ରାମଚଣ୍ଡୀଙ୍କ ପାଞ୍ଚତମ ବାର୍ଷିକୋତ୍ସବ

ବୋଲଗଡ଼ (ଜୁଗାବ୍ଦ ନ୍ୟୁଜ୍‍): ବୋଲଗଡ଼ ବ୍ଲକ ସଦର ମହକୁମାସ୍ଥିତ ଗଡଦେବୀ ମା ରାମଚଣ୍ଡି ଠାକୁରାଣୀଙ୍କ ପାଞ୍ଚତମ ବାର୍ଷିକ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏହି ବାର୍ଷିକ ଉତ୍ସବରେ ଶତାଧିକ ମହିଳା କଳସ ଯାତ୍ରାରେ ସାମିଲ ହୋଇଥିଲେ । ମା ରାମଚଣ୍ଡୀ ରାଜପ୍ରତିଷ୍ଠିତ ଦେବୀ ରୂପେ ସ୍ଥାନୀୟ ଅଞ୍ଚଳରେ ଜଣାଶୁଣା । ପ୍ରାରମ୍ଭରେ ମା’ଙ୍କ ସ୍ନାନାଦି ଆଦି କାର୍ଯ୍ୟସାରି ଶାଲା ପୂଜା, ସୂର୍ଯ୍ୟପୂଜା, ଦ୍ୱାର ପୂଜା ଇତ୍ୟାଦି କାର୍ଯ୍ୟ ସମ୍ପାଦିତ ହୋଇ ଚଣ୍ଡି ପାଠ କରାଯାଇଥିଲା । ପରେ ନୂତନ ବସ୍ତ୍ର ପରିଧାନ କରାଯାଇ ହୋମାଦି କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମ ପଣ୍ଡିତ ଦିବାକର ଷଡ଼ଙ୍ଗୀ, ହରିବନ୍ଧୁ ମିଶ୍ର ଓ ପୂଜକ କୃପାସିନ୍ଧୁ ମହାପାତ୍ର ପ୍ରମୁଖ ହୋମାଦି କାର୍ଯ୍ୟ ସମାପନ କରିଥିଲେ । ଏହି ଅବସରରେ ମା’ଙ୍କ ଉଦ୍ଦେଶ୍ୟରେ ଶତାଧିକ ମହିଳା ନିକଟସ୍ଥ ପୁଷ୍କରିଣୀ ନୂଆପୋଖରିକୁ ଯାଇଥିଲେ । ସେଠାରେ ପଣ୍ଡିତଙ୍କ ମନ୍ତ୍ରାଦି କାର୍ଯ ସମାପନ ପରେ ଜଳ ଭରା କଳସୀ ଧାରଣ କରି ମହିଳାମାନେ ମନ୍ଦିରକୁ ଫେରିଥିଲେ । ପରେ ମା’ଙ୍କ ଘଟ ସହିତ ସମସ୍ତ କଳସ ପୂଜା ଧାଡିରେ ରହି ପୂଜା ପାଇଥିଲେ । ସନ୍ଧ୍ୟାରେ ସଂପୃକ୍ତ ଶତାଧିକ ମହିଳା ଉକ୍ତ କଳସିକୁ ପୂର୍ବବତ୍ ପୁଷ୍କରିଣୀକୁ ଯାଇ ବିସର୍ଜନ କରିଥିଲେ । ଏହି ଉପଲକ୍ଷେ ମନ୍ଦିର ପ୍ରାଙ୍ଗଣରେ ମଧ୍ୟାହ୍ନ ଓ ସନ୍ଧ୍ୟାରେ ଭକ୍ତଙ୍କ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ରାତ୍ରରେ ମା’ଙ୍କ ମନ୍ଦିର ପ୍ରାଙ୍ଗଣରେ ସାଂସ୍କୃତିକ କାର୍ଯ୍ୟକ୍ରମ ତୃତୀୟାପଡା ନାଟ୍ୟ ସଂସଦ ଦ୍ୱାରା ‘ରାମନାଟକ’ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମରେ ଗଡଭିତର ତଥା ଆଖପାଖ ଅଞ୍ଚଳର ବହୁ ବ୍ୟକ୍ତି ଆନ୍ତରିକତା ତଥା ଭକ୍ତି ଭାବନାର ସହିତ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ