦେଇଥିଲେ ।