ରାଷ୍ଟ୍ରପିତା ମହାତ୍ମାଗାନ୍ଧୀଙ୍କ୭୬ତମ ବଳିଦାନ ଦିବସକୁ ପ୍ରାୟଶ୍ଚିତ ଓ ସଙ୍କଳ୍ପ ଦିବସ ରୂପେ ପାଳିତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଗାନ୍ଧିଜୀ ଥିଲେ ସତ୍ୟ,ଅହିଂସା, ସଂପ୍ରୀତି ଓ ଭାଇଚାରାର ପ୍ରତୀକ । ତାଙ୍କର ବିଚାର ଥିଲା ମାନବବାଦ ଉପରେ ପର୍ଯ୍ୟବେଶିତ ସର୍ବୋଚ ବୈଶ୍ୱିକ ଆଦର୍ଶ । ଗାନ୍ଧିଜୀ କେବଳ ଜଣେ ବ୍ୟକ୍ତି ନଥିଲେ ବରଂ ଏକ ବିଶାଳ ଅନୁଷ୍ଠାନ ଓ ବିଚାର । ସେହିପରି ଗାନ୍ଧିଜୀଙ୍କ ବିରୋଧରେ ଷଡଯନ୍ତ୍ର ରଚନା କରିଥିବା ଓ ତାଙ୍କୁ ହତ୍ୟା କରିଥିବା ଆତତାୟୀ କେବଳ ଜଣେ ବ୍ୟକ୍ତି ନଥିଲେ । ସେ ମଧ୍ୟ ଗୋଟିଏ ସାମ୍ପ୍ରଦାୟିକ ସଂଗଠନ ଓ ବିଚାରର ପ୍ରତିନିଧି ଥିଲା । ଗାନ୍ଧିଜୀଙ୍କ ହତ୍ୟା ଥିଲା ମାନବବାଦ ବିରୋଧରେ ସବୁ ଠାରୁ ବଡ ଷଡଯନ୍ତ୍ର । ଏବେ ସେହି ଷଡଯନ୍ତ୍ର ଅଧିକ ଗଭୀର ଓ ଶକ୍ତିଶାଳୀ ହେବାରେ ଲାଗିଛି । ଏହା ମାନବବାଦ ଓ ବିଶ୍ୱ ହିତ ପାଇଁ ଶୁଭଙ୍କର ନୁହେଁ । ଏହା ବିରୋଧରେ ଲଢିବା ପାଇଁ ଆମକୁ ସଙ୍କଳ୍ପବଦ୍ଧ ହେବାକୁ ପଡିବ । ରାଷ୍ଟ୍ରପିତାଙ୍କ ବଳିଦାନର ୭୫ବର୍ଷ ପୂର୍ତ୍ତି ଅବସରରେ ଗାନ୍ଧିବାଦୀ ମାନଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ରାଷ୍ଟ୍ରବ୍ୟାପି ପ୍ରାୟଶ୍ଚିତ ଓ ସଙ୍କଳ୍ପ ଅଭିଯାନର ଆରମ୍ଭ ଦିନରେ ଗାନ୍ଧୀଶାନ୍ତି ପ୍ରତିଷ୍ଠାନ କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଏହି ଅଭିଯାନର ଶୁଭାରମ୍ଭ କରାଯାଇଛି । ସଂଗଠନର ଜିଲ୍ଲା ଆବାହକ ଆଦିକନ୍ଦ ରାଉଳଙ୍କ ସଭାପତିତ୍ୱରେ ଜିଲ୍ଲା ବିକାଶ ସାମ୍ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ସଙ୍କଳ୍ପ ସଭାରେ ମୁଖ୍ୟ ଆଲୋଚକ ରୂପେ ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା ଓ ଅତିଥି ରୂପେ ଅଧ୍ୟାପକ ଅଜୟ ସାମଲ ଯୋଗଦେଇ ଏହି ଅଭିଯାନର ଶୁଭାରମ୍ଭ କରିବା ସହ ଏପରି କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଶୁଭାଂଶୁ ଦାସ, ଗାଳ୍ପିକା ଅବନ୍ତୀ ବେହେରା, ଆଇନଜୀବୀ ରମଣୀରଞ୍ଜନ ରାଉତରାୟ, ଗୟାଧର ଧଳ, ଭାଗୀରଥି ଜେନା, ଅଭିମନ୍ୟୁ ରାଉତ, କବିତା ମୁଦୁଲି, ଅଶୋକ ସାହୁ, ଶରତ ରାଉତ, ସ୍ୱପ୍ନାଂଶୁ ଦାସ, ଅମର ପ୍ରସାଦ ରାଉତ, ସୁରେଶ ପଟ୍ଟନାୟକ, ବୈଷ୍ଣବ ସ୍ୱାଇଁ, ଶ୍ରୀନିବାସ ପରିଡା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶୈଳଜାଶଙ୍କର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ଦୁଃଖଦ ବିୟୋଗରେ ୧ମିନିଟ ନୀରବ ଶ୍ରଦ୍ଧାର୍ପଣ କରାଯାଇଥିଲା ।


