ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଅଜିତଙ୍କୁ ଅଭିନନ୍ଦ ଜଣାଇଲେ ଜିଲ୍ଲାପାଳ
ଛତ୍ରପୁର, (ଦେବଦତ୍ତ ମହାରଣା):କଣମଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜିତ କୁମାର ସେଠୀ ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ଜାତୀୟ ସମ୍ମାନ ପାଇବା ପରେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ଶ୍ରୀ ସେଠୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ସେଠୀଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହିତ ବାଲ୍ୟବିବାହ ରୋକିବା, ଜିରୋ ଡ୍ରପ୍ ଆଉଟ ସହିତ ପିଲାଙ୍କୁ ଅଧିକ ବିଦ୍ୟାଳୟମୁଖୀ କରିବା ନିମନ୍ତେ ଗଞ୍ଜାମ ପ୍ରଶାସନ ଆରମ୍ଭ କରିଥିବା ‘ନିର୍ଭୟ କଢି’ କାର୍ଯ୍ୟକ୍ରମ ସଫଳତା ପାଇଁ ଶ୍ରୀ ସେଠୀଙ୍କ ଅବଦାନକୁ ପ୍ରଶଂସାକରିଥିଲେ ଓ ଜାତୀୟ ସମ୍ମାନ ପାଇଁ ଯୋଗ୍ୟ ବୋଲି କହିଥିଲେ । କିପରି ଆହୁରି ପିଲାଙ୍କ ପାଠ ପଢା ପାଇଁ ଗଞ୍ଜାମରେ ବ୍ୟବସ୍ଥା କରାଯାଇ ପାରିବ ଚିନ୍ତା କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ଛତ୍ରପୁର ସିଆର ସିସି ରୀତା ରଥ , ବଡ ଆର୍ଯ୍ୟପଲ୍ଲୀ ସରକାରୀ ବିଦ୍ୟାଳୟର ସହକାରୀ ଶିକ୍ଷକ ମନୋଜ କୁମାର ତ୍ରିପାଠୀ ଓ କରା ପଲ୍ଲୀ ସ୍କୁଲର ସହକାରୀ ଶିକ୍ଷକ ରବିନାରାୟଣ ବେହେରା ନିକଟରେ ଉପସ୍ଥିତ ଥିଲେ ।


