ରାଷ୍ଟ୍ରୀୟ ମହାପର୍ବ : ଦୀପାବଳି
ବିପିନ ବିହାରୀ ମହାନ୍ତି
ଏମିତି ଦେଖିଲେ ପ୍ରତିଦିନ ଭାରତ ବର୍ଷରେ କୋଉଠି ନା’ କୋଉଠି ଗୋଟାଏ ଓଷା, ବ୍ରତ କି ପର୍ବପର୍ବାଣୀ ଲାଗି ରହିଛି । ଏଗୁଡ଼ିକୁ ଆମେ ଉତ୍ସବ, ଅନୁଷ୍ଠାନ ବା ପର୍ବହିସାବରେ ନାମିତ କରିଛୁ । ଗୁରୁତ୍ୱ ଦୃଷ୍ଟିରୁ ହୋଲିପରି ଉତ୍ସବକୁ ‘ମହୋତ୍ସବ; ଦଶହରା ପରି ଅନୁଷ୍ଠାନକୁ ‘ମହାନୁଷ୍ଠାନ’ ଏବଂ ଦୀପାବଳି ପରି ପର୍ବକୁ ‘ମହାପର୍ବ’ଭାବରେ ଆଖ୍ୟାୟିତ କରିଅଛୁ ।
ଜଣେ ପାଶ୍ଚ୍ୟାତ୍ ଦାର୍ଶନୀକ ଗ୍ରେଗରୀ ବେଟ୍ସନ୍ କୁହନ୍ତି : ଭାରତର ସଂସ୍କୃତି ଇତିହାସ ପୃଷ୍ଠାରେ ଲେଖାନାହିଁ, ବରଂ ଦୀପାବଳୀ ପ୍ରଦୀପର ଜ୍ୟୋତିରେ ଲେଖା ହୋଇଅଛି ।
ବୋଧହୁଏ ଏହି ବାକ୍ୟଟି ଦୀପାବଳିକୁ ଏକ ମହାପର୍ବ କହିବାର ଯଥାର୍ଥତା ପ୍ରତିପାଦନ କରେ ।
ସଂପ୍ରତି ଦୀପାବଳି, ବାଣ, ରୋଷଣୀ ଓ ଦୀପର ପର୍ବ ହେଲେହେଁ ଚିରାଚରିତ ଏବଂ ଶାସ୍ତ୍ର ସମ୍ମତ ବିଚାରକୁ ଧରିଲେ ଏହା ମୁଖ୍ୟତଃ ଆଲୋକର ପର୍ବ । ଏହି ଦୀପ ପର୍ବ ବା ଦୀପୋତ୍ସବର ଇତିହାସ ଅତି ପୁରାତନ । ଏହି ଦୀପ ବୈଦିକ ଯୁଗରେ ‘ଅଗ୍ନି, ରୂପରେ ପ୍ରତ୍ୟେକ ଘରେ ପୂଜା ପାଉଥିଲେ । ପରେ ଲିଙ୍ଗ ସଂଯୁକ୍ତ ହୋଇ ଏହି ଦୀପ ପୂଜା ପାଇଲେ : ଦୀପୋଜ୍ୟୋର୍ତିଃ ଜନାର୍ଦ୍ଦନଃ । ଏହି ଦୀପ ଅନ୍ଧକାରରୁ ଆଲୋକର ପ୍ରତୀକ ଅଟେ; ନିରାଶାରୁ ଆଶାର ଦ୍ୟୋତକ ଅଟେ : ପ୍ରବର୍ତ୍ତିନୋ ଦୀପଇବ ପ୍ରଦୀପତ୍ ।’
ପରବର୍ତ୍ତୀ ସମୟରେ ଏ ଦୀପାବଳୀକୁ ବିଭିନ୍ନ କାହାଣୀ ସହିତ ସଂଯୋଜିତ କରାଯାଇଛି । ପୁନଶ୍ଚ ଏହି ଦୀପାବଳି ଉତ୍ସବ ଆଶ୍ୱୀନ କୃଷ୍ଣପକ୍ଷ ତ୍ରୟୋଦଶୀ ଠାରୁ ଶୁକ୍ଲପକ୍ଷ ଦ୍ୱିତୀୟ ଦିନ ପର୍ଯ୍ୟନ୍ତ ପାଳିତ ହୁଏ । ପ୍ରାଧାନ୍ୟ ଦୃଷ୍ଟିରୁ ତ୍ରୟୋଦଶୀ ଦିନ ଧନନ୍ତ୍ୱରୀ ଜୟନ୍ତି, ଯାହାର ଅନ୍ୟନାମ ଧନତେରସ୍ ପାଳିତ ହୁଏ । ଏହି ଦିନ ସମୁଦ୍ର ମନ୍ଥନରୁ ଧନନ୍ତ୍ୱରୀ ଆୟୁର୍ବେଦ ଓ ଅମୃତ ସହ ଜନ୍ମ ନେଇଥିଲେ ଏବଂ ତାଙ୍କୁ ଦୀପ ଜାଳି ଆମେ ସ୍ୱାଗତ କରିଥିଲୁ । ତା’ପର ଦିନକୁ ନରକ ଚତୁର୍ଦ୍ଦଶୀ କୁହାଯାଏ । ଏହାର ତାତ୍ପର୍ଯ୍ୟ ଏହିଯେ, ଏହିଦିନ ନର୍କ ଦେବତା ଯମକୁ ଦୀପଜାଳି ପୂଜା କରାଯାଏ । ଅନ୍ୟ ଏକ କାହାଣୀମତେ ଭଗବାନ ଶ୍ରୀକୃଷ୍ଣ ଏହିଦିନ ନରକାସୁର ଯିଏକି ବହୁରାଜା, ଦେବତା, ଦେବୀ, ନାରୀ ଏବଂ ଦାସୀମାନଙ୍କୁ ବନ୍ଦି କରି ପୀଡ଼ା ଦେଉଥିଲା, ତାକୁ ମାରି ସେ ସେମାନଙ୍କୁ ଉଦ୍ଧାର କରିଥିବାରୁ ଆଲୋକର ରୋଷଣୀରେ ଆମେ ଖୁସିରେ ଉନ୍ମାଦ ହୋଇଯାଇଥିଲୁ । ଏହିଦିନ ମା’ କାଳୀ ରାକ୍ଷସ, ଚଣ୍ଡ, ମଣ୍ଡ ବିଶେଷକରି ରକ୍ତ ବୀର୍ଯ୍ୟ ଯିଏ କି ମହାଷାସୁରର ସେନାପତିଥିଲା ଏବଂ ମହୀଷାସୁର ବଧପରେ ଉତ୍କ୍ଷିପ୍ତ ହୋଇ ନାନା କଷ୍ଟ ଦେଉଥିଲା ଏବଂ ଯାହାର ରକ୍ତରୁ ଅସଂଖ୍ୟ ଅସୁର ସୃଷ୍ଟି ହେଉଥିଲେ, ତାକୁ ସେ ମ୍ମ ବଧ କରିଥିଲେ । ସେଦିନ ଥିଲା ଏହି ଦୀପୋତ୍ସବର ଦିନ । ଏହି ପାଞ୍ଚଦିନର ଗୁରୁତ୍ୱପୂର୍ଣ୍ଣ ଦିନଟି ହେଲା କାର୍ତ୍ତିକ ଅମାବାସ୍ୟା ଦିନ । ଏହି ଦିବସରେ ଆମେ ଲକ୍ଷ୍ମୀ ଓ ଗଣେଶଙ୍କୁ ଆହ୍ୱାନ କରିଥିଲୁ । ଜଣେ ସମୃଦ୍ଧି (ବିତ୍ତ) ଆଉ ଜଣେ ସତ୍ଜ୍ଞାନ ଓ ସତ୍ବୁଦ୍ଧି ପ୍ରଦାୟକ; ଯୁଗ୍ମ ଭାବରେ ଜଣେ ପୂଜକ / ଭକ୍ତର ଶ୍ରୀବର୍ଦ୍ଧକ ଏମାନେ । କାରଣ ଜ୍ଞାନ ଓ ବୁଦ୍ଧି ବଳରେ ଧନଲାଭ ହୁଏ । ଅପରଂନ୍ତୁ ଧନ ସୁଖ ବା ଶାନ୍ତିର ମାର୍ଗ ବୋଲି ବୁଝାଯାଏ । ଏଇଥିପାଇଁ ଏହା ସର୍ବସାଧାରଣ ଠାରୁ ଆରମ୍ଭ କରି ଜ୍ଞାନୀ, ଗୁଣୀ ଏବଂ ବ୍ୟବସାୟୀ ବର୍ଗ ସମସ୍ତେ ଏ ଉତ୍ସବକୁ ପ୍ରାଧାନ୍ୟ ଦେଇଥାନ୍ତି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କାହାଣୀଟି ହେଉଛି ଏହିଦିନ ରାମଚନ୍ଦ୍ର ଚଉଦବର୍ଷ ବନବାସ କରି ଦୁଷ୍ଟ ରାବଣକୁ ନିଧନ ପୂର୍ବକ ସୀତାଙ୍କୁ ଧରି ଅଯୋ୍ମାେ‘ରି ଅଭିଷିକ୍ତ ହୋଇଥିଲେ । ଏନେଇ ତାଙ୍କୁ ଦୀପାବଳିରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଉଥିବାରୁ, ସେବେଠୁ ଆମେ ଏହାକୁ ଏକ ବିଜୟର ପ୍ରତୀକ ରୂପେ ପାଳନ କରୁଛୁ । ଇତିହାସ କୁହେ ଏହିଦିନ ମହାବୀର ଜୈନଙ୍କର ମହାନିର୍ବାଣ ଘଟିଥିଲା । ଏହିଦିନ ଗୁରୁ ଗୋବିନ୍ଦଙ୍କୁ ଅମୃତସର ଠାରେ ଦୀପଜାଳି ଜାହାଙ୍ଗୀରଙ୍କ ଠାରୁ ମୁକ୍ତି ପରେ ସ୍ୱାଗତ କରାଯାଇଥିଲା । କେତେକଙ୍କ ମତରେ ଉତ୍ତର ଭାରତରେ ଏହି ଦିନ ହନୁମାନ ଜୟନ୍ତି ପାଳନ କରାଯାଏ ଯଦିଓ ହନୁମାନ ଚୈତ୍ରପୂର୍ଣ୍ଣିମାରେ ଜନ୍ମ ହୋଇଥିଲେ । ଏହିଦିନ ପିତୃପୁରୁଷଙ୍କୁ ପିଣ୍ଡଦାନ କରାଯାଏ ଏବଂ କାଉଁରିଆ କାଠିରେ ଦୀପ ବା ଅଗ୍ନି ସଂଯୋଗକରି ବଡ଼ବଡ଼ିଆ ଡକାଯାଏ : ବଡ଼ ବଡ଼ିଆ ହେ, ଅନ୍ଧାରେ ଆସି ଆଲୋକେ ଯାଅ, ସ୍ୱର୍ଗେ ଯାଅ, ସ୍ୱର୍ଗେ ଥାଅ, ଅମୃତ ଭୋଜନ କରୁଥାଅ । ଏଣୁ ବଡ଼ବଡ଼ିଆଙ୍କ ମୋକ୍ଷାର୍ଥେ ଏହା ଏକ ପର୍ବ । ଏହାପରେ କାର୍ତ୍ତିକ ଶୁକ୍ଲପ୍ରତିପଦା । ଏହା ବଳୀ ପ୍ରତିପଦା ନାମରେ ନାମିତ । କାରଣ ଏହିଦିନ ବାମନ ଅବତାରେ ଭଗବାନ ବଳୀକୁ ପାତଳକୁ ଚାପି ପୀଡି଼ତମାନଙ୍କୁ ଉଦ୍ଧାର କରିଥିଲେ । ଏହିଦିନ ଗୋବର୍ଦ୍ଧନ ପୂଜା (ପ୍ରକୃତିପୂଜା), ଏବଂ ଚନ୍ଦ୍ର ସମ୍ବତ୍ସର ଆରମ୍ଭ ହେତୁ ପୂଜା ତଥା ଅନ୍ନକୂଟ ପୂଜା ହୁଏ । ଏମାନେ ମ୍ମ ସେହି ଦୀପାବଳି ସହିତ ସମ୍ବନ୍ଧିତ । କାର୍ତ୍ତିକ ଶୁକ୍ଲପକ୍ଷ ଦ୍ୱିତୀୟା ଦିନକୁ ଭାତୃ ଦ୍ୱିତୀୟା ବା ଯମ ଦ୍ୱିତୀୟା କୁହାଯାଏ । ଯମୁନା ଯମଙ୍କ ଭଗ୍ନୀ । ଏହିଦିନ ଯମ ଭଉଣୀଙ୍କ ଘରକୁ ଆସିଥିଲେ ଏବଂ ତାଙ୍କ ଆବାହନୀ ନିମନ୍ତେ ଦୀପାବଳିର ଆୟୋଜନ କରିଥିଲେ ଭଉଣୀ । ଏହା ଭାଇ ଓ ଭଉଣୀମ୍ମରେ ଥିବା ଅନାବିଳ ପ୍ରେମର ସଂକେତ ବହନ କରେ । ଭଗ୍ନି ପ୍ରେମ ସଂପର୍କର ପ୍ରତୀକ ସ୍ୱରୂପ ସେଦିନ ସେ ଆଶୀର୍ବାଦ ଦେଇ କହିଥିଲେ ଯେ ଏହି ଦିନ ଯଦି କେହି ମରନ୍ତି ତାକୁ ଯମ ଦଣ୍ଡ ଲାଗିବ ନାହିଁ । ଏହି ମହାପର୍ବ ଦିବସରେ ବୁଦ୍ଧଘୋଷ ଙ୍କ ରାଜଗୃହକୁ ସଜ୍ଜା ଯାଇଥିଲା ଏବଂ ଧମ୍ମପଦ ଅଳ୍ପକଥା ଅନୁସାରେ ଏହି ଶୁଭ ପର୍ବରେ ସାରା ରାତିଧରି କୌମୁଦୀ ମହୋତ୍ସବର ଆୟୋଜନ କରାଯାଇଥିଲା ।
ଉପରୋକ୍ତ ଆଲୋଚନାରୁ ଜଣାଯାଏ ଯେ କେବଳ ଭାରତର ହିନ୍ଦୁମାନଙ୍କର ପର୍ବ ହିସାବରେ ପାଞ୍ଚଦିନ ଧରି ଏହି ଦୀପୋତ୍ସବ ପାଳନ କରାଯାଏ ନାହିଁ । ଏହା ମ୍ମ ଜୈନ, ବୌଦ୍ଧ, ହିନ୍ଦୁ, ଶିଖ୍ ଇତ୍ୟାଦିଙ୍କର ପର୍ବ ଅଟେ । ଦୀପାବଳି ଭାରତର ସୀମାରେଖା ଡେଇଁ ଶ୍ରୀଲଙ୍କା, ମିଆଁମାର୍, ଇଣ୍ଡୋନେସିଆ, ବଙ୍ଗଳାଦେଶ, ପାକିସ୍ତାନ ଏବଂ ନେପାଳ ଇତ୍ୟାଦିରେ ପାଳିତ ହୁଏ କାରଣ ଏଠାରେ ଦୂର ଅତୀତରୁ ଭାରତୀୟମାନଙ୍କ ପ୍ରଭାବ ରହିଅଛି । ଏହାମ୍ମ ଭାରତର ସବୁ ଧର୍ମ ଏବଂ ସମ୍ପ୍ରଦାୟର ଲୋକଙ୍କ ମ୍ମରେ ଏକ ଭାଇଚରିଆ ସଂପର୍କ ରକ୍ଷାକରିଅଛି । ଏଣୁ ଏହାକୁ ଜାତୀୟ ପର୍ବର ମାନ୍ୟତା ଦିଆଯିବା ଉଚିତ୍ ।
ସବୁକିଛି ଓଷା, ବ୍ରତ ଓ ପର୍ବ ପଛରେ କିଛି ଲୁକ୍କାୟିତ ଉଦ୍ଦେଶ୍ୟ ଥାଏ । ଦୀପାବଳି ସେଥିରୁ ବାଦ୍ନୁହେଁ । ଦୀପାବଳି ପାଇଁ ବର୍ଣ୍ଣିତ କାହାଣୀଗୁଡ଼ିକୁ ବିଚାର କଲେ ଆମେ ଯେଉଁ, ରାମ, ରାବଣ, ମହୀଷାସୁର, ରକ୍ତବୀର୍ଯ୍ୟ, ନରକାସୁର ଓ ବଳି ଇତ୍ୟାଦି କଥା କହିଛୁ, ସେମାନେ ଜଣେ ଜଣେ ବ୍ୟକ୍ତି ବିଶେଷ ହେଲେ ହେଁ, ଆମ୍ଭମାନଙ୍କର ମନୋବିକାର ଅନ୍ତର୍ଗତ । ଏମାନେ ସବୁ କାମ, କ୍ରୋଧ, ଲୋଭ, ମୋହ ଏବଂ ଅହଂକାରୀ ସ୍ୱଭାବର ପ୍ରତୀକ ଯାହାକି ଧ୍ୱଂସକାରୀ ଶକ୍ତି ଅଟନ୍ତି । ରାମ, ଦୁର୍ଗା, ମହାକାଳୀ, କୃଷ୍ଣ ଏବଂ ବାମନ ଅବତାରେ ଶ୍ରୀହରି ହେଲେ ଏଗୁଡ଼ିକର ମାରକ ଏବଂ ସଂସାରର ତାରକ ଶକ୍ତି । ଗୋଟିଏ ପଟେ ଅନ୍ଧକାର, ଅପବିତ୍ରତା, ଅଜ୍ଞାନତା, ପାପର କ୍ଲିଷ୍ଟତା ବେଳେ ଅନ୍ୟପଟେ ପ୍ରକାଶ, ପବିତ୍ରତା, ଜ୍ଞାନ, ଆନନ୍ଦ, ଉଲ୍ଲାସ, ସୁଖ ଏବଂ ସଂମୃଦ୍ଧିର ସଂକେତ । ଏଣୁ ଦୀପାବଳୀ ହେଉଛି ଅନ୍ଧକାର ଉପରେ ଆଲୋକର ବିଜୟ, ଅସତ୍ୟ ଉପରେ ସତ୍ୟର ବିଜୟ; ଦୁଃଖ ଉପରେ ସୁଖର ବିଜୟ; ଅପବିତ୍ରତା ଉପରେ ପବିତ୍ରତାର ବିଜୟ; ଅଧର୍ମ ଉପରେ ଧର୍ମର ବିଜୟ ଏବଂ ଅଶୁଭ ଉପରେ ଶୁଭର ବିଜୟ ହିଁ ଏ ଦୀପାବଳି ।
ଦୀପାବଳି ଆମର ଜ୍ଞାନଗାମିନୀ ସଂସ୍କୃତିକ ଅମାନତ । ସେଇଥିପାଇଁ ଗଣେଶଙ୍କୁ ଆହ୍ୱାନ । ସେ ସତ୍ଜ୍ଞାନ ଓ ସତ୍ବୁଦ୍ଧିର ପ୍ରତୀକ । ଦୀପାବଳି ଆମ ସମୃଦ୍ଧିର ପ୍ରତୀକ; ସେଇଥିପାଇଁ ଲକ୍ଷ୍ମୀଙ୍କୁ ଆହ୍ୱାନ; ଦୀପାବଳି ଆମ ସ୍ୱାସ୍ଥ୍ୟ ଓ ପରିବେଶର ପ୍ରତୀକ, ସେଥିପାଇଁ ଧନନ୍ତ୍ୱରୀ ଓ ଗୋବର୍ଦ୍ଧନ ଇତ୍ୟାଦିଙ୍କ ପୂଜା; ଏହି ଦିନ ବାଣ ଓ ରୋଷଣୀର ପ୍ରଭାବରେ ବିନାଶ ହୁଅନ୍ତି ଅନିଷ୍ଠକାରୀ କେତେ କୀଟପତଙ୍ଗ; ଘର ଅଙ୍ଗନ ନିର୍ମଳ ଓ ସ‘ାସୁତରା ରଖୁଥିବା ହେତୁ ଏହା ପରିବେଶ ପରିମଳ ବ୍ୟବସ୍ଥା ପ୍ରତି ଏକ ଅନୁକୂଳ ବ୍ୟବସ୍ଥା; ଦୀପାବଳି ଆମ ଆତ୍ମାଲୋକର ନ୍ୟାସ ଯାହା ବିକାରରୂପୀ ରାବଣ ବା ରକ୍ତବୀର୍ଯ୍ୟଙ୍କୁ ବିନାଶକରି ସୀତା ବା ନାରୀ ରୂପୀ ଆତ୍ମାମାନଙ୍କୁ ମୁକ୍ତିଦେଇ ଆଲୋକିତ କରେ; ଏହା ଆର୍ଯ୍ୟ ସଂସ୍କୃତିର ଏମିତି ଏକ ପର୍ବ ଯାହା ଗୋଟିଏ ଦୀପରୁ ଅନ୍ୟ ଦୀପକୁ ଖାଲି ଆଲୋକିତ କରେ ନାହିଁ, ପ୍ରଜ୍ଜଳିତ କରେ । ଏକରୁ ଅନେକ ଦୀପପୁଞ୍ଜର ଆଲୋକରେ ଏ ପୃଥିବୀ ଉଦ୍ଭାସିତ ହୁଏ ଏବଂ ପୁରାତନ ଯାହାକିଛି ଅପାନ୍ତେୟ, ତାକୁ ଜାଳିପୋଡ଼ି ନୂତନ ସୃଜନ ପାଇଁ ପଥପରିଷ୍କାର କରେ ।
ଏମିତି ଏକ ଦୀପାବଳି ଭାରତୀୟମାନଙ୍କର ହୃଦୟରେ ବିପ୍ଲବ ସୃଷ୍ଟି କରିଥିଲା । ଆମେ ସ୍ୱାଧୀନତା ସଂଗ୍ରାମରେ ମଶାଲଧରି ସଂଗ୍ରାମ କଲୁ ଓ ସ୍ୱାଧୀନ ହେଲୁ । ଅଥଚ ଆଜି ଆମେ ସ୍ୱାଧୀନ କି? ଏବେ ଦେଶରେ ସର୍ବତ୍ର ପରିବ୍ୟାପ୍ତ ଅନ୍ଧକାର । ଭାରତ ଆଜି ଅତ୍ୟାଚାର, ଅନାଚାର, ବ୍ୟଭିଚାର, ଭ୍ରଷ୍ଟାଚାର ଏବଂ ସ୍ୱାର୍ଥପର ଗୋଷ୍ଠୀଙ୍କ ଦ୍ୱାରା କଳୁଷିତ । ଶାଳୀନତା ଦ୍ୱାରା ପ୍ରାପ୍ତ ଲକ୍ଷ୍ମୀହିଁ ଦେବଭୂମି ଭାରତ, ଦେବ ସଂସ୍କୃତିର ଅଭୀଷ୍ଟ; ଅତ୍ୟାଚାର ଦ୍ୱାରା ଗଠିତ ସୁବର୍ଣ୍ଣ ଲଙ୍କା ନୁହେଁ । ଏଣୁ ଭିନ୍ନ ଏକ ସ୍ୱାଧୀନତା ପାଇଁ ଦୀପପୁଞ୍ଜ ଜଳିଉଠୁ ।
ଦୀପାବଳି ମାନବୀୟ କଲ୍ୟାଣ ପାଇଁ ଉଦ୍ଦିଷ୍ଟ । ଆ୍ମାତ୍ମିକ ପୃଷ୍ଠିଭୂମି ଉପରେ ଆଧାରିତ ଆମର ମହାନ ପର୍ବ ଏ ଦୀପାବଳି; ଏହା ସ୍ନେହ, ସହାନୁଭୂତି, ସଦ୍ଭାବନା, ସଂସ୍କୃତି ଓ ସମନ୍ୱୟର ସେତୁ । ଏହାର ବିସ୍ମୃତିରେ ଏହାକୁ ବିକୃତ ପରମ୍ପରାରେ ପରିଣତ କରାନଯାଉ ଏବଂ ଏ ସମାଜ ସହିତ ପରିବେଶକୁ ପ୍ରଦୂଷିତ ନକରୁ । ବିଧି ପାଳନ ଅର୍ଥରେ ନୁହେଁ, ବୁଝିବା ଅର୍ଥରେ ବୁଝି ଏ ଦୀପାବଳି ପ୍ରଥମେ ଆମ ନିଜକୁ ଆଲୋକିତ କରୁ ଏବଂ ସେହିଠାରୁ ଆଲୋକ ଦୂର ଦିଗ୍ବଳୟ ଯାଏଁ ପ୍ରସାରିତ ହେଉ । ଏହାହିଁ ବିଚାର୍ଯ୍ୟ ।
ଅଧ୍ୟକ୍ଷ, ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ : ବିପିନ ବିହାରୀ ପାଠାଗାର,
ବିକାଶ ନଗର, ଜଟଣୀ, ଖୋର୍ଦ୍ଧା ।
ମୋ : ୯୯୩୮୩୪୪୧୩୮