ରାମରାଜ୍ୟର ସ୍ୱରୂପ
ରାମ ରାଜ୍ୟକଥା ତ୍ରେତୟା ଯୁଗର କାହାଣୀ । ରାମରାଜ୍ୟର ରୂପରେଖର ବର୍ଣ୍ଣନା କାଲ୍ମିକୀଙ୍କ ଦ୍ୱାରା ରଚିତ ରାମାୟଣରୁ ମିଳେ । ବାଲ୍ମିକୀ ନିଜେ ରାମଚନ୍ଦ୍ରଙ୍କର ସମସାମୟିକ ଏବଂ ତାଙ୍କର ପାରିବାରିକ ଜୀବନ ସହିତ ସଂପର୍କିତ । ଏମିତିରେ ସୀତାଙ୍କୁ ଶ୍ରୀ ରାମଚନ୍ଦ୍ର ଅଯୋଧ୍ୟାରୁ ବିଦାୟ ଦେଲାପରେ, ସୀତା ବାଲ୍ମିକୀ ଆଶ୍ରମରେ ତପସ୍ୱିନୀ ଜୀବନ କଟାଇଥିଲେ ଏବଂ ସେହିଠାରେ ଲବ ଓ କୁଶ ଜନ୍ମଗ୍ରହଣ କରି ଲାଳିତ ପାଳିତ ହୋଇଥିଲେ । ନିଜେ ବାଲ୍ମିକୀ ରାମଚନ୍ଦ୍ରଙ୍କୁ ତାଙ୍କ ବ୍ୟକ୍ତିଗତ ଜୀବନରେ ଅନୁଭବରେ ନେଇଛନ୍ତି ଏବଂ ନିକଟରୁ ଦେଖିଛନ୍ତି ଓ ରାମାୟଣ ଲେଖିଛନ୍ତି ।
ରାମାୟଣରୁ ରାମଙ୍କ ସମୟରେ ସାଧାରଣ ଜୀବନର ରାଜନୈତିକ, ସାମାଜିକ ତଥା ଆର୍ôଥକ ଚିତ୍ରମିଳେ । ଆଧୁନିକ ରାଜନୈତିକ ସଜ୍ଞାନୁଯାୟୀ ରାମଚନ୍ଦ୍ରଙ୍କର ଶାସନ ରାଜତନ୍ତ୍ର କି ଜନତନ୍ତ୍ର ନଥିଲା । ଏହା ଏକ ଭିନ୍ନ ସ୍ୱରୂପର ମର୍ଯ୍ୟଦାବନ୍ତ ରାଜତନ୍ତ୍ର ଏବଂ ଜନତନ୍ତ୍ରର ସମାହାର ଥିଲା । ରାମଚନ୍ଦ୍ର ଥିଲେ ଜଣେ ଦାର୍ଶନିକ ରାଜା । ପ୍ଲେଟୋ ତାଙ୍କ ‘ରପବ୍ଲିକ୍’ରେ ଏହିପ୍ରକାର ଜଣେ ଶାସକର କଳ୍ପନା କରିଛନ୍ତି । ସେ କୁହନ୍ତି : ଜଣେ ଉତ୍ତମ ଶାସକ ବା ରାଜା ପ୍ରତିଭାର ପ୍ରତୀକ ହେବା ଉଚିତ୍ ଏବଂ ନିଜେ ଦେଶ ଓ ସମାଜ କଲ୍ୟାଣାର୍ଥେ ସମସ୍ତ ସୁଖ ସମ୍ଭୋଗକୁ ତ୍ୟାଗ କରିବା ଉଚିତ୍ । ରାମ ରାଜ୍ୟର ରାଜା ରାମଚନ୍ଦ୍ର ଏହାଠାରୁ ଢେର ଆଗରେ ଥିଲେ । ପ୍ଲେଟୋଙ୍କର ଦର୍ଶନିକ ରାଜା ନିଜର ପ୍ରତିଭାକୁ ସମ୍ମାନ ଦେବାରେ କୌଣସି ଆଇନ୍ କାନୁନ୍ ବା ପରମ୍ପରାକୁ ସ୍ୱୀକାର ଯେପରି ନକରେ? କିନ୍ତୁ ବିପରୀତ କ୍ରମେ ରାମଚନ୍ଦ୍ର ପ୍ରତିଭା କୁଶଳତା ଏବଂ ଧନ ଧାନ୍ୟରେ ସମୃଦ୍ଧ ଥିଲେ ବି ରାଜ୍ୟର ଆଇନ ଏବଂ ସମାଜର ମର୍ଯ୍ୟଦାକୁ ପାଳନ କରୁଥଲେ । ତାଙ୍କ ସମୟରେ ରାଜ୍ୟଦ୍ୱାରା ତିଆରି ହୋଇଥିବା ଆଇନ୍ କେବଳ ପ୍ରଜାଙ୍କ ପାଇଁ ନଥିଲା, ତାହାହିଁ ରାଜାଙ୍କ ପାଇଁଥିଲା ଅର୍ଥାତ୍ ଏକ ସାର୍ବଜନୀନ ଆଇନ୍ ଥିଲା । ଅଯୋଧ୍ୟାକାଣ୍ଡରେ ସ୍କନ୍ଦ୬୯ରେ ରାମ ଜବାଲୀ ଋଷିଙ୍କୁ କୁହନ୍ତି : ମର୍ଯ୍ୟଦାକୁ ଉଲଂଘନ କରୁଥିବା ବ୍ୟକ୍ତି ପାପ ଯୁକ୍ତ ଅଟେ । ସେ ସମାଜରେ ସମ୍ମାନିତ ନୁହେଁ । ଏପରି କହିବା ଦ୍ୱାରା ସେ ସୂଚାଇ ଦିଅନ୍ତି ଯେ ରାଜାଙ୍କ ଆଚରଣ ଦ୍ୱାରା ପ୍ରଜାମାନେ ପ୍ରଭାବିତ । ରାଜା ଯେମିତି ଆଚରଣ କରିବେ, ପ୍ରଜାମାନେ ତାହାକୁ ଅନୁସରଣ କରିବେ । ଏଥିପାଇଁ ରାଜା ପ୍ରଜାଙ୍କ ପାଇଁ କିଛି କହିବା ପୂର୍ବରୁ ପ୍ରଥମେ ନିଜକୁ ବିଚାରି ଏବଂ ନିଜଠି ପ୍ରୟୋଗ କରି ଦେଖୁ । ମହାତ୍ମାଗାନ୍ଧି ରାମରାଜ୍ୟର ଭୁରି ଭୁରି ପ୍ରଶଂସା କରିଛନ୍ତି ଏବଂ ଏହାକୁ ଆପଣେଇବାରେ ଅଭିଳାଷ ପ୍ରକାଶ କରିଛନ୍ତି । ରାମରାଜ୍ୟକୁ ଆପଣେଇବାରେ ତାଙ୍କ ପାଇଁ ଦୁଇଟିକଥା ଥିଲା । ପ୍ରଥମତଃ ଦେଶର ଶାସକ ଏବଂ ପଦାଧିକାରୀମାନେ ରାମଙ୍କ ପରି ଆଦର୍ଶ ତଥା ମର୍ଯ୍ୟଦା ସମ୍ପର୍ଣ୍ଣ ପୁରୁଷୋତ୍ତମ ହେବା ଜରୁରୀ । ଏମାନେ ନିଜର ସ୍ୱାର୍ଥପାଇଁ ଲିପ୍ତ ନହୋଇ ଯେମିତି ଜନତାର ହିତର ଲାଗନ୍ତି । ଦ୍ୱିତୀୟଟି ହେଲା ଦେଶର ଜନତା ଏପରି ସୁଖୀ ଓ ଉଲ୍ଲସିତ ହେବା ଉଚିତ୍ ଯେମିତି ରାମ ରାଜ୍ୟରେ ଥିଲା । ବାଲ୍ମିକୀ ତାଙ୍କ ରାମାୟଣରେ ପ୍ରଜାମାନଙ୍କ ସୁଖ ସମୃଦ୍ଧିରେ ନେଇ ଲେଖିଛନ୍ତି – ଏଠାରେ ସମୟାନୁସାରେ ବର୍ଷାଥିଲା, ସଦା ସନ୍ତତ ଆନନ୍ଦ ପ୍ରଦାନକାରୀ ପବନ ବହୁଥିଲା; ସହର ଓ ଗାଁ ଗଣ୍ଡାରେ ହୃଷ୍ଟପୁଷ୍ଟ ମଣିଷମାନେ ବାସ କରୁଥିଲେ; କାହାର ଅସାମୟିକ ମୃତ୍ୟୁ ନଥିଲା; କେହି ବି କୌଣସି ପ୍ରକାର ରୋଗର ପୀଡ଼ିତ ନଥିଲେ । କେହି କାହାକୁ ଦୁଃଖ ଦେଉନଥିଲେ, ଚାରିଜାତି ମଧ୍ୟରେ କେହି ଲୋଭୀ ବା କୃପଣ ନଥିଲେ; ସମସ୍ତେ ନିଜ ନିଜ ବୃତ୍ତିରେ କାମକରି ସନ୍ତୁଷ୍ଟ ଥିଲେ । ପ୍ରଜାମାନେ ଧର୍ମ ପରାୟଣ ଥିଲେ । କେହି ବି ମିଛ କହୁନଥିଲେ । ଚୋରି, ଡକାୟତି କି ଖଣ୍ଟଗିରି ନଥିଲା । ବାଲ୍ମିକୀ ତାଙ୍କ ରାମାୟଣରେ ଅରାଜକ ରାଜ୍ୟମାନଙ୍କର ନିନ୍ଦା କରିଛନ୍ତି । ତାଙ୍କ ମତରେ ଅରାଜକ ରାଜ୍ୟର ଦଶା ଏମିତି ହୁଏ ଯେମିତି ଜଳରହିତ ନଦୀ, ବୃକ୍ଷହୀନ ବନ; ଗଉଡ଼ ବିହୀନ ଧେନୁଗୋଠ । ଅରାଜକ ରାଜ୍ୟରେ କେହି ଆପଣାର ନୁହଁନ୍ତି । ଏଠି ମାଛ ମାଛକୁ ଖାଇଲପାରି ମଣିଷ ମଣିଷକୁ ଖାଇଯାଏ ବା ଶୋଷଣ କରି ଚାଲିଥାଏ । ରାମରାଜ୍ୟର ରାଜାପାଇଁ ବହୁତ ଉତ୍ତରଦାୟିତ୍ୱ ବୋଝ ମୁଣ୍ଡାଇବାକୁ ପଡ଼େ । ଅଯୋଧ୍ୟା କାଣ୍ଡରେ ଦଶରଥ ରାମଙ୍କୁ ଉପଦେଶ ଛଳରେ କୁହନ୍ତି : ବାବୁରେ ଯଦି ତୁମେ ରାଜଗୁଣ ଯୁକ୍ତ ଥାଅ, ତଥାପି ସ୍ନେହବଶତଃ କିଛି ଉପଦେଶ ମୁଁ ତୁମକୁ ଦେଉଛି । ଏଗୁଡ଼ିକୁ ଧ୍ୟାନ ଦେବ । : ତୁମେ ଆହୁରି ଅଧିକ ବିନୟୀ ହୁଅ; ଜିତେନ୍ଦ୍ରିୟହୁଅ; କାମ ଏବଂ କ୍ରୋଧରୁ ମୁକ୍ତ ରୁହ, ଦୂତ୍ୟାତିଦ୍ୱାରା ପରୋକ୍ଷଭାବରେ ପ୍ରଜାମାନଙ୍କର ସୁଖ-ଦୁଃଖର ସତ୍ୟା ସତ୍ୟ ବୁଝ; ରାଜ କର୍ମଚାରୀ ତଥା ପ୍ରଜାମାନଙ୍କୁ ଯଥାର୍ଥ ନ୍ୟାୟ ଦେଇ ସେମାନଙ୍କୁ ପ୍ରସନ୍ନ ରଖ । ପ୍ରଜାଙ୍କୁ ପ୍ରେମକର; ପ୍ରଜାଙ୍କୁ ମିତ୍ର ସ୍ୱରୂପ ଦେଖ; ଆନନ୍ଦ ଦିଅ ଏବଂ ଆନନ୍ଦ ରୁହ । … ରାଜା ବୁଦ୍ଧ, ବିଦ୍ୱାନ ଏବଂ ଚରିତ୍ରବାନ ବ୍ୟକ୍ତିମାନଙ୍କର ପ୍ରଶଂସା ଓ ଆଦର କରିବା ଉଚିତ୍ । ରାଜ ଦୈନିକ ଏବଂ ଅନୁଶାସିତ ଜୀବନ ବିତାଇବା ଆବଶ୍ୟକ ତଥା ବ୍ୟସନ ଏବଂ ମନ୍ଦ ପ୍ରବୃତ୍ତିକୁ ନିଜଠୁ ଦୂରେଇ ରଖିବା ଉଚିତ୍ । ରାମାୟଣ ଯୁଗରେ ଅଚ୍ୟାଚାରୀ ଶାସକମାନଙ୍କର ସ୍ଥାନ ନଥିଲା । ଏମିତି ରାଜାଙ୍କୁ ରାଜ୍ୟରୁ ବିତାଡ଼ିତ କରାଯାଉଥିଲା ଅଥବା ସେମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉଥିଲା । ଦୃଷ୍ଟ୍ରାନ୍ତ ସ୍ୱରୂପ ରାଜ ସଗର ନିଜର ଜ୍ୟେଷ୍ଠ ପୁତ୍ର ‘ଅସମଂଜସ’କୁ ଅପରାଗତା କାରଣରୁ ନିଜ ରାଜ୍ୟରୁ ବିତାଡ଼ିତ କରିଥିଲେ । ‘ବେନ’ ନାମଧ୍ୟେୟ ଆଉଜଣେ ରାଜାଙ୍କୁ ମୁତ୍ୟୁଦଣ୍ଡ ମଧ୍ୟ ଦିଆଯାଇଥିଲା । ରାମ ରାଜ୍ୟରେ ଆଧୁନିକ ଯୁଗର ସଂସଦପରି ସଂସଦର ଉଲ୍ଲେଖଅଛି । ସଂସଦର ସଭ୍ୟମାନଙ୍କୁ ଆର୍ଯ୍ୟଗଣ, ଆର୍ଯ୍ୟମିତ୍ର ତଥା ସଭାସଦ ଇତ୍ୟାଦି ଆଦର ସୂଚକ ପଦଦ୍ୱାରା ସଂବୋଧିତ କରାଯାଉଥିଲା । ସଂସଦରେ ପ୍ରତିଷ୍ଠିିତ ବ୍ରାହ୍ମଣ ଓ କ୍ଷେତ୍ରିୟ ମନ୍ତ୍ରୀମାନଙ୍କ ବ୍ୟତୀତ, ଶୁଦ୍ର, କୃଷକ ଏବଂ ଅନ୍ୟାନ୍ୟ ନଗର ବାସୀମାନେ ପ୍ରତି ନିଧିତ୍ୱ କରୁଥିଲ । ଆବଶ୍ୟକମତେ. ବିଶେଷ ଅବସରରେ ସଂସଦକୁ ଆହୂତ କରାଯାଉଥିଲା । ଏହି ବିଶେଷ ଅବସରଗୁଡ଼ିକ ହେଲା ଯୁବରାଜଙ୍କ ଅଭିଷେକ, ଯୁଦ୍ଧ ଓ ଶାନ୍ତି ଇତ୍ୟାଦି ନିର୍ଣ୍ଣୟ ତଥା ସମ୍ରାଟଙ୍କର ଉତ୍ତରାଧିକାରୀ ଚୟନ ବା ନିର୍ବାଚନ ଇତ୍ୟାଦି । ସଂସଦର ସଦସ୍ୟମାନଙ୍କୁ ତାଙ୍କ ମତବ୍ୟକ୍ତ ପାଇଁ ପୂର୍ଣ୍ଣ ସ୍ୱାଧୀନତା ଦିଆଯାଉଥିଲା । ସଂସଦର ନିଷ୍ପତ୍ତିହିଁ ଆଇନ । ରାଜା ଦଶରଥଙ୍କ ବୃଦ୍ଧାବସ୍ଥା କାରଣରୁ ରାଜ୍ୟଭାର ହସ୍ତାନ୍ତର ପାଇଁ ସଂସଦର ନିଷ୍ପତ୍ତି ପାଇଁ ଏହାକୁ ଆହୂତ କରିଥିଲେ । ଯଦିଓ ରାମ ରାଜା ହୁଅନ୍ତୁ ବୋଲି ସେ ଚାହିଁଥିଲେ, ତଥାପି ସଂସଦର ସମର୍ଥନ ପାଇଁ ସେ ଏହିପରି କହିଥିଲେ – ପରାକ୍ରମରେ ଇନ୍ଦ୍ରଙ୍କ ସମାନ ଏବଂ ଶୁତ୍ରୁଙ୍କ ଉପରେ ବିଜୟ ପ୍ରାପ୍ତି କରିବା ସାମର୍ଥ୍ୟ, ମୋ ଜ୍ୟେଷ୍ଠ ପୁତ୍ର ରାମର ଅଛି, ଯିଏ ସର୍ବଗୁଣ ସଂପର୍ଣ୍ଣ, ମୋ ମତରେ, ସିଏ ସିଦ୍ଧ । ସେ ଚନ୍ଦ୍ରମାଙ୍କ ପରି ଜଣେ ଶ୍ରେଷ୍ଠ ପ୍ରଜାପାଳକ ହେବାର ସମ୍ଭାବନା ଅଛି; ଏହିପରି ପୁରୁଷ ଶ୍ରେଷ୍ଠଙ୍କୁ ଯୁବରାଜ ପଦରେ ଅଭିଶିପ୍ତ କରିବାକୁ ଚାହୁଁଅଛି । ଯଦି ମୋ ନିର୍ଣ୍ଣୟ ଆପଣମାନଙ୍କ ପାଇଁ ଅନୁକୁଳ ଏବଂ ସିଦ୍ଧ ହୁଏ, ତେବେ ଏଥି ନିମନ୍ତେ ଆପଣମାନେ ମୋତେ ଅନୁମତି ଦିଅନ୍ତୁ । ସେ ପୁଣି କହିଲେ : ମୁଁ ଏକଥା ରାଜା ଦଶରଥ କହୁଛି ବୋଲି ଆପଣମାନେ ଭୟ ବା ଭକ୍ତିରେ ସମ୍ମତି ନଦିଅନ୍ତୁ । ଯାହାଦେବେ ଆନ୍ତରିକତାର ସହ ଦିଅନ୍ତୁ । ଏହାପରେ ସର୍ବସମ୍ମତି ପ୍ରସ୍ତାବଟିଏ ଆସିଲା ଏବଂ ରାମ ରାଜା ହେବାର ସ୍ଥିର ହେଲା । ରାଜା ନିଜର ଦୈନିକ ଶାସନ ଅମାତ୍ୟ ବା ମନ୍ତ୍ରୀମାନଙ୍କର ମନ୍ତ୍ରଣା ଏବଂ ସହାୟତାରେ କରୁଥିଲେ । ରାମାୟଣରେ ରାମଚନ୍ଦ୍ରଙ୍କର ଅଷ୍ଟମନ୍ତ୍ରୀଙ୍କ ପଦବୀ ଉଲ୍ଲେଖ ଅଛି । ଏମାନେ ସବୁ ଗୋଟିଏ ଗୋଟିଏ ମହାତ୍ମା, ଧର୍ନୁଦେବତା, ଦୃଢ଼ ବିକ୍ରମଶାଳୀ, କିର୍ତ୍ତିମାନ, ସାବଧାନ ଚେତା, ତେଜସ୍ୱୀ, କ୍ଷମାଶୀଳ, ଯଶସ୍ୱୀ, ଇନ୍ଦ୍ରିୟଜିତ, ସତ୍ୟବାଦୀ ଏବଂ ମିଷ୍ଟବାଦୀ ଅଟନ୍ତି । ଦରକାର ପଡ଼ିଲେ ଏମାନେ ବିଚାରରେ ନିଜ ପୁତ୍ରମାନଙ୍କୁ ଦଣ୍ଡ ଦେଉଥିଲେ । ଅମାତ୍ୟମାନଙ୍କ ଶ୍ରେଣୀରେ ଏମାନେ ହେଲେ ଧୃଷ୍ଟି, ଜୟନ୍ତ, ବିଜୟ, ସୁରାଷ୍ଟ, ରାଷ୍ଟ୍ରବର୍ଦ୍ଧନ, ପ୍ରକୋପ, ଧର୍ମପାଳ ଏବଂ ସୁମନ୍ତ ବିଶିଷ୍ଟ ଯିଏ ରାଜ ପୁରୋହିତ ଓ ପ୍ରଧାନମନ୍ତ୍ରୀ ଥିଲେ । ତାଙ୍କ ନିର୍ଦ୍ଦେଶନାରେ ସବୁକିଛି ଚାଲିଥିଲା । ବିଚାରପତ଼ି ବା ନ୍ୟାୟାଧୀଶଙ୍କୁ ଧର୍ମପାଳ କୁହାଯାଉଥିଲା । ସେ ପର୍ଯ୍ୟାପ୍ତ ତଦନ୍ତ ଏବଂ ବିଚାର ବିମର୍ଷପରେ ନ୍ୟାୟ ଶୁଣାଉଥିଲେ । ତେବେ ଅନ୍ତିମ ନିର୍ଣ୍ଣୟ ସମ୍ରାଟଙ୍କ ଉପରେ ନ୍ୟସ୍ତ ଥିଲ । ସେ ରାଜକ୍ଷମା ଦେଇପାରୁଥିଲେ । ତାଙ୍କ ଆସନକୁ ଧର୍ମାସନ କୁହାଯାଉଥିଲା । ରାମ ରାଜ୍ୟରେ ଅପରାଧ ବା ଅସାମାଜିକ କାର୍ଯ୍ୟର ଶିକାର ହେବାର ଭୟ ନଥିଲା । ଲୋକେ ସର୍ବତ୍ର ସ୍ୱଚ୍ଛନ୍ଦ ଓ ନିର୍ଭୟରେ ଚଳାଚଳ କରୁଥିଲେ । ରାମରାଜ୍ୟରେ ଗୁପ୍ତଚର ବିଭାଗ ମଧ୍ୟ ଥିଲା । ଏମାନେ ଗୁପ୍ତ ତଥ୍ୟ ଯୋଗାଣ ସହ ଦେଖୁଥିଲେ ଯେ କାଳେ ଦେଶର ଆଇନ କାନୁନ୍ ଠିକ୍ ଚାଲିଛି କି ନାଁ? ପ୍ରଜାମାନେ ଠିକ୍ ନ୍ୟାୟ ପାଉଛନ୍ତି କି ନାଁ । ରାଜା ଏବଂ ଚରମାନଙ୍କ ମଧ୍ୟରେ ନିୟମିତ ସଂପର୍କ ଥିଲା । ରାଜା ନିଜେବି ଛଦ୍ମବେଶୀ ଚରଥିଲେ । ରାମରାଜ୍ୟରେ ପ୍ରତ୍ୟେକ ବ୍ୟକ୍ତିର ପ୍ରତିଟି କ୍ଷେତ୍ରରେ ଅଭିବ୍ୟକ୍ତିର ସ୍ୱାଧୀନତା ଓ ଅଧିକାର ଥିଲା । କୋଉଟିପା କି ଟିପ୍ପଣୀ ପାଇଁ ଦଣ୍ଡ କି ପ୍ରଶଂସା ନଥିଲା । ଥରେ ରାଜା ରାମ ନିଜର ସଭାଷଦଙ୍କୁ କହିଥିଲେ ଯଦି ମୁଁ ଅନୀତି କଥା କୁହେ, ତେବେ ମୋତେ ନିର୍ଭୟ ହୋଇ ଅଟକାଇ ଦିଅ; ତେବେ ଅନୁଶାସନ ମାନିବା ସମସ୍ତ ପ୍ରଜାଙ୍କ କର୍ତ୍ତବ୍ୟ ଅଟେ । ଅନୁଶାସନରେ ତୃଟି ଦେଖିଲେ ନ୍ୟାୟ ସଙ୍ଗତ ବିରୋଧକର । ଏମିତିକି ହରତାଳ କର । ଏହିପରି ଦୃଷ୍ଟ୍ରାନ୍ତ କୈକେୟୀଙ୍କର ନୀତି ବିରୁଦ୍ଧରେ ହୋଇଛି ଯେତେବେଳେ ସେ ଭରତଙ୍କୁ ରାଜା ଏବଂ ରାମଙ୍କୁ ୧୪ବର୍ଷ ବନବାସ ପାଇଁ ଅଡ଼ି ବସିଲେ । ଏହା ଅନ୍ୟାୟ ବୋଲି ପ୍ରଜାମାନେ ହରତାଳ କଲେ । ରାମରାଜ୍ୟରେ ରାଜା ସଦାଚାରୀ, ପବିତ୍ର ଏବଂ ସର୍ବତ୍ୟାଗୀ ଥିଲେ । ରାମଚନ୍ଦ୍ର ନିଜେ ଏହାର ଉଦାହରଣ । ସୀତାହରଣ କାରଣରୁ ତାଙ୍କ ଚରିତ୍ର ଉପରେ ପ୍ରଜାମାନେ ସନ୍ଦେହ ପ୍ରକଟ କରିବାରୁ, କାଳେ ଏହାର ପ୍ରଭାବ ପ୍ରଜାଙ୍କ ଉପରେ ପଡ଼ିବ, ତେଣୁ ସେ ପ୍ରାଣସମା ସୀତାଙ୍କୁ ତ୍ୟାଗ କଲେ । ରାମଚନ୍ଦ୍ରଙ୍କର ସୀତାଙ୍କ ଚରିତ୍ରପ୍ରତି ବିଶ୍ୱାସ ଥିଲେବି ପ୍ରଶ୍ନ ଥିଲା ପ୍ରଜାମାନଙ୍କ ବିଶ୍ୱାସ ଏବଂ ସେଥିପାଇଁ ସେ ତାଙ୍କ ବ୍ୟକ୍ତିଗତ ସ୍ୱାର୍ଥକୁ ଜଳାଞ୍ଜଳି ଦେଲେ । ଏଥିନେଇ ବାଲ୍ମିକୀ ନିଜେ ରାମଙ୍କ ଉପରେ କ୍ଷୁବ୍ଧ ଥିଲେ ହେଁ, ରାମ ତାଙ୍କ ନୀତିରେ ଅଟଳ ଥିଲେ । ପ୍ରଜାଙ୍କ ବ୍ୟତୀତ ପ୍ରକୃତି, ପରିବେଶ ଓ ତା’ର ଜୀବଜନ୍ତୁ ପ୍ରତି ରାମଙ୍କର ଥିଲା ଅନୁକୂଳ ମନୋଭାବ । ବୃକ୍ଷ ଛେଦନ ଅପେକ୍ଷା ଜଙ୍ଗଲ ସୃଷ୍ଟି, ଓøଷଧୀୟ ଉଦ୍ୟାନ, ଜୀବଜନ୍ତୁ ଓ ସେବକପ୍ରତି ଯଥୋଚିତ ବ୍ୟବହାରରେ ସେବି ନ୍ୟୁନ ନଥିଲେ । ରାମଙ୍କ ପୂର୍ବରୁ ମଧ୍ୟ ସୁଶାସନ ଥିଲା ବୋଲି ବାଲ୍ମିକୀ ରାମାୟଣରୁ ପରିଚୟ ମିଳେ । ମାତ୍ର ରାମଙ୍କ ସମୟର ସୁ-ଶାସନ ଚରମ ସୀମାରେ ପହଞ୍ôଚଥିବାରୁ, ତାଙ୍କ ଶାସନକୁ ରାମରାଜ୍ୟ ବୋଲି ଅଭିହିତ କରାଯାଇଛି । ଅନ୍ୟଅର୍ଥରେ କହିଲେ ‘ରାମ’ ଶବ୍ଦଟି ଶାନ୍ତିକୁ ବୁଝାଏ । ଯେଉଁ ଶାସନରେ ପ୍ରଜା ବା ଶାସିତମାନେ ଶାନ୍ତିରେ ଓ ନିର୍ଭୟରେ ଜୀବନଯାପନ କରନ୍ତି, ସେ ପ୍ରକାର ଶାସନକୁ ରାମରାଜ୍ୟ କୁହାଯାଏ । ରାମ ରାଜ୍ୟ କଥା ଚିନ୍ତାକଲେ ସ୍ୱତଃ ମନକୁ ଆସେ; କାହିଁ ରାମଚନ୍ଦ୍ର ଏବଂ କାହିଁ ଆମେ ରାମ ଭଣ୍ଡାରୀ । ସତରେ ଆଉ କ’ଣ ରାମ ଜନ୍ମିବେ ନାହିଁ? ରାମ ରାଜ୍ୟର ଆରମ୍ଭ ଯୋଉଠିଥିଲା, କ’ଣ ସେଇଠି ସରିଗଲା?
ବିପିନ ବିହାରୀ ମହାନ୍ତି
ଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ଜଟଣୀ
ଦୂରଭାଷ : ୯୯୩୮୩୪୪୧୩୮