ରାଷ୍ଟ୍ରୀୟ ବାଲ୍ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଲକ୍ଷ୍ୟଭଷ୍ଟ୍ର : ଯୋଜନା ଘୋଷଣାରେ ସୀମିତ
ହିଞ୍ଜିଳିକାଟୁ (ଶେଷଦେବ ସାହୁ): ସବୁ ପିଲାଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସରକାର ରାଷ୍ଟ୍ରୀୟ ବାଲ୍ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଜନ୍ମ ଠାରୁ ୧୪ ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗାଇବା ଏହାର ମୂଳଲକ୍ଷ୍ୟ । ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଯାଂଚକାରୀ ଟିମ୍ ଗଠନ କରାଯାଇ ଅଙ୍ଗନୱାଡ଼ି କେନ୍ଦ୍ର ଠାରୁ ଆରମ୍ଭ କରି ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଶିଶୁଙ୍କୁ ଚିକିତ୍ସା ସେବା ଯୋଗାଇଦେବା ଉକ୍ତ କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ । ରାଜ୍ୟ ମୁଖିଆଙ୍କ ଗଡ଼ ହିଂଜିଳିକାଟୁ ଅଂଚଳରେ ଏହି ଯୋଜନା କାର୍ଯ୍ୟକାରୀ ହୋଇ ପାରିନଥିବା ଏବଂ କୌଣସି ବିଦ୍ୟାଳୟରେ ଯାଂଚକାରୀ ଟିମ୍ ପଂହଚି ପାରିନଥିବା ଯୋଗୁଁ ସରକାରଙ୍କ ଦ୍ୱାର ଘୋଷିତ ଯୋଜନା କାର୍ଯ୍ୟକାରୀ ହେବା ପୂର୍ବରୁ ଫସର ଫାଟିଯାିଥିବା ଜଣାପଡ଼ିଛି । ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ରାଷ୍ଟ୍ରୀୟ ବାଲ୍ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଭ୍ରାମ୍ୟମାଣ ଚିକିତ୍ସା ସେବା ଯୋଗାଇବା ପାଇଁ ଏକ ସ୍ୱାସ୍ଥ୍ୟ ଯାଂଚକାରୀ ଟିମ୍ପ୍ରତ୍ୟେକ ଅଣଆବାସିକ ବିଦ୍ୟାଳୟକୁ ବର୍ଷରେ ଥରେ ଓ ଆବାସିକ ବିଦ୍ୟାଳୟ ଗୁଡ଼ିକୁ ପ୍ରତି ୩ମାସରେ ଥରେ ଏବଂ ପ୍ରତ୍ୟେକ ଅଙ୍ଗନୱାଡ଼ି କେନ୍ଦ୍ରକୁ ଯାଇ ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବେ । ଏପରିକି ଜନ୍ମରୁ ୬ବର୍ଷ ଯାଏଁ ଅଙ୍ଗନୱାଡ଼ି କେନ୍ଦ୍ରରେ ଥିବା ଶିଶୁ ଓ ୬ରୁ ୧୪ ବର୍ଷ ପର୍ଯ୍ୟନ୍ତ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଶିକ୍ଷାର୍ଥୀଙ୍କ ସ୍ୱାସ୍ଥ୍ର ପରୀକ୍ଷା କରାଇବା ସହ ସ୍ୱାସ୍ଥ୍ୟ ସେବା ସମସ୍ୟା ଦୂର କରିବା ବ୍ୟବସ୍ଥା ଏହି ଯୋଜନାର ଅର୍ନ୍ତଭୁକ୍ତ ଅଟେ । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଉକ୍ତ ଯୋଜନା ପ୍ରୟୋଗ ହୋଇଥିଲେ ମଧ୍ୟ ହିଂଜିଳିକାଟୁ ପୌରାଂଚଳ ସମେତ ସ୍ଥାନୀୟ ବ୍ଳକର ବହୁ ଗ୍ରାମାଂଚଳରେ ବହୁ ପିଲା ଏହି ଯୋଜନାର ସୁଫଳ ପାଇପାରିନଥିବା ଅଭିଯୋଗ ହେଉଛି । ଏହି ଯୋଜନା ଘୋଷଣାରେ ସୀମିତ ଥିବାବେଳେ କାର୍ଯ୍ୟକ୍ରମ କାଗଜ କଲମରେ ସମ୍ପାଦନା କରାଯାଉଥିବା ଜଣାପଡ଼ିଛି । ବିଭାଗୟ ଉଚ୍ଚ କର୍ତୁପପ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଅଂଚଳର ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।


