ରାଣୀ ଗୁମ୍ଫାରୁ ଆରମ୍ଭ ହେଲା ସ୍ୱଚ୍ଛ ଭାରତ ଅଭିଯାନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଗାଆଁ ଠୁ ସହର ଯୁଆଡ଼େ ଦେଖିବ କୁଢ କୁଢ ପ୍ଲାଷ୍ଟିକ୍ ଆବର୍ଜନାର ପାହାଡ଼ । ପ୍ଲାଷ୍ଟିକ୍ର ବ୍ୟବହାର କମାଇବା ପାଇଁ ଏବେ ଦେଶବ୍ୟାପୀ ଆରମ୍ଭ ହୋଇଛି ସ୍ୱଚ୍ଛ ଭାରତ ଅଭିଯାନ । ଏକକ ବ୍ୟବହାର ପ୍ଲାଷ୍ଟିକର ଉତ୍ପାଦନ, ସଂରକ୍ଷଣ, ବିକ୍ରୟ ଏବଂ ବ୍ୟବହାର ଉପରେ ସରକାର ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇଛନ୍ତି । ତଥାପି ପ୍ଲାଷ୍ଟିକ୍ର ବ୍ୟବହାର ବହୁ ମାତ୍ରାରେ ବଢିଚାଲିଛି । ଯଦ୍ୱାରା ସ୍ଥଳଭାଗ ହେଉକି ଜଳଭାଗ ହେଉ ସବୁଠି ପ୍ଲାଷ୍ଟିକ୍ ଅଳିଆ । କହିବାକୁ ଗଲେ ପ୍ଲାଷ୍ଟିକର ବିଷବଳୟରେ ସାରା ବିଶ୍ୱ । ଏହାର ଭୟାବହତାକୁ ନେଇ ସାରା ବିଶ୍ୱ ଚିନ୍ତାରେ । ପ୍ଲାଷ୍ଟିକ୍ ଠାରୁ ଦୂରେଇ ରହି ପ୍ଲାଷ୍ଟିକ୍ ମୁକ୍ତ ପରିବେଶ ତଥା ସୁସ୍ଥ ବାତାବରଣ ସୃଷ୍ଟି କରିବା ସମଗ୍ର ମଣିଷ ସମାଜ ପାଇଁ ଆହ୍ୱାନ କରିଛି ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ନେହେରୁ ଯୁବକେନ୍ଦ୍ର, ଖୋର୍ଦ୍ଧା । ଐତିହ୍ୟ ସଂପନ୍ନ ଖଣ୍ଡଗିରି ପାହାଡ଼ର ରାଣୀଗୁମ୍ଫାରୁ ଏହି ଅଭିଯାନର ଶୁଭ୍ ଉଦ୍ଘାଟନ ଅନୁଷ୍ଠିତ ହୋଇଯାଇଛି । ଅଭିଯାନକୁ ଆନୁଷ୍ଠାନିକ ରୂପେ ଜୟଦେବ ନିର୍ବାଚନ ମଣ୍ଡଳୀର ବିଧାୟକ ଅରବିନ୍ଦ ଢାଲି ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ରୂପେ ନେହେରୁ ଯୁବକେନ୍ଦ୍ରର ଉପ-ନିର୍ଦ୍ଦେଶକ ବିମଲ ପାଟ୍ରିକ୍ ଶାହା, ଯୁବ ଅଧିକାରୀ ବିପିନ୍ କୁମାର, ଜାତୀୟ ଯୁବପୁରସ୍କାରପ୍ରାପ୍ତ ସାମାଜିକ କର୍ମୀ ଶୀବ ପ୍ରସାଦ ପଟ୍ଟଯୋଶୀ ପ୍ରମୁଖ ଯୋଗ ଦେଇଥିଲେ । ଅଭିଯାନରେ ପାଖାପାଖି ୫୦ରୁ ଉର୍ଦ୍ଧ୍ୱ ଜାତୀୟ ଯୁବ ସ୍ୱେଚ୍ଛାସେବୀ ଅଂଶଗ୍ରହଣ କରିଥିଲେ । ପାହାଡ଼ର ଚତୁଃପାଶ୍ୱର୍ ଏବଂ ରାସ୍ତା ଉପରେ ପଡ଼ିଥିବା ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ଗୁଡ଼ିକୁ ସ୍ୱେଚ୍ଛାସେବୀ ମାନଙ୍କ ଦ୍ୱାରା ସଂଗୃହୀତ କରାଯାଇଥିଲା । କାର୍ଯ୍ୟକ୍ରମକୁ କେନ୍ଦ୍ରର କୁଳମଣି ମଲ୍ଲିକ, ଶୁଭେନ୍ଦ୍ର ନାଥ ସାହୁ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ । ସୂଚନାଯୋଗ୍ୟ, ଏହି ଅଭିଯାନ ଅକ୍ଟୋବର ୧ରୁ ୩୧ ତାରିଖ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲାର ୧୦ଟି ବ୍ଲକରେ ଚାଲୁ ରହିବ ବୋଲି ଜଣାପଡ଼ିଛି ।