ରାତାରାତି ସ୍କୁଲ ପାଚେରୀ ଭାଙ୍ଗି ରାସ୍ତା ନିର୍ମାଣ କଲେ ଦୁର୍ବୁତ୍ତ, ତେନ୍ତୁଲିପଦି ଗ୍ରାମରେ ଉତ୍ତେଜନା
ହାଟଡ଼ିହି, (ବିକାଶ ବିଶ୍ୱାଳ):ରାତାରାତି ସ୍କୁଲ ପାଚେରୀ ଭାଙ୍ଗି ରାସ୍ତା ନିର୍ମାଣ କରିଛନ୍ତି ଦୁର୍ବୁତ୍ତ। ଏହାକୁ ନେଇ ଗ୍ରାମରେ ଦେଖାଦେଇଛି ଉତ୍ତେଜନା। ଏପରି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ତେନ୍ତୁଲିପଦି ଗ୍ରାମରେ। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ସ୍କୁଲ ଛୁଟି ଥିବାର ସୁଯୋଗ ନେଇ ଗତ ଶୁକ୍ରବାର ରାତି ଦୁଇଟା ପରେ କେହି ଦୁର୍ବୁତ୍ତ ଜେସିବି ମେସିନି ସାହାଯ୍ୟରେ ସ୍କୁଲ ପାଚେରୀକୁ ଭାଙ୍ଗିଦେଇ ଏକ ରାସ୍ତା ନିର୍ମାଣ କରିଛନ୍ତି। ଶନିବାର ସକାଳୁ ଗ୍ରାମବାସୀ ଏ ବାବଦରେ ଜାଣିବା ପରେ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା। ଆଜି ସକାଳେ ୱାର୍ଡ ସଭ୍ୟା ସୁନିତା ନାଥ, ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ନରୋତ୍ତମ ନାଥ, ସଦସ୍ୟ ଶରତ କୁମାର ସା, ଚିନ୍ତାମଣି ବିଶ୍ୱାଳ, ପ୍ରସନ୍ନ ରାଉତ, ସୂର୍ଯ୍ୟମଣି ନାଥ, ଗୋପାଳ ଧଳ, ପ୍ରମୋଦ ବେହେରା, ନାରାୟଣ ଜେନା, କୁଳମଣି ରାଉତ, ଶଙ୍କର୍ଷଣ ରାଉତ, ସନ୍ୟାସୀ ନାୟକ, ପଦ୍ମାବତୀ ଜେନା, ସବିତା ଧଳ, ନିରୁପମା ସା, ପଙ୍କଜିନି କର ପ୍ରମୁଖ ବିଦ୍ୟାଳୟରେ ପହଞ୍ଚି ପନ୍ଦାଡୋ ପଞ୍ଚାୟତର ସରପଞ୍ଚ ଓ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଡାକି ଏ ବାବଦରେ ଜଣାଇବା ସହିତ ଏକ ବୈଠକ କରି ଏ ବାବଦରେ ପୁଲିସରେ ଅଭିଯୋଗ କରିବା ସହିତ ଉଚ୍ଚ କର୍ତ୍ତୃପକ୍ଷ ଙ୍କୁ ଅବଗତ କରାଇବା ସହ ପାଚେରୀ ଭାଙ୍ଗିଥିବା ଦୁର୍ବୁତ୍ତ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେମାନଙ୍କ କବିବା କଥା ଯେ ସ୍କୁଲ ପଛପଟେ ଥିବା ଏକ ଜମି କିଆରୀକୁ ରାସ୍ତା ନିର୍ମାଣ କରିବା ପାଇଁ ଜମି ମାଲିକ ଜେସିବି ମେସିନ ଲଗାଇ ଏପରି କରିଥିବା ସେମାନେ ଅନୁମାନ କରୁଛନ୍ତି। ଆଜି ପାଚେରୀ ଭାଙ୍ଗିଦେଲେ କାଲି ଆବଶ୍ୟକ ହେଲେ ସ୍କୁଲ ଘରବି ଭାଙ୍ଗିଦେଇ ପାରନ୍ତି, ତେଣୁ ଏହାର ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ବୋଲି ପ୍ରଧାନ ଶିକ୍ଷକ ଜ୍ଞାନରଞ୍ଜନ ବେହେରା ଓ ସରପଞ୍ଚ ଙ୍କ ପ୍ରତିନିଧି ନିକୁଞ୍ଜ ବିହାରୀ ଓଝା କହିଛନ୍ତି।