ରାମହରି ମିଶ୍ରଙ୍କ ସ୍ମୃତି ରକ୍ଷା ପାଇଁ ନିଆଯିବ ପଦକ୍ଷେପ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ) : ସତ୍ୟ, ନିରପେକ୍ଷ, ଅନୁସନ୍ଧାନମୂଳକ ତଥା ସୁସ୍ଥ ସାମ୍ବାଦିକତା ଜଗତର ଉଜ୍ଜ୍ୱଳତମ ନକ୍ଷତ୍ର ଥିଲେ ଯଶସ୍ୱୀ ସାମ୍ବାଦିକ ରାମହରି ମିଶ୍ର । ଯୁବପିଢୀର ସାମ୍ବାଦିକମାନଙ୍କ ପାଇଁ ସେ ସର୍ବଦା ଆଦର୍ଶ ଓ ପ୍ରେରଣା ଉତ୍ସ ହୋଇ ରହିବେ । ତାଙ୍କର ସ୍ଥାୟୀ ସ୍ମୃତିରକ୍ଷା ପାଇଁ ସମସ୍ତଙ୍କ ସହଯୋଗରେ ଓଡ଼ିଶା ପ୍ରେସ୍ ଏକାଡ଼େମୀ ପକ୍ଷରୁ ପଦକ୍ଷେପ ନିଆଯିବା ଦରକାର ବୋଲି ବହୁ ବିଶିଷ୍ଟ ବକ୍ତା ମତବ୍ୟକ୍ତ କରିଛନ୍ତି ।ବର୍ଷିୟାନ ସାମ୍ବାଦିକ ତଥା ଓଡ଼ିଶା ସାମ୍ବାଦିକତା ଜଗତର ଭୀଷ୍ମ ପିତାମହ ରାମହରି ମିଶ୍ରଙ୍କ ଏକାଦଶାହ ଉପଲକ୍ଷେ ମଙ୍ଗଳବାର ପୂର୍ବାହ୍ନରେ ଓଡ଼ିଶା ପ୍ରେସ୍ ଏକାଡ଼େମୀ ଆନୁକୂଲ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ବରିଷ୍ଠ ସାମ୍ବାଦିକ ତଥା ସ୍ୱର୍ଗତ ମିଶ୍ରଙ୍କ ଘନିଷ୍ଠ ସହଯୋଗୀ ବିଶ୍ୱନାଥ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍ୱର୍ଗତ ମିଶ୍ରଙ୍କ ଦୀର୍ଘ ଛଅ ଦଶନ୍ଧିରୁ ଉଦ୍ଧ୍ୱର୍ କାଳ ଧରି ଚଳାଇଥିବା ଉଚ୍ଚକୋଟୀର ସାମ୍ବାଦିକତା, ଯୁବ ସାମ୍ବାଦିକମାନଙ୍କୁ ଠିକଣା ମାର୍ଗଦର୍ଶନ, ମଣିଷ ପଣିଆରେ ସମସ୍ତଙ୍କୁ ଭଲ ପାଇବା ଓ ବାନ୍ଧି ରଖିବାର ମନୋଭାବ ଏବଂ ଆଦର୍ଶ ଗୁଣାବଳୀ ଉପରେ ବକ୍ତାମାନେ ଆଲୋକପାତ କିରବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଓଡ଼ିଆ ସଂସ୍କୃତି ଓ ବିଶିଷ୍ଟ ବେଦ ବିଶେଷଜ୍ଞ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ବରିଷ୍ଠ ସାମ୍ବାଦିକ ହଳଧର ଧୀର୍, ବୈଷ୍ଣବ ଚରଣ ଜେନା, ରମେଶ ଚନ୍ଦ୍ର ସ୍ୱାଇଁ, ସଞ୍ଜୟ ପ୍ରଧାନ, ବିବେକାନନ୍ଦ ଜେନା, ବିଜୟ ପଣ୍ଡା, ବିମଳ ଭଞ୍ଜଦେଓ, ମାଧବାନନ୍ଦ ବେହୁରା, ଦେବକାନ୍ତ ମହାପାତ୍ର, ଅବିନାଶ ମିଶ୍ର, ବଳରାମ ନନ୍ଦ, ସନାତନ ଦଳବେହେରା, ସୁଶାନ୍ତ ପଣ୍ଡା, ଶୁଭେନ୍ଦୁ କାନୁନ୍ଗୋ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ମିଶ୍ରଙ୍କ ବହୁମୁଖୀ ପ୍ରତିଭା ଓ ଅବଦାନ ସମ୍ପର୍କରେ ସ୍ମତି·ରଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।