ରାଜ୍ୟ ସ୍କାଉଟ୍ସ୍ ଓ ଗାଇଡ଼୍ସ୍ ଶିବିର “ରୋଭର ରେଂଜର ଫେଷ୍ଟ”ର ଉଦ୍ଯାପନୀ ଉତ୍ସବ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶା ରାଜ୍ୟ ଭାରତ ସ୍କାଉଟସ୍ ଓ ଗାଇଡ଼୍ସ୍ ସଂସ୍ଥା ଆନୁକୂଲ୍ୟରେ ତା୨୭.୩.୨୦୨୩ରିଖ ଦିନ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଓଡ଼ିଶାର ୪୮ଟି ମହାବିଦ୍ୟାଳୟରୁ ୫୪୪ଜଣ ରୋଭରସ୍, ରେଂଜରସ୍ଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ଶିବିର “ରୋଭର ରେଂଜର ଫେଷ୍ଟ”ର ଆଜି ତା୩୦.୩.୨୦୨୩ ଦିନ ହେଉଛି ଉଦ୍ଯାପନୀ ଉତ୍ସବ । ଦିବା ୪ଘଟିକା ସମୟରେ ଭୁବନେଶ୍ୱରର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ସ୍ୱାଇଁ, ଶିବିରରେ ଯୋଗଦାନ କରି ରୋଭର ରେଂଜରମାନଙ୍କୁ ଜୀବନରେ କିଭଳି ସବୁଥିରେ ସଫଳତା ଲାଭ କରିପାରିବ ତା’ର ସୁନ୍ଦର ନମୂନାମାନ ଦେଇଥିଲେ । ପରେ ପରେ ଅପରାହ୍ଣ ୫ଟା୩୦ରେ ଜାତୀୟ ଉପସଭାପତି ତଥା ରାଜ୍ୟ ମୁଖ୍ୟ କମିଶନର ଡଃ କାଳି ପ୍ରସାଦ ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦ୍ଯାପନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀ, ଅର୍ଥବିଭାଗ ଅତିରିକ୍ତ ସଚିବ ଶ୍ରୀ ଅଶୋକ କୁମାର ରଥ, ଉଚ୍ଚଶିକ୍ଷା ବିଭାଗର ଉପସଚିବ ଡଃ. ରମେଶ ଚନ୍ଦ୍ର ବେହେରା ଏବଂ ଡାକ୍ତର ଶୁଭ କୁମାର ଦାଶ ପ୍ରଭୃତି ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରି ଦେଶର ସୁନାଗରିକ ହେବା ପାଇଁ ପ୍ରବର୍ତ୍ତାଇଥିଲେ । ଆଜି ସକାଳ ସମୟରେ ଧଉଳି ଠାରେ ବୃକ୍ଷରୋପଣ କରିବା ସଂଗେ ସଂଗେ ବୃକ୍ଷର ଯତ୍ନ ଓ ବୃକ୍ଷର ଆବଶ୍ୟକତା ବିଷୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଫୁଲ କୁମାର ସ୍ୱାଇଁ ପିଲାମାନଙ୍କୁ ବିସ୍ତୃତ ଭାବେ ବୁଝାଇଥିଲେ । ପିଲାମାନଙ୍କ ମନରେ ଆନନ୍ଦ ଓ ଉତ୍ସାହ ଆଣିବା ତଥା ଶରୀରକୁ ନିରୋଗ ରଖିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ଦିନ ପ୍ରାତଃ ସମୟରୁ ଏରୋବିକ୍ ଏବଂ ଯୋଗାସନ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ଅନ୍ୟ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ ଥିଲା ‘ପୃଥିବୀ ସୁରକ୍ଷା’ । ଉକ୍ତ କାର୍ଯ୍ୟକ୍ରମରେ ରୋଭର ରେଂଜର ମାନେ ପୃଥିବୀ ସୁରକ୍ଷା ଉପରେ ସୁନ୍ଦର ଅଭିନୟ କରି ସମସ୍ତଙ୍କୁ ଆନନ୍ଦିତ କରିବା ସହିତ ବୃକ୍ଷରୋପଣ କରିବା ପାଇଁ ସଚେତନତା ସୃଷ୍ଟି କରିଥିଲେ । ସ୍କାଉଟ୍ ଗାଇଡ଼୍ ପରିସରରକୁ ସଫାସୁତୁରା କରିଥିଲେ । ମନ ଖୁସି ରହିଲେ ଶରୀର ସୁସ୍ଥ ରହେ । ଏହାକୁ ପାଥେୟ କରି ଏକ ହାସ୍ୟରସାତ୍ମକ ଅଭିନୟ ପ୍ରତିଯୋଗିତା ଉପସ୍ଥାପନ କରାଯାଇ ସମସ୍ତଙ୍କୁ ମନୋରଂଜନ କରାଯାଇଥିଲା ।ଅନ୍ୟଏକ ଶିକ୍ଷଣୀୟ କାର୍ଯ୍ୟକ୍ରମ ଥିଲା “ସଷ୍ଟନେବଲ୍ ଡଭଲପ୍ମେଣ୍ଟ ଗୋଲ୍ ।” ଏଥିରେ ବିଭିନ୍ନ ପ୍ରୋଜେକ୍ଟ ତିଆରି କରି ବୃକ୍ଷରୋପଣ, ଜଳଯୋଗାଣ, ଶିକ୍ଷାଦାନ, ଖାଦ୍ୟ ବଣ୍ଟନ, ପରିବେଶ ପରିସ୍କାର ପରିଚ୍ଛନ୍ନତା ଇତ୍ୟାଦି ସମାଜରେ କିପରି କରାଯାଇ ତାହାର ବିକାଶ ପାଇଁ ଶିକ୍ଷା ଦିଆଯାଇଥିଲା । ଏହି କ୍ୟାମ୍ପର ପିଲାମାନେ ଲିଙ୍ଗରାଜ ମନ୍ଦିର ଠାରେ ଅନୁଷ୍ଠିତ ଅଶୋକାଷ୍ଟମୀ ରଥଯାତ୍ରାରେ ଓ ରାମନବମୀରେ ଶ୍ରୀରାମ ମନ୍ଦିରରେ ଶ୍ରଦ୍ଧାଳୁମାନଙ୍କୁ ବିଭିନ୍ନ ସେବା ପ୍ରଦାନ କରିଥିଲେ ।ରାଜ୍ୟ ସଂପାଦକ ଶ୍ରୀ ଶରତ ଚନ୍ଦ୍ର ପାଇକରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଏବଂ ରାଜ୍ୟ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ସହଯୋଗରେ ଏହି ଶିବିର ସଫଳତାର ସହ ଶେଷ ହୋଇଛି ।