ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଂଘର ଲୋକାର୍ପଣ ସମାରୋହ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଂଘର ଲୋକାର୍ପଣ ସମାରୋହ ତଥା ପ୍ରଥମ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ୱର ୟୁନିଟ-୪ସ୍ଥିତ ମା ମଙ୍ଗଳା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ମଧ୍ୟବିତ୍ତବର୍ଗଙ୍କ ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ପାଇଁ ଗଢି ଉଠିଥିବା ଏହି ଗଣସଂଗଠନ ବିଗତ ଏକବର୍ଷ ହେବ ତାର ସଂଗ୍ରାମ ଜାରି ରଖିଛି । ସରକାରୀସ୍ତରରେ ୧୮୬୦ ଆଇନରେ ପଞ୍ଜିକୃତ ହେବା ପରେ ଏହି ସଂଗଠନର ପ୍ରଥମ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ୨୦.୩.୨୦୨୧ ରିଖରେ ସଂଗଠନର ରାଷ୍ଟ୍ରୀୟ ସଭାପତି ପ୍ରଦିପ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକାର୍ପଣ ସମାରୋହରେ ମୁଖ୍ୟ ଅତିଥି ଭାବେ ସମାଜସେବୀ କୈଳାସ ଚନ୍ଦ୍ର ରଥ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ରମେଶ ଚନ୍ଦ୍ର ସ୍ୱାଇଁ, ଦେବାଶିଷ ମିଶ୍ର, ଭକ୍ତଚରଣ ରାୟ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହାସଂଘର ସାଂଗଠନିକ ସମ୍ପାଦକ ଆଶିଷ କୁମାର ବେହେରା ସ୍ୱାଗତ ଭାଷଣ ଦେବା ସହିତ ଆଗାମୀ ଦିନରେ ମହାସଂଘର କାର୍ଯ୍ୟକ୍ରମ ବିଷୟରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକାରିଣୀ ବୈଠକରେ ମହାସଂଘର ଆଭିମୁଖ୍ୟ ଓ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ବିଷୟରେ ଆଲୋଚନା ହେବା ସହିତ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଚିଠା ପ୍ରସ୍ତାବ ମହାସଂଘର ସାଧାରଣ ସମ୍ପାଦକ ଶ୍ରୀ କେ. ବାଲାରାଜୁ ଆଚାରୀଙ୍କ ଦ୍ୱାରା ଆଗତ କରାଯାଇଥିବା ବେଳେ ଉପସ୍ଥିତ ସଦସ୍ୟମାନଙ୍କ ଦ୍ୱାରା ସର୍ବସମ୍ମତିକ୍ରମେ ପାରିତ ହୋଇଥିଲା ।