ରାତ୍ରିକାଳୀନ କଫ୍ରୁ୍ୟ ସମୟରେ ଯାତାୟତରେ କଟକଣା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ରାଜ୍ୟ ସରକାରଙ୍କ କୋଭିଡ ମାର୍ଗଦର୍ଶିକା ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲାରେ ରାତ୍ରିକାଳୀନ କଫ୍ରୁ୍ୟ ସମୟରେ ଯାତାୟତରେ କଟକଣା ନିମିତ୍ତ କଟକଣା ଜାରି କରିଛନ୍ତି ଜିଲ୍ଲାପାଳ ଅମ୍ରିତ ଋତୁରାଜ । ଏହି ନିର୍ଦ୍ଦେଶନାମା ଅନୁଯାୟୀ କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ଚଳିତ ମାସ ୧୭ତାରିଖ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ରାତ୍ରିକାଳୀନ କଫ୍ରୁ୍ୟ ବଳବତ୍ତର ରହିବ । ଏହି ସମୟରେ ଜିଲ୍ଲା ଓ ପୌର ପ୍ରଶାସନ, ପୁଲିସ, କର୍ତ୍ତବ୍ୟରତ ସରକାରୀ କର୍ମଚାରୀ, ଡାକ୍ତର, ସରକାରୀ ଓ ବେସରକାରୀ ସ୍ୱାସ୍ଥ୍ୟ କର୍ମଚାରୀ, ବିଦ୍ୟୁତ, ଟେଲିଫୋନ, ଜଳଯୋଗାଣ, ସଫେଇ ଓ ପରିମଳ କର୍ମଚାରୀ ଏବଂ ସେମାନଙ୍କ ଗାଡି ଚଳାଚଳକୁ କଟକଣା ମୁକ୍ତ କରାଯାଇଛି । ସୂଚନା ଓ ପ୍ରଯୁକ୍ତି କମ୍ପାନୀର କର୍ମଚାରୀ ସେମାନଙ୍କ ପରିଚୟ ପତ୍ର ଦେଖାଇ ଚଳପ୍ରଚଳ କରିପାରିବେ । ମେଡିକାଲ କିମ୍ବା କୌଣସି ଜରୁରୀ କାର୍ଯ୍ୟରେ ଯାଉଥିବା ବ୍ୟକ୍ତି, ଔଷଧ ଦୋକାନର ମାଲିକ ଓ କର୍ମଚାରୀ ଚଳ ପ୍ରଚଳ କରିପାରିବେ । ସମସ୍ତ ଶିଳ୍ପ ଓ ନିର୍ମାଣ କାର୍ଯ୍ୟ ଚାଲୁ ରହିବ । ରେଳଷ୍ଟେସନ, ବସଷ୍ଟାଣ୍ଡ ଓ ଏୟାରପୋର୍ଟକୁ ଯାତ୍ରୀମାନଙ୍କୁ ନେଇ ଯାତାୟତ କରୁଥିବା ଘରୋଇ ପରିବହନ, ବେସରକାରୀ ଯାନ, ଟ୍ୟାକ୍ସି ଇତ୍ୟାଦି ଚଳ ପ୍ରଚଳ କରିପାରିବେ । ହୋଟେଲ, ଅଭ୍ୟର୍ଥନା ସଂସ୍ଥା ଖୋଲା ରହିବା ସହ ସେମାନଙ୍କ କର୍ମଚାରୀଙ୍କ ଚଳପ୍ରଚଳ କଟକଣା ମୁକ୍ତ କରାଯାଇଛି । ଜାତୀୟ, ରାଜ୍ୟ ରାଜପଥ ଏବଂ ପ୍ରମୁଖ ରାସ୍ତା କଡରେଥିବା ଢାବା, ପେଟ୍ରୋଲ ପମ୍ପ, ସି.ଏନ.ଜି. ଷ୍ଟେସନ ଖୋଲା ରହିବ । ଜିଲ୍ଲା ଏବଂ କମିଶନରେଟ ପୋଲିସ ଦ୍ୱାରା ଚିହ୍ନିତ ବୈଦ୍ୟୁତିକ ଓ ମୁଦ୍ରିତ ଗଣମାଧ୍ୟମ ପ୍ରତିନିଧିମାନେ ଯାତାୟତ କରିପାରିବେ । ରାତ୍ରିକାଳୀନ କର୍ଫ୍ୟୁ ସମୟରେ ଯାତାୟତ ନିମିତ୍ତ କୌଣସି ସ୍ୱତନ୍ତ୍ର ପାସର ଆବଶ୍ୟକତା ନାହିଁ । ଯାତାୟାତ କରୁଥିବା ବ୍ୟକ୍ତି ରେଳ,ଏୟାର ଓ ବସ୍ ଟିକେଟ୍ ଦେଖାଇବେ । ସଂସ୍ଥାର ସମ୍ମୁଚିତ ପ୍ରାଧିକାରୀଙ୍କ ଦ୍ୱାରା ପ୍ରଦତ୍ତ ପରିଚୟ ପତ୍ର ପାସ ଭାବେ ବିବେଚିତ ହେବ । ରୋଗୀ ଓ ତାଙ୍କୁ ସାଙ୍ଗରେ ନେଇ ଯାଉଥିବା ବ୍ୟକ୍ତି କିମ୍ବା କୌଣସି ଜରୁରୀ କାର୍ଯ୍ୟରେ ଯାଉଥିବା ବ୍ୟକ୍ତି ସେମାନଙ୍କ ଜରୁରୀ କାର୍ଯ୍ୟ ସମ୍ବନ୍ଧୀୟ ପ୍ରମାଣ ପତ୍ର ଦେଖାଇବେ । କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀମାନେ ଯାତାୟତ କରୁଥିବା ବ୍ୟକ୍ତିମାନଙ୍କ ଜରୁରୀ ଆବଶ୍ୟକତାକୁ ଅନୁଧ୍ୟାନ କରି ସେମାନଙ୍କୁ ଅନୁମତି ଦେବେ । ଏହି ଆଦେଶକୁ ଅମାନ୍ୟ କରୁଥିବା ବ୍ୟକ୍ତି ବିପର୍ଯ୍ୟୟ ପରିଚାଳନା ଆଇନ୨୦୦୫ ଅନୁଯାୟୀ ଦଣ୍ଡିତ ହେବେ ବୋଲି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।