ରାମଗିରିରେ ନେଟୱାର୍କ ସମସ୍ୟା ଯୋଗୁଁ ଆମ୍ବୁଲାନ୍ସ ସେବା ଛେଳିଗଡ ଗଲା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଆର୍.ଉଦୟଗିରି ବ୍ଲକ ରାମଗିରି ଅଞ୍ଚଳରେ ମୋବାଇଲ ନେଟୱାର୍କ ସଠିକ ରହୁନଥିବା ଯୋଗୁଁ ଆମ୍ବୁଲାନ୍ସ ସେବା ଠପ ହୋଇପଡିଛି । ଏହି ଅଞ୍ଚଳରେ ମୋବାଇଲ ନେଟୱାର୍କ ରହୁ ନଥିବା ଯୋଗୁଁ ଏଠାରେ ଯେଉଁ ଆମ୍ବୁଲାନ୍ସଟିକୁ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଦ୍ୱାରା ଉପଯୋଗ କରାଯାଇଥିଲା ତାହାକୁ ଫେରାଇ ନିଆଯାଇଛି । ଏଠାରେ ନେଟୱାର୍କ ଅସୁବିଧା ଯୋଗୁଁ ଲୋକମାନେ ଆମ୍ବଲାନ୍ସ ସେବା ପାଇପାରୁ ନାହାନ୍ତି, ଫଳରେ ଆମ୍ବୁଲାନ୍ସଟି ଏଠାରେ ପଡିରହୁଥିଲା । ଏହାକୁ ଦେଖି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଫେରାଇ ନେଇଛନ୍ତି । ତେବେ ଲୋକେ ବାଧ୍ୟ ହୋଇ ଆମ୍ବୁଲାନ୍ସ ସେବା ନପାଇ ଘରୋଇ ଗାଡିରେ ରୋଗୀଙ୍କୁ ଚିକିତ୍ସା ପାଇଁ ପଠାଉ ଛନ୍ତି । ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପି.କେ. ପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ରାମଗିରି ଠାରେ ମୋବାଇଲ ନେଟୱାର୍କ ରହୁ ନଥିବା ଯୋଗୁଁ । ସେଠାରେ ଯେଉଁ ଆମ୍ବୁଲାନ୍ସଟି ଉପଯୋଗ କରାଯାଉଥିଲା ତାକୁ ବର୍ତ୍ତମାନ ଛେଳିଗଡ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ରଖାଯାଇଛି । ତେବେ ନେଟୱାର୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ସରପଞ୍ଚ ଆଦିକନ୍ଦ କାର୍ଯୀ, ଜିଲ୍ଲା ପରିଷଦ ସଭ୍ୟା ସୁପ୍ରଭା ମଣ୍ଡଳ, ରାମଗିରି ସମିତି ସଭ୍ୟ ଗୋପବନ୍ଧୁ ପଟ୍ଟନାୟକ ପ୍ରମୁଖ ନିବେଦନ ଜଣାଇଛନ୍ତି ।


