ରାଜ ରାଜେଶ୍ୱର ବେଶ ରେ ଦର୍ଶନ ଦେଲେ ମାଧବ ର ଶ୍ରୀ ମାଧବାନନ୍ଦ

ନିମାପଡ଼ା, (ସନ୍ତୋଷ ଦାଶ):ଆଜି ମାଘ ମାସ ଏକାଦେଶୀ ତିଥି ଯାହା ଭୌମ ଏକାଦେଶୀ ନାମ ରେ ପ୍ରସିଦ୍ଧ।ପ୍ରାଚୀ ଉପତ୍ୟକା ର ମାଧବ ଗ୍ରାମ ରେ ପୂଜା ପାଇ ଆସୁଥିବା ପ୍ରସିଦ୍ଧ ପ୍ରଭୁ ମାଧବାନନ୍ଦ ଜିୟୁ ଙ୍କ ଆଜି ପ୍ରତିଷ୍ଠା ଦିବସ।ଏଥିପାଇଁ ମାଧବ ମନ୍ଦିର ଓ ଗାଁ ଉତ୍ସବ ମୁଖର ହୋଇପଡିଛି। ମାଧବ ମନ୍ଦିର କୁ ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କର ମାମୁଁ ଘର ବୋଲି କୁହାଯାଇଥାଏ। ଲୋକକଥା ରହିଛି ଯେ, ଦ୍ଵାପର ଯୁଗରେ ଜ୍ୟେଷ୍ଠ ପାଣ୍ଡବ ଯୁଧିଷ୍ଠିର ପ୍ରଭୁ ମାଧବ ଙ୍କୁ ଏଠାରେ ଏହି ଦିନ ସ୍ଥାପନା କରି ପୂଜା କରିଥିଲେ ଓ ସେହି ଦିନଠାରୁ ପ୍ରଭୁ ମାଧବାନନ୍ଦଏଠାରେ ପାଇ ଆସୁଛନ୍ତି। ପରବର୍ତ୍ତୀ ସମୟରେ ପ୍ରାୟ ଦ୍ବାଦଶ ଶତାବ୍ଦୀ ରେ ଗଜପତି ଦ୍ଵିତୀୟ ଅନଙ୍ଗଭୀମ ଦେବ ଏଠାରେ ଠାକୁର ଙ୍କ ମନ୍ଦିର ନିର୍ମାଣ କରାଇଥିଲେ। ମାଘ ମାସ ର ଭୌମ ଏକାଦେଶୀ କୁ ମାଧବ ଠାକୁର ଙ୍କ ପ୍ରତିଷ୍ଠା ଦିବସ ଭାବେ ପାଳନ କରାଯାଇ ଆସୁଅଛି। ଆଜି ପୁରୀ ଶ୍ରୀ କ୍ଷେତ୍ର ଠାରୁ ଶ୍ରୀ ଜଗନ୍ନାଥ ଙ୍କ ମାମୁଁ ଶ୍ରୀ ମାଧବାନନ୍ଦ ଙ୍କ ପାଇଁ ବିଶ୍ୱାବସୁ ସେବକ ବିନାୟକ ଦାସ ମହାପାତ୍ର, ସେବକ ରାମକୃଷ୍ଣ ମହାପାତ୍ର ପ୍ରମୁଖ ପ୍ରଭୂ ଙ୍କ ମାଜଣା ସାମଗ୍ରୀ, ଖଣ୍ଡୁଆପାଟ, ବିଭିନ୍ନ ପ୍ରକାର ଫଳ ମୂଳ, ଚନ୍ଦନ, ଧୂପ ଓ ମହାପ୍ରସାଦ ଆଣି ମାଧବ ରେ ପହଞ୍ଚି ଥିଲେ। ସେମାନଙ୍କୁ ମାଧବ ମନ୍ଦିର ର ସେବକ ମନୋଜ ପୁଷ୍ପାଳକ, ହେଡ଼ଟାରି ଟ୍ରଷ୍ଟି ପ୍ରଶାନ୍ତ କୁମାର ଦେବ ଗୋସ୍ୱାମୀ, ମାଧବ ମନ୍ଦିର ବିକାଶ ପରିଷଦ ର ନ୍ୟାୟ ବ୍ରତ ରାଉତ ପ୍ରମୁଖ ସ୍ବାଗତ କରି ବାଜା ବଜାଇ ବାଣ ଫୁଟାଇ ଏକ ବିରାଟ ଶୋଭାଯାତ୍ରା ରେ ମାଧବ ମନ୍ଦିର କୁ ପାଛୋଟି ନେଇଥିଲେ। ସମସ୍ତେ ପ୍ରଭୁ ମାଧବ ଙ୍କୁ ଦର୍ଶନ କରିଥିଲେ ଓ ପ୍ରସାଦ ପାଇଥିଲେ। ନିକଟସ୍ଥ ଗ୍ରାମ ର ଗୋପାଳ ମାନେ ଦଳ ଦଳ ହୋଇ ଆସି ଲଉଡି ଖେଳ ଖେଳି ଓ ଗୀତ ଗାଇ ମନ୍ଦିର ବେଢ଼ା ପରିକ୍ରମା କରିଥିଲେ।ଭୌମ ଏକାଦେଶୀ ପାଇଁ ପାରମ୍ପରିକ ପ୍ରଥାନୁସାରେ ଠାକୁର ଙ୍କୁ ସଂଧ୍ୟା ରେ ରାଜ ରାଜେଶ୍ୱର ବେଶ ରେ ସଜ୍ଜିତ କରାଯାଇଛି। ପ୍ରାତଃ ରୁ ମନ୍ଦିର ରେ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ଭିଡ଼ ଲାଗିଛି। ଶ୍ରଦ୍ଧାଳୁ ଓ ଭକ୍ତ ମାନେ ପ୍ରାଚୀ ନଦୀ ରେ ବୁଡ଼ ପକାଇ ମାଧବାନନ୍ଦ ଙ୍କୁ ଦର୍ଶନ କରୁଛନ୍ତି। ଅନେକ ଭକ୍ତ ଠାକୁର ଙ୍କୁ ତୁଳସୀ ମାଳ ଅର୍ପଣ କରିବା ସହିତ ଚୁଡ଼ାଘସା, ଦହି, କଦଳୀ ଭୋଗ ଲାଗି କରୁଛନ୍ତି। ମନ୍ଦିର ଚାରିପଟେ ମେଳା ଲାଗିଛି। ନିଆଳି ଥାନା,ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଳମ୍ବିତ ରାତିରେ ଏକ ସୁସଜ୍ଜିତ ବିମାନରେ ପ୍ରଭୁ ମାଧବାନନ୍ଦ ଙ୍କ ଚଳନ୍ତି ପ୍ରତିମା ପ୍ରାଚୀ ନଦୀ କୂଳକୁ ଯାଇ ଭୈମାସୁର ପାଇଁ ତିଳ ତର୍ପଣ ପ୍ରଦାନ କରି ମନ୍ଦିର କୁ ଫେରିବା ପରେ ମନ୍ଦିର ଚୁଡ଼ା କୁ ମହାଦୀପ ଉଠିଥିଲା। ହରିବୋଲ ହୁଳହୁଳି ଜୟ ଜଗନ୍ନାଥ ଜୟ ମାଧବାନନ୍ଦ ଧ୍ଵନି ରେ ମାଧବ ମନ୍ଦିର ଓ ଗ୍ରାମ ପ୍ରକମ୍ପିତ ହୋଇ ଉଠିଥିଲା।ଭ୍ୟୌମ ଏକାଦେଶୀ ଯାତ୍ରା ପାଇଁ ମାଧବ ମନ୍ଦିର ଓ ଆଖପାଖ ଅଞ୍ଚଳ ଉତ୍ସବ ମୁଖର ହୋଇପଡିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ