ରାଜ୍ୟ ସ୍କାଉଟ ଗାଇଡ୍ ସଂଗଠନ ଦ୍ୱାରା ବସନ୍ତ ଦିବସ ପାଳିତ
ଭୁବନେଶ୍ୱର,(ଓ୍ବାଇଏନ୍ଏସ୍): ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ସଂଗଠନର ପୂର୍ବତନ ରାଜ୍ୟ ସଭାପତି ସ୍ୱର୍ଗତ ବସନ୍ତ କୁମାର ବିଶ୍ୱାଳଙ୍କ ଶ୍ରାଦ୍ଧ ଦିବସକୁ ପ୍ରତିବର୍ଷ ସେପ୍ଟେମ୍ବର ୭ ତାରିଖ ଦିନ ରାଜ୍ୟ ସ୍କାଉଟ ଗାଇଡ୍ ସଂଗଠନ “ବସନ୍ତ ଦିବସ” ରୂପେ ପାଳନ କରି ଆସୁଅଛି । ରାଜ୍ୟ କାର୍ଯ୍ୟାଳୟ ପରିସରରେ ତାଙ୍କର ପ୍ରତିଛବିରେ ମାଲ୍ୟାର୍ପଣ କରାଯାଇଥିଲା । ଚଳିତ ବର୍ଷ କରୋନା ମହାମାରୀ କଟକଣା ଯୋଗୁ ସ୍କାଉଟ ଗାଇଡ୍ମାନଙ୍କୁ ଏକତ୍ରିତ ନ କରି ଦିବା ୩ ଘଟିକା ସମୟରେ ଅନ୍ଲାଇନ୍ରେ କବ୍, ବୁଲ୍ବୁଲ୍, ସ୍କାଉଟ ଗାଇଡ୍, ରୋଭର, ରେଞ୍ଜର, ସ୍କାଉଟ ମାଷ୍ଟର, ଗାଇଡ୍ କ୍ୟାପଟେନମାନଙ୍କ ମଧ୍ୟରେ ସ୍ୱର୍ଗତ ବିଶ୍ୱାଳଙ୍କ ପ୍ରତିଛବି ଉପରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ଶ୍ରେଷ୍ଠ ୪ ଜଣ ପ୍ରତିଯୋଗୀଙ୍କୁ ଆଜି ରାଜ୍ୟ ମୁଖ୍ୟ କମିଶନର ଡଃ କାଳିପ୍ରସାଦ ମିଶ୍ରଙ୍କ ଦ୍ୱାରା ଅନ୍ଲାଇନ୍ ମାଧ୍ୟମରେ ପୁରସ୍କୃତ କରାଯାଇଛି । ଏତଦ୍ବ୍ୟତୀତ ଜିଲ୍ଲାସ୍ତରରେ ସ୍କାଉଟ ଓ ଗାଇଡ୍ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ସମ୍ପାଦନ ପାଇଁ ୯ଜଣ ସ୍କାଉଟ ମାଷ୍ଟର ଓ ଗାଇଡ୍ କ୍ୟାପଟେନଙ୍କୁ ବସନ୍ତ କୁମାର ବିଶ୍ୱାଳ ପୁରସ୍କାରର ପ୍ରମାଣ ପତ୍ର ସହ ସମ୍ମାନୀତ କରିଥିଲେ । ଏହି ଅବସରରେ ବସନ୍ତ କୁମାର ବିଶ୍ୱାଳଙ୍କର ସ୍ମୃତିଚାରଣ କରାଯାଇଥିଲା । ଶେଷରେ ରାଜ୍ୟ ସଂଗଠନ କମିଶନର (ଗାଇଡ୍) ଶ୍ରୀମତୀ ଅନାମିକା ଦାସ ଉକ୍ତ ଅନ୍ଲାଇନ୍ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ସ୍ଥଳେ ରାଜ୍ୟ କାର୍ଯ୍ୟାଳୟର ସମସ୍ତ କର୍ମଚାରୀମାନେ ସହଯୋଗ କରିଥିଲେ । ଶ୍ରୀ ମିହିର ରଞ୍ଜନ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।