ରାଷ୍ଟ୍ରପତିଙ୍କ ସହିଦ ସ୍ମାରକୀର ଶିଳାନ୍ୟାସ ପାଇକ ଜାତି ପାଇଁ ଶ୍ରେଷ୍ଠ ଉପହାର

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ) : ଦୀର୍ଘଦିନର ପ୍ରତୀକ୍ଷାର ଅନ୍ତ ଘଟାଇ ଆସନ୍ତା ୮ ତାରିଖରେ ଭାରତର ମହାମହୀମ ରାଷ୍ଟ୍ରପତି ଶ୍ରୀଯୁକ୍ତ ରାମନାଥ କୋବିନ୍ଦଙ୍କର ଐତିହାସିକ ବରୁଣେଇ ପୀଠରେ ପାଇକ ବିଦ୍ରୋହ ସହିଦ ସ୍ମାରକୀର ଶିଳାନ୍ୟାସ ଉତ୍ସବ ପାଇକ ଜାତି ପାଇଁ ଶ୍ରେଷ୍ଠ ଉପହାର ବୋଲି ନିଖିଳ ଓଡ଼ିଶା ପାଇକ ମହାସଂଘର ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ ପ୍ରକାଶ କରିଛନ୍ତି । ଆଜି ଏହି ଉପଲକ୍ଷେ ଖୋର୍ଦ୍ଧା ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ପ୍ରସ୍ତୁତି ବୈଠକରେ ପାଇକଗୁରୁ, ବିଭିନ୍ନ ଜିଲ୍ଲା ସଭାପତି, ଉପଦେଷ୍ଟା ମଣ୍ଡଳୀ ଯୋଗଦାନ କରିଥିଲେ । ଭାରତ ବର୍ଷର ପ୍ରଥମ ଇଂରେଜ ବିରୁଦ୍ଧ ସ୍ୱାଧୀନତା ସଂଗ୍ରାମ ଏହି ଲାଲ୍ ମାଟି ଖୋର୍ଦ୍ଧା ମାଟିରୁ ଆରମ୍ଭ ହୋଇଥିଲା, ଯେଉଁଥିରେ ବୀର ପାଇକମାନେ ନିଜ ଦେଶ, ମାଟି, ମାଆ ପାଇଁ ପ୍ରାଣବଳୀ ଦେଇଥିଲେ । ଯେଉଁ ମାଟି ସମଗ୍ର ବିଶ୍ୱକୁ ସଂଗ୍ରାମର ବାର୍ତ୍ତା ପ୍ରଦାନ କରେ, କେନ୍ଦ୍ର ସରକାରଙ୍କର ପାଇକ ବିଦ୍ରୋହକୁ ଅତି ଆଡ଼ମ୍ବରପୂର୍ଣ୍ଣ ଭାବରେ ୨୦୦ ବର୍ଷ ପୂର୍ତ୍ତି ପାଳନ ଓ ବରୁଣେଇଠାରେ ସ୍ମାରକୀ ନିର୍ମାଣ ପାଇଁ ଅହେତୁକ ଅର୍ଥରାଶି ଅନୁକମ୍ପା, ଓଡ଼ିଆ ପାଇକପୁଅ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱ ଓ ପରାକାଷ୍ଠାର ପଟ୍ଟାନ୍ତର ନାହିଁ । ସେହିପରି ରାଜ୍ୟସରକାର ଅକୁଣ୍ଠ ଚିତ୍ତରେ ଜମି ପ୍ରଦାନ ଓ ଉଚିତ୍ ପଦକ୍ଷେପ ମଧ୍ୟ ପ୍ରଶଂସନୀୟ । ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତିଙ୍କ ଓଡ଼ିଶା ଆଗମନ ଅବସରରେ ଏହାକୁ ସୁଚାରୂ ରୂପେ ସମ୍ପାଦନ କରିବା ସହିତ ଓଡ଼ିଶାର ୩୭୨ ପାଇକ ଆଖଡ଼ା ସଂଘର ଦଳପତି ଓ ଜିଲ୍ଲା ସଭାପତି କର୍ମକର୍ତ୍ତାମାନେ ସୁସଜ୍ଜିତ ପାଇକ ସମର ବେଶରେ ମହାମହୀମ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜ୍ଞାପନ କରିବେ । ଯେଉଁ ପାଇକ ପୁଅର ବଳିଦାନ ଆଜି ଇତିହାସ ପୃଷ୍ଠାରେ ସ୍ୱର୍ଣ୍ଣାକ୍ଷରରେ ସ୍ଥାନିତ, ସେହି ମହାନ୍ ସହିଦମାନଙ୍କୁ ସ୍ମାରକୀ ମାଧ୍ୟମରେ ସମ୍ମାନ ହେଉଛି ପାଇକ ପୁଅର ବଳିଦାନ ପ୍ରତି ଶ୍ରେଷ୍ଠ ସମ୍ମାନ । ପାଇକ ମହାସଂଘ ବାରମ୍ବାର ଦାବି କରି ଆସୁଥିବା ସେନାବାହିନୀରେ ‘ପାଇକ ରେଜିମେଣ୍ଟ’ ଗଠନ ଓଡ଼ିଶାର ପୁରାତନ ସମରକଳା ବା ପାଇକ ଆଖଡ଼ା ଯାହା ଓଡ଼ିଶାର ନିଜସ୍ୱ ସମରକଳା ତାହାର ସୁରକ୍ଷା, ପ୍ରଚାର ଓ ପ୍ରସାର ଦିଗରେ ପଦକ୍ଷେପ ନେବା ସହିତ ପାଇକ ଆଖଡ଼ାକୁ ରାଜ୍ୟ କ୍ରୀଡ଼ାର ମାନ୍ୟତା ଦେବା, ପ୍ରତ୍ୟେକ ସ୍କୁଲ୍ କଲେଜରେ ପାଇକ ଆଖଡ଼ା ଖୋଲି ଏହାକୁ ଏନ୍‌.ସି.ସି. ଓ ସ୍କାଉଟ୍ ଭଳି ମାନ୍ୟତା ଦେବା, ମାର୍ଚ୍ଚ ୨୯ ତାରିଖକୁ ଓଡ଼ିଶା ପାଇକ ଦିବସ ଭାବରେ ପାଳନ କରିବା, ପାଇକ ଏକାଡ଼େମୀ ଗଠନ ଏବଂ ପ୍ରତ୍ୟେକ ବର୍ଷ ପାଇକ ଆଖଡ଼ା ପ୍ରତିଯୋଗିତା କରିବା ଓ ପାଇକ ଆଖଡ଼ାକୁ ସଂସ୍କୃତି ବିଭାଗରୁ ପୁନରାୟ କ୍ରୀଡ଼ା ବିଭାଗକୁ ଆଣିବା, ପାଇକଗୁରୁ ମାନଙ୍କୁ ସ୍ୱତନ୍ତ୍ର ପାଇକ ଭତ୍ତା ପ୍ରଦାନ କରିବା ଦିଗରେ ମହାମହୀମ ରାଷ୍ଟ୍ରପତି ପଦକ୍ଷେପ ନେଲେ ଏ ଜାତି ଚିର କୃତଜ୍ଞ ମନେ କରିବ । ଆଜିର ଏହି ବୈଠକରେ ପାଇକ ବିଶାରଦ କେଦାର ଦାସ, ପାଇକଗୁରୁ ଭାସ୍କର ସୁନ୍ଦରାୟ, ବାଣପୁର ପାଇକ ସର୍ଦ୍ଦାର ରଞ୍ଜନ ବଳିୟାରସିଂହ, ପାଇକ ଜିନ୍ ଗବେଷକ ପ୍ରଫେସର ଗାୟନ ସାମଲ, ଦଳବେହେରା ମନୋରଞ୍ଜନ ପଶ୍ଚିମକବାଟ, କଟକ ସଭାପତି ରାଜକିଶୋର ବେହେରା, ବିଶିଷ୍ଟ ସ୍ତମ୍ଭକାର ଉପଦେଷ୍ଟା ବିଭୂତି ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ