ରାଷ୍ଟ୍ରମନ୍ତ୍ରୀଙ୍କ ଦ୍ୱାରା ପରିସଂଖ୍ୟାନ ଦିବସ ୨୦୧୯ ଉଦଘାଟିତ

ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ କେନ୍ଦ୍ର ପରିସଂଖ୍ୟାନ, କାର୍ଯ୍ୟକ୍ରମ ରୂପାୟନ ଓ ଯୋଜନା ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ରାଓ ଇନ୍ଦରଜିତ ସିଂଙ୍କ ଦ୍ୱାରା ପରିସଂଖ୍ୟାନ ଦିବସ ୨୦୧୯ ଉଦଘାଟିତ ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା ପରିଷଦର ଅଧ୍ୟକ୍ଷ ଏବଂ ଭାରତୀୟ ପରିସଂଖ୍ୟାନ ପ୍ରତିଷ୍ଠାନର ସଭାପତି ଡ. ବିବେକ ଦେବରୟ, ଭାରତର ମୁଖ୍ୟ ପରିସଂଖ୍ୟାନବିତ ତଥା ପରିସଂଖ୍ୟାନ, କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟର ସଚିବ ଶ୍ରୀ ପ୍ରବୀଣ ଶ୍ରୀବାସ୍ତବ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ତଥା ଅନ୍ୟାନ୍ୟ ଅଂଶୀଦାରମାନେ ମଧ୍ୟ ଉପସ୍ଥିତ ଥିଲେ ।
ପରିସଂଖ୍ୟାନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ପାଇଁ ପ୍ରଫେସର ସିଆର ରାଓ ପୁରସ୍କାର-୨୦୧୯ ବିଜେତା ଆଇଆଇଟି କାନପୁରର ଆସୋସିଏଟ ପ୍ରଫେସର ଡଃ ଶୁଭ୍ର ଶଙ୍କର ଧରଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ପରିସଂଖ୍ୟାନର ପ୍ରାସଙ୍ଗିକତା ଉପରେ ସର୍ବଭାରତୀୟ ସ୍ନାତୋକୋତର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ପ୍ରବନ୍ଧ ଲିଖନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟକୁ ନେଇ ଏକ କ୍ଷୁଦ୍ର ପ୍ରମାଣିକ ଚଳଚ୍ଚିତ୍ର ପ୍ରଦର୍ଶିତ କରାଯାଇଥିଲା । ଏଥିରେ ସାମଗ୍ରୀକ ବିକାଶ ପାଇଁ ସାମାଜିକ, ଅର୍ଥନୈତିକ ଏବଂ ପରିବେଶଗତ ଦିଗକୁ ସମନ୍ୱିତ କରିବା ପାଇଁ ଦେଶର ସଂକଳ୍ପକୁ ପ୍ରତିଫଳିତ କରାଯାଇଥିଲା ।
ଏହି ଅବସରରେ ସାଂସଦ ଆଂଚଳିକ ଉନ୍ନୟନ ଯୋଜନାର ସଂଶୋଧିତ ପୋର୍ଟାଲ ଏବଂ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ଡ୍ୟାସବୋର୍ଡର ଶୁଭାରମ୍ଭ କରାଯାଇଥିଲା । ଏଥିସହିତ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ଉପରେ ଏକ ବେସଲାଇନ ରିପୋର୍ଟ ପ୍ରକାଶ କରାଯିବା ସହ ପ୍ରକଳ୍ପ ପରିଚାଳନା ପ୍ରତିଷ୍ଠାନ (ପିଏମଆଇ) ଦ୍ୱାରା ପରିଚାଳିତ ପ୍ରକଳ୍ପ ପରିଚାଳନା ଅଭ୍ୟାସର ସଂଶୋଧନ ଉପରେ ଏକ ଅଧ୍ୟୟନମୂଳକ ରିପୋର୍ଟ ମଧ୍ୟ ପ୍ରକାଶିତ ହୋଇଥିଲା ।
କେନ୍ଦ୍ର ପରିସଂଖ୍ୟାନ, କାର୍ଯ୍ୟକ୍ରମ ରୂପାୟନ ଓ ଯୋଜନା ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ରାଓ ଇନ୍ଦରଜିତ ସିଂ ତାଙ୍କ ବକ୍ତବ୍ୟରେ ସୂଚିତ ନୀତି ବିଶ୍ଳେଷଣ ଓ ନିଷ୍ପତି ଗ୍ରହଣ କ୍ଷେତ୍ରରେ ସାମଗ୍ରୀକ ତଥ୍ୟର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ କହିଲେ ଯେ ସ୍ୱଚ୍ଛ ଢ଼ଙ୍ଗରେ ଆନୁଷ୍ଠାନିକ ପରିସଂଖ୍ୟାନଗତ ତଥ୍ୟର ଗୁଣାତ୍ମକତାରେ ଉନ୍ନତି ଆଣିବା ପାଇଁ ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ପ୍ରଣୟନ ମନ୍ତ୍ରଣାଳୟ ଦୃଢ଼ ଭାବେ ସଂକଳ୍ପବଦ୍ଧ । ସେ ପୁନଶ୍ଚ କହିଲେ ଯେ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟର ପ୍ରଗତିକୁ ପରିଚାଳନା କରିବା ପାଇଁ ଶକ୍ତିଶାଳୀ ଡାଟାବେସର ଆବଶ୍ୟକତା ରହିଛି । ଜାତୀୟ ପରିସଂଖ୍ୟାନ ପ୍ରକ୍ରିୟାରେ ଉନ୍ନତି ଆଣିବାରେ ପରିସଂଖ୍ୟାନ ଓ ଗବେଷଣାର ଯୋଗଦାନକୁ ପ୍ରଶଂସା କରି ମନ୍ତ୍ରୀ କହିଲେ ଯେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ପରିସଂଖ୍ୟାନବିତମାନଙ୍କ ମହତ୍ୱପୂର୍ଣ୍ଣ ଯୋଗଦାନକୁ ସ୍ୱୀକୃତି ପୂର୍ବକ ପ୍ରଫେସର ପିସି ମହାଲାନୋବିସ ପୁରସ୍କାର ଆରମ୍ଭ କରାଯିବ ।
ଦୈନଦିନ ଜୀବନରେ ପରିସଂଖ୍ୟାନର ବ୍ୟବହାରକୁ ଲୋକପ୍ରିୟ କରିବା ପାଇଁ ଏବଂ ଯୋଜନା ପ୍ରଣୟନ କ୍ଷେତ୍ରରେ ପରିସଂଖ୍ୟାନର ଭୂମିକା କିପରି ଭାବେ ରହୁଛି ସେ ସମ୍ବନ୍ଧରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ସରକାର ପରିସଂଖ୍ୟାନ ଦିବସ ପାଳନ କରୁଛନ୍ତି । ଜାତୀୟ ପରିସଂଖ୍ୟାନ ପଦ୍ଧତିକୁ ପ୍ରଫେସର ପିସି ମାହାଲାନୋବିସଙ୍କ ମହତ୍ୱପୂର୍ଣ୍ଣ ଯୋଗଦାନର ସ୍ୱୀକୃତି ସ୍ୱରୂପ ପ୍ରତିବର୍ଷ ତାଙ୍କ ଜୟନ୍ତୀ ଜୁନ ୨୯ ଅବସରରେ ପରିସଂଖ୍ୟାନ ଦିବସ ପାଳନ କରାଯାଏ । ଭାରତର ସଂକଳ୍ପବଦ୍ଧତାକୁ ଆଖି ଆଗରେ ରଖି ଚଳିତ ବର୍ଷ ପରିସଂଖ୍ୟାନ ଦିବସର ବିଷୟବସ୍ତୁ ଥିଲା ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ