ରାମଗଡ଼ ଠାରେ ଅମୀୟ ସ୍ମାରକୀ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ
ଗଂଜାମ ,(ଯୁଗାବ୍ଦ ନ୍ୟୁଜ୍): ଗଂଜାମ ବ୍ଲକ ରାମଗଡ଼ ପଞ୍ଚାୟତର ପାଲୁର ଗଡ଼ ଠାରେ ଶୁକ୍ରବାର ଉଦ୍ଘାଟିତ ହୋଇଯାଇଛି ଅମୀୟ ସ୍ମାରକୀ ଭଲିବଲ ଟୁର୍ଣ୍ଣାମେଣ୍ଟ। କବିକେଶବ ଯୁବକ ସଂଘ ସଭାପତି କୈଳାସ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ବାଗତ ଭାଷଣ ତଥା ଅତିଥି ପରିଚୟ ପ୍ରଦାନ କରିଥିଲେ କବିକେଶବ ଯୁବକ ସଂଘ ସଂପାଦକ ଅନୀଲ କୁମାର ପଟ୍ଟନାୟକ। ଗଂଜାମ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜ୍ଯୋତି ଶଂକର ରାୟ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ରାମଗଡ଼ ସରପଞ୍ଚ ଶ୍ରୀମତୀ ବନୀତା ଦଲେଇ, ବିରଞ୍ଚି ନାରାୟଣ ପଟ୍ଟନାୟକ, ପୂର୍ବତନ ସରପଞ୍ଚ ଜୟସେନ ପ୍ରଧାନ, ଅନ୍ଯତମ ଅତିଥି ନାଏବ ସରପଞ୍ଚ କାମେଶ୍ୱର ପଲାଇ ଏବଂ ମୁଖ୍ୟ ବକ୍ତା ଭାବେ କୋଦଳା ଅଞ୍ଚଳର ସମାଜସେବୀ ତଥା ସାମ୍ବାଦିକ ସୁଶାନ୍ତ କୁମାର ପଟ୍ଟନାୟକ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ। ଗ୍ରାମାଞ୍ଚଳ କ୍ରୀଡା ବିକାଶ ଦିଗରେ ସରକାର ବହୁ ପଦକ୍ଷେପ ନେଉଥିବା ବେଳେ ଏହି ଖେଳରେ ଯୋଗ ଦେଇଥିବା ସମସ୍ତ ଖେଳାଳି ବନ୍ଧୁତ୍ବପୂର୍ଣ୍ଣ ବାତାବରଣ ମଧ୍ୟରେ ଖେଳିବାକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପରାମର୍ଶ ଦେଇଥିଲେ। ସେହିପରି ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଗ୍ରାମାଞ୍ଚଳର କ୍ରୀଡା ବିକାଶ ପାଇଁ ନେହରୁ ଯୁବ କେନ୍ଦ୍ର ଜରିଆରେ ଅନେକ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି। ଗ୍ରାମାଞ୍ଚଳର ଯୁବକ ସଂଘ ଗୁଡିକ ଏହି କେନ୍ଦ୍ର ଦ୍ଵାରା ଅନୁବନ୍ଧିତ ହୋଇ ସମସ୍ତ ସୁବିଧାର ଲାଭ ଉଠାଇ ପାରିବେ ଏବଂ ଉକ୍ତ ଖେଳରେ ଯୋଗ ଦେଇଥିବା ସମସ୍ତ ଦଳ ଗୁଡିକ ଭାଇଚାରା ବଜାୟ ରଖି ଖେଳନ୍ତୁ ବୋଲି ସାମ୍ବାଦିକ ଶ୍ରୀ ପଟ୍ଟନାୟକ କହିଥିଲେ। ପ୍ରଥମ ଦିନରେ ୨ ଟି ମ୍ଯାଚ୍ ଅନୁଷ୍ଠିତ ହୋଇଥିଲା। କଣମଣା ପିଓନିର୍ ସହ ଛତ୍ରପୁର ଟାଇଗର ସିକ୍ସ ମଧ୍ଯରେ ହୋଇଥିବା ମ୍ଯାଚରେ ଟାଇଗର ସିକ୍ସ ବିଜୟୀ ହୋଇଥିଲା। ସେହିପରି ଅନ୍ୟ ଏକ ମ୍ଯାଚ୍ ଘରୋଇ ଟିମ୍ ପାଲୁର ସହ ବାଲିବଗଡ ସହ ହୋଇଥିବା ବେଳେ ବାଲିବଗଡ ଟିମ୍ ବିଜୟୀ ହୋଇଥିଲା। ଆସନ୍ତା ୧୫ ତାରିଖରେ ଏହି ଟୁର୍ଣ୍ଣାମେଣ୍ଟ ଉଦ୍ ଯାପିତ ହେବ ବୋଲି ଜଣାପଡିଛି।