ରାଷ୍ଟ୍ରାୟତ ବ୍ୟାଙ୍କରେ ଗ୍ରାହକ ସେବା ବିପର୍ଯ୍ୟସ୍ତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-କେନ୍ଦ୍ର ଠାରୁ ରାଜ୍ୟ ସରକାରଙ୍କ ଯାଏଁ ଜନ ସାଧରଣଙ୍କ ଆର୍ଥିକ ସ୍ଥିତିକୁ ସଦୃଢ଼ କରିବା ପାଇଁ ବିଭିନ୍ନ ବ୍ୟାଙ୍କ ଜରିଆରେ ଋଣ ବ୍ୟବସ୍ଥା କରୁଛନ୍ତି । ଦୀର୍ଘ ମିଆଦି ଋଣ ହେଉ କିମ୍ଭା ରିହାତି ଋଣ ହେଉ ସବୁଥିରେ ରାଷ୍ଟ୍ରାୟତ ବ୍ୟାଙ୍କ ଗୁଡିକୁ ସାମିଲ କରାଯାଇ ଲୋକମାନଙ୍କ ସହ ଏହାକୁ ସିଧାସଳଖ ଯୋଡ଼ାଯାଉଛି । ସରକାରୀ ଯୋଜନାକୁ ଛାଡିଦେଲେ ସାଧାରଣ ଗ୍ରାହକଟିଏ ମଧ୍ୟ ଆର୍ଥିକ କାରବାର ପାଇଁ ବ୍ୟାଙ୍କ ଉପରେ ନିର୍ଭର କରୁଛି। ସୁତରାଂ ସମାଜରେ ଆର୍ଥିକ ଅଭିବୃଦ୍ଧି ପାଇଁ ବ୍ୟାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିବା ବେଳେ ସେଠାରେ କିନ୍ତୁ ଗ୍ରାହକ ସେବା ବିପର୍ଯ୍ୟସ୍ତ ହେଉଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଛି । ସୂଚନା ଅନୁସାରେ ଭଣ୍ଡାରିପୋଖରୀ ବ୍ଲକ ସରସଦା ଷ୍ଟେଟ ବ୍ୟାଙ୍କ ଶାଖା ଅଧୀନରେ ସର୍ବାଧିକ ଗ୍ରାହକ ରହିଥିବା ବେଳେ ସରକାରୀ ବିଭାଗ ଖାତା ମଧ୍ୟ କାରବାର ହେଉଛି । ଏହାଛଡା ଅନେକ ମହିଳା ଏସଏଚଜି ମଧ୍ୟ ଦୈନନ୍ଦିନ ବ୍ୟାଙ୍କକୁ ଆସି ଋଣ ନେଣଦେଣ କରୁଛନ୍ତି। ଶାଖା ପରିଚାଳକଙ୍କ ପରିଚାଳନା ଗତ ତ୍ରୁଟି ଯୋଗୁ ଅନେକ ସମୟରେ ଏଠାରେ ଗ୍ରାହକ ସେବା ବିପର୍ଯ୍ୟସ୍ତ ହେଉଥିବା ଜଣାଯାଇଛି । କର୍ମଚାରୀ ମାନଙ୍କ ପକ୍ଷରୁ ଗ୍ରାହକ ମାନଙ୍କୁ ସଠିକ ସମୟରେ ସେବା ଯୋଗାଯାଉ ନଥିବା ବେଳେ କେହି ଆପତ୍ତି କଲେ ସେମାନଙ୍କୁ ଦୁର୍ବ୍ୟବହାର ହେଉଥିବା ଅଭିଯୋଗ ହେଉଛି। ସେହିଭଳି ଆଖୁଆପଦା ସ୍ଥିତ ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ଓ ମଞ୍ଜୁରୀରୋଡ଼ ସ୍ଥିତ ଆଲ୍ହାବାଦ ବ୍ୟାଙ୍କରେ ମଧ୍ୟ ଗ୍ରାହକ ସେବା ବିପର୍ଯ୍ୟସ୍ତ ହେଉଥିବା ଜଣାଯାଇଛି । ଏହା ଉପରେ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି ।