ରାମଚଣ୍ଡୀ ପୀଠ ସୌନ୍ଦର୍ଯ୍ୟ କରଣରେ ଦୁର୍ନୀତି ଅଭିଯୋଗ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) :-ପର୍ଯ୍ୟଟନ ସ୍ଥଳୀ ତଥା ମନ୍ଦିର ଗୁଡିକର ବିକାଶ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏହି କାର୍ଯ୍ୟର ସ୍ଥାୟୀତ୍ୱକୁ ନେଇ ପ୍ରଶ୍ନ ଉଠିଛି। ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ସତ୍ୱେ ଯାଞ୍ଚ କରୁନାହାଁନ୍ତି ବିଭାଗୀୟ ଅଧିକାରୀ । ୧୬ କୋଟି ଟଙ୍କା ବ୍ୟୟରେ କୋଣାର୍କ ରାମଚଣ୍ଡି ପୀଠର ଉନ୍ନତିକରଣ କାର୍ଯ୍ୟକୁ ନେଇ ଉଠିଛି ପ୍ରଶ୍ନବାଚୀ । ସାରା ରାଜ୍ୟରେ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ରର ବିକାଶ କରାଯାଉଥିବା ବେଳେ ଏଥିରେ ସାମିଲ ହୋଇଛି ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍ ରାସ୍ତାରେ ଥିବା ପ୍ରମୁଖ ପିକନିକ ସ୍ଥଳୀର ମା ରାମଚଣ୍ଡି ପୀଠ। ଏହି ପୀଠର ସୌନ୍ଦର୍ଯ୍ୟ କରଣ ପାଇଁ ରାଜ୍ୟ ସରକାର ୧୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏଠାରେ ଆଲୋକିକରଣ ସହ ପାର୍କିଂ, ପାର୍କ, ସେଲଫି ପଏଂଟ୍, ପାଦ ଚଲା ରାସ୍ତା, କଫି ସପ୍ , ଟଏଲେଟ୍ ଆଦିର ଉନ୍ନତି କରଣ କାର୍ଯ୍ୟ ୨ ଜଣ ଠିକାଦାରଙ୍କୁ ଦିଆଯାଇଛି। କିନ୍ତୁ ଏହି କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। କେଉଁ କାର୍ଯ୍ୟ ପାଇଁ କେତେ ଟଙ୍କା ଖର୍ଚ୍ଚ କରାଯାଉଛି ତାର କିଛି ଫଳକ ଏଠାରେ ନାହିଁ । ଏଠାରେ ନିର୍ମାଣ କାର୍ଯ୍ୟରେ ନିମ୍ନମାନର ସିମେଣ୍ଟ ବ୍ୟବହାର କରାଯାଉଥିବା ବେଳେ ଲୁଣି ବାଲି ଏବଂ ସମୁଦ୍ର ପାଣିର ବ୍ୟବହାର କରାଯାଉଛି । ନିମ୍ନ ମାନର ଲୁହା ରଡ ଓ ସିମେଣ୍ଟ ସହ ଢ଼ଳାଇ ପକାଇବାରେ ବ୍ୟାପକ ତୃଟି ରହିଥିବା ଅଭିଯୋଗ ହୋଇଛି । କିନ୍ତୁ ତଦାରଖ ଦାୟୀତ୍ୱରେ ଥିବା ସଂସ୍ଥା ଇପିଆଇଏଲ କିମ୍ବା ପର୍ଯ୍ୟଟନ ବିଭାଗ ପକ୍ଷରୁ ଯାଞ୍ଚ କରାଯାଉନାହିଁ । ବିଭାଗୀୟ ଅଧିକାରୀ ମାନେ ଲାଞ୍ଚ ନେଇ ନୀରବଦ୍ରଷ୍ଟା ସାଜିଛନ୍ତି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି , ଫଳରେ କାର୍ଯ୍ୟର ସ୍ଥାୟିତ୍ୱକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ? ବିଭାଗୀୟ ଅଧିକାରୀ ଏବଂ ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଥିବାରୁ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି ସ୍ଥାନୀୟ ଜନ ପ୍ରତିନିଧି ଓ ସାଧାରଣ ଲୋକେ।


