ରାମଚନ୍ଦ୍ର ବେହେରା ହତ୍ୟା ଘଟଣାରେ ବିଚାର ବିଭାଗୀୟ ତଦନ୍ତ ଦାବି କଲା କଂଗ୍ରେସ

ପୂର୍ବତନ ବିଧାୟକ ପ୍ରାର୍ଥୀ ତଥା ଘଷିପୁରା ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ନେତା ରାମଚନ୍ଦ୍ର ବେହେରାଙ୍କୁ ଯୋଜନାବଦ୍ଧ ଭାବେ ରାଜନୈତିକ ଆକ୍ରୋଶ ରଖି ଗତ ୨୫ ତାରିଖ ରାତିରେ ହତ୍ୟା କରାଯାଇଛି। ଏହି ହତ୍ୟା ଘଟଣାରେ ୨୬ ତାରିଖ ଦିନ ପୁଲିସ ୩ଜଣଙ୍କୁ ଗିରଫ କରିଥିବାବେଳେ ଗୁରୁବାର ଦିନ ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ତେବେ ଏହି ହତ୍ୟାକାଣ୍ଡକୁ ପୁଲିସ ପୂର୍ବଶତୃତାକୁ ନେଇ ଘରୋଇ ଗଣ୍ଡଗୋଳରୁ ହତ୍ୟା କରାଯାଇଥିବା କହୁଥିବାବେଳେ ପ୍ରକୃତରେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ସରକାରଙ୍କ ଚାପରେ ପୋଲିସ ତଦନ୍ତର ଦିଗ ବଦଳାଉଥିବା ପିସିସି ସାଧାରଣ ସଂପାଦକ ବିଦ୍ୟାଧର ଦେହୁରୀ ଅଭିଯୋଗ କରିଛନ୍ତି। ନିର୍ବାଚନ ଅବ୍ୟବହିତ ପୂର୍ବରୁ ବହୁଚର୍ଚ୍ଚିତ ରାମଚନ୍ଦ୍ର ବେହେରା ହତ୍ୟା ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବିରେ କେନ୍ଦୁଝର ଆରକ୍ଷୀ ଅଧିକ୍ଷକଙ୍କ କାର‌୍ୟ୍ୟାଳୟ ଘେରାଉ ସହିତ କଂଗ୍ରେସ ତରଫରୁ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଏହି ଘଟଣାରେ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ପ୍ରଛନ୍ନ ହାତ ରହିଛି ବୋଲି ଏହି କାର‌୍ୟ୍ୟକ୍ରମରେ ଯୋଗ ଦେଇଥିବା କଂଗ୍ରେସ ନେତାମାନେ ଅଭିଯୋଗ ଆଣିଛନ୍ତି। ଅପରାଧିଙ୍କ ସହିତ ବିଜେଡିର ନେତାଙ୍କ ବାର୍ତ୍ତାଲାପ ଯାଞ୍ଚ କରାଗଲେ ଶାସକ ଦଳର ନେତା ଧରାପଡିବା ଭୟରେ ପୋଲିସ ଏଦିଗ ପ୍ରତି ଯାଞ୍ଚ କରୁନଥିବା କଂଗ୍ରେସ ଅଭିଯୋଗ କରିଛି। ବିଜେଡିରେ ଯୋଗଦାନ ପୂର୍ବରୁ ରାମଚନ୍ଦ୍ର ବେହେରାଙ୍କୁ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ହତ୍ୟା କରାଯାଇଛି ବୋଲି ପିସିସି ସାଧାରଣ ସଂପାଦକ ଆଲୋକ ମିଶ୍ର ଅଭିଯୋଗ କରିଛନ୍ତି। ରାମଚନ୍ଦ୍ର ବେହେରାଙ୍କ ହତ୍ୟା ପ୍ରତିବାଦରେ ଶୁକ୍ରବାର ଦିନ କଂଗ୍ରେସ ନେତା ଓ କର୍ମୀମାନେ ଜିଲ୍ଲା କାର‌୍ୟ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ଆରକ୍ଷୀ ଅଧିକ୍ଷକଙ୍କ କାର‌୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ