ରାମଲିଙ୍ଗମ ପୋଖରୀ ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ଶୀଥିଳତା
ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ):ରାମଲିଙ୍ଗମ ପୋଖରୀ ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ଶୀଥିଳତା ଦେଖାଦେଇଥିବା ବେଳେ ଏବେ ଏହାର ମଧ୍ୟଭାଗରେ ୩୦ ଫୁଟ ଉଚତା ବିଶିଷ୍ଟ ଏକ ଶିବ ଲିଙ୍ଗ ସ୍ଥାପନ ହେବାକୁ ଯାଉଛି । ଯାହାର ଦୈର୍ଘ୍ୟ ୨୨ଫୁଟ ଏବଂ ପ୍ରସ୍ତ ୨୦ଫୁଟ ରହିବ ।ଏଥିପାଇଁ ମୋଟ ୧୫ ଲକ୍ଷ ଟଙ୍କାର ବ୍ୟୟ ବରାଦ ହେଇଛି।ମାସକ ମଧ୍ୟରେ ଏହାକୁ ସ୍ଥାପନ କରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଛି । ଅନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ଶିଳ୍ପୀ ରାଜ କୁମାରଙ୍କୁ ଏହି ପ୍ରତିମୂର୍ତ୍ତି ନିର୍ମାଣ ଦାଇତ୍ୱ ଦିଆଯାଇଛି । ସେହିପରି ୫ଫୁଟ ଉଚ୍ଚତା ରେ ବାଘମୁଣ୍ଡ ଉପରେ ଧ୍ୟାନମୁଦ୍ରା ରେ ଥିବା ମହାଦେବ ଙ୍କ ପ୍ରତିମୂର୍ତ୍ତି ଗ୍ଲାସଫାଇବରରେ ନିର୍ମିତ ହୋଇ ସହରର ଉତ୍ତର ମୁଖରେ ସ୍ଥାପନ କରାଯିବ ବୋଲି ମଧ୍ୟ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି।୫ମାସ ମଧ୍ୟରେ ଏହି ପ୍ରତିମୂର୍ତ୍ତି ସ୍ଥାପନ କରାଯିବା ନିମନ୍ତେ ଚୁକ୍ତି ହୋଇଥିବା ବେଳେ ଏହାମଧ୍ୟରେ ଦୁଇ ମାସ ଅତିକ୍ରମ ହୋଇସାରିଛି । ଅନ୍ୟପଟେ ପୋଖରୀ ମଧ୍ୟରେ ମହାଦେବ ମୂର୍ତ୍ତି ସ୍ଥାପନ ପାଇଁ ଆବଶ୍ୟକ ଆନୁଷଙ୍ଗିକ କାର୍ଯ୍ୟ ଜାରିରହିଛି ।ପୂର୍ବରୁ ପୋଖରୀ ସୌନ୍ଦର୍ଯ୍ୟକରଣ ବେଳେ ଉକ୍ତ ପ୍ରତିମୂର୍ତ୍ତି ସ୍ଥାପନ ନେଇ ଡିପିଆର ପ୍ରସ୍ତୁତ ହୋଇନଥିବା ବେଳେ ବ୍ରହ୍ମପୁର କମିଶନର ଚକ୍ରବର୍ତ୍ତି ସିଂ ରାଠୋରଙ୍କ ତତ୍ୱାବଧାନରେ ଏହି ଯୋଜନା କାର୍ଯ୍ୟକାରୀ ହେଉଛି । ୨୦୧୫ ଜୁନ ମାସରେ ବ୍ରହ୍ମପୁର ସହର ମଧ୍ୟସ୍ଥଳରେ ଥିବା ରାମଲିଙ୍ଗମ ପୋଖରୀ ସୌନ୍ଦର୍ଯ୍ୟକରଣ ପାଇଁ ରୂପରେଖା ପ୍ରସ୍ତୁତ ହୋଇଥିଲା । ୨୦୧୬ ଫେବୃଆରୀ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିବା ପରେ ୨୦୧୭ ଜୁଲାଇ ରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରଥମ ପର୍ଯ୍ୟାୟ ରେ ୮କୋଟି ୭ ଲକ୍ଷ ଟଙ୍କାର ଅନୁଦାନ ଆସି କାର୍ଯ୍ୟ ଆରମ୍ଭ ହୋଇଥିଲା । ଏକ ବର୍ଷ ମଧ୍ୟରେ କାର୍ଯ୍ୟ ସମାପନ କରାଯିବା ନେଇ ନିର୍ଦ୍ଧେଶନାମା ରହିଥିଲେ ମଧ୍ୟ୍ୟ କାର୍ଯ୍ୟରେ ଶୀଥିଳତା ଦେଖାଦେଇଥିଲା । ଦ୍ୱିତୀୟ ପର୍ଯ୍ୟାୟ ରେ ଆଉ ୩.୯୮କୋଟି ଟଙ୍କାର ଅନୁଦାନ ମିଳିଛି । ପ୍ରାୟ ୧୨ କୋଟି ଟଙ୍କା ବ୍ୟୟରେ ନିର୍ମାଣଧିନ ରାମଲିଙ୍ଗମ ପୋଖରୀର ପୁନଃରୁଦ୍ଧାର, ପୋଖରୀ ଚତୁଃପାର୍ଶ୍ୱରେ ପାଚେରୀ, ଘାଟ, ପାଦଚଲାରାସ୍ତା, ପାଚେରୀ ସୌନ୍ଦର୍ଯ୍ୟକରଣ, ପୋଖରୀ ମଧ୍ୟସ୍ଥଳୀ ରେ ଆଲୋକୀକରଣ, ଫ୍ଲୋଟିଂ ଜେଟି, ଫାଉଣ୍ଟେନ ସହିତ ଚାରିପଟ ସୌନ୍ଦର୍ଯ୍ୟକରଣ, ପାଚେରୀ ଚାରିପଟେ ୫ଫୁଟରେ ପାର୍କିଂ ବ୍ୟବସ୍ଥା ପାଇଁ ଯୋଜନା ରହିଛି । ତେବେ ଦୀର୍ଘ ୪ବର୍ଷ ମଧ୍ୟରେ ଏହା ସମ୍ପୂର୍ଣ ହୋଇପାରିନାହିଁ ।