ରାଷ୍ଟ୍ରବାଦୀ କବିତା ମହୋତ୍ସବ ଅନୁଷ୍ଠିତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ରାଷ୍ଟ୍ର ଏକ ରାଜନୈତିକ ଶଦ୍ଦ ନୁହେଁ ରାଷ୍ଟ୍ର ଏକ ସୃଜନଶୀଳତାର ମନ୍ତ୍ର । ରାଷ୍ଟ୍ରକୁ ବାଦ ଦେଇ ସୃଜନ କର୍ମର ପରିକଳ୍ପନା ଅସମ୍ଭବ ବୋଲି ବିଶିଷ୍ଟ କବି ତଥା ସ୍ତମ୍ବକାର ହର ପ୍ରସାଦ ଦାସ ମତବ୍ୟକ୍ତ କରିଛନ୍ତି । ସାମାଜିକ ସଂଗଠନ ‘ଜୟ ରାଷ୍ଟ୍ର’ ପକ୍ଷରୁ ଗୋପଛକସ୍ଥିତ କମଳ ଭବନରେ ଆୟୋଜିତ “ରାଷ୍ଟ୍ରବାଦୀ କବିତା ମହୋତ୍ସବ” କୁ ଉଦଘାଟନ କରି ହର ପ୍ରସାଦ ଦାସ ରାଷ୍ଟ୍ରବାଦ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରି କହିଲେ ସାମ୍ପ୍ରତିକ କବିତାରେ ଭାରତୀୟତାର ଅଭାବ ପରିଲିଖିତ ହେଉଛି । ତେବେ ଦୀର୍ଘଦିନର ନୀରବତା ପରେ ଏବେ ଭାରତରେ ରାଷ୍ଟ୍ରବାଦକୁ ନେଇ କାର୍ଯ୍ୟକ୍ରମ ମାନ ଆରମ୍ଭ ହେବା ଶୁଭ ସୂଚନା । ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ କବି ଜ୍ଞାନ ହୋତା ବାଲ୍ମୀକି ରାମାୟଣ ହିଁ ରାଷ୍ଟ୍ରବାଦର ପ୍ରଥମ ମହାକାବ୍ୟ ବୋଲି ମତବ୍ୟକ୍ତ କରିଥିଲେ । ମାତୃଦତ୍ତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡିଶାର ବିଭିନ୍ନ ପ୍ରାନ୍ତରୁ ୨୨ଜଣ କବି କବିତା ପାଠ କରିଥିଲେ । ଆକାଶବାଣୀ କଟକ କେନ୍ଦ୍ରର ଉଦ୍ଘୋଷିକା ଦିପ୍ତୀ ଦାଶ ଓ ରୀତା ରାୟ କବିତା ସଂଯୋଜନା କରିଥିବା ବେଳେ ସମାଜସେବୀ ଅକ୍ଷୟ କୁମାର ପାଣି ସ୍ୱାଗତ ଭାଷଣ ଓ ନବଜ୍ୟୋତି ରାୟ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ସୁଶାନ୍ତ ନାୟକ ଓ ରଞ୍ଜନ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । ବିଭିନ୍ନ ପର୍ଯ୍ୟାୟରେ ଡାକ୍ତର ବୀରେନ୍ଦ୍ର କୁମାର ଦାଶ, ଜ୍ୟୋତିରଞ୍ଜନ ନାୟକ, ପ୍ରଦୀପ କୁମାର ନାୟକ ପ୍ରମୁଖ ଅତିଥି କବିମାନଙ୍କୁ ଉତ୍ତରୀୟ, ଟ୍ରଫି ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।