ରାଷ୍ଟ୍ରୀୟ ଯୁବ ଦିବସ ଅବସରରେ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ଭୁବନେଶ୍ୱର: ୩୬ତମ ରାଷ୍ଟ୍ରୀୟ ଯୁବ ଦିବସ ଅବସରରେ କ୍ରାନ୍ତିବୀର ଫାଉଣ୍ଡେସନ, ଓଡ଼ିଶା ଡ଼ିଭାଇନ୍ ଇଣ୍ଡିଆ ୟୁଥ୍ ଆସୋସିଏସନ ଏବଂ ଅଖିଳ ବିଶ୍ୱ ଗାୟତ୍ରୀ ପରିବାର, ଭୁବନେଶ୍ୱର ସଂଗଠନ ପକ୍ଷରୁ କଳିଙ୍ଗ ଷ୍ଟାଡ଼ିୟମ ନିକଟସ୍ଥ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି । ଯୁଗପୁରୁଷ ସ୍ୱାମୀ ବିବେକାନନ୍ଦଙ୍କ ଏହି ସମ୍ମାନ ସମାରୋହରେ ଯୋଗଦେଇ ଯୁବ ସମାଜସେବୀ ଡଃ କୈଳାସ ଚନ୍ଦ୍ର ବିଶ୍ୱାଳ ଆଜିର ଯୁବପିଢିଙ୍କୁ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶକୁ ଅନୁସରଣ କରି ନିଜର ଉନ୍ନତି ସାଧନ ସହ ରାଷ୍ଟ୍ରୀୟ ଉନ୍ନତି ଦିଗରେ କାର୍ଯ୍ୟ କରିବା ପାଇଁ ଆହ୍ୱାନ ଦେଇଛନ୍ତି । କ୍ରାନ୍ତିବୀର ଫାଉଣ୍ଡେସନର ମୁଖ୍ୟ ଆଶିଷ ଲେଙ୍କା କହିଛନ୍ତି ଯେ ଆଜିର ଦିନରେ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶର ବ୍ୟାପକ ପ୍ରଚାର ଓ ପ୍ରସାରର ଆବଶ୍ୟକତା ରହିଛି । ସ୍ୱାମୀଜୀ ରାଷ୍ଟ୍ରୀୟ ଚେତନାର ଜଣେ ଜ୍ୱଳନ୍ତ ବାର୍ତ୍ତାବହ ସାଜିବା ସହ ବିଦେଶରେ ଭାରତୀୟ ବେଦାନ୍ତ ଦର୍ଶନକୁ ଉଚ୍ଚାଙ୍ଗ ଶିଖରରେ ପ୍ରତିଷ୍ଠିତ କରାଇଥିଲେ । ଅଥଚ ଆଜିର ଦିନରେ କିଛି ଉତ୍ସୃଙ୍ଖଳ ପଥଭ୍ରଷ୍ଟ ଯୁବଗୋଷ୍ଠୀ ଅରାଷ୍ଟ୍ରୀୟ ତତ୍ତ୍ୱ ପ୍ରଭାବରେ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଭଳି ଦେଶର ଏକ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରେ ଯେଭଳି ଉତ୍ପାତ କରୁଛନ୍ତି ତାହା ଦୁଃଖଦାୟକ ଏବଂ ଚିନ୍ତାଜନକ ବୋଲି ସେ କହିଥିଲେ । ଅନ୍ୟତମ ସାମାଜିକ କର୍ମୀ ଆଡ଼ଭୋକେଟ ଚନ୍ଦ୍ରଶେଖର ବେହେରା ନିଜର ବକ୍ତବ୍ୟ ରଖି ବିଗତ ଦିନରେ ବିଶ୍ୱବିଦ୍ୟାଳୟ ପ୍ରାଙ୍ଗଣରେ ହୋଇଥିବା ଦୁର୍ଘଟଣାର ତୀବ୍ର ନିନ୍ଦା କରିବା ସହ ସେଥିରେ ସମ୍ପୃକ୍ତ ଯୁବକଯୁବତୀମାନଙ୍କୁ ସରକାରୀ ଅର୍ଥରେ ପିଏଚ୍‌ଡ଼ି ବଦଳରେ ସେମାନଙ୍କୁ ବ୍ୟକ୍ତି ସୁଧାର କେନ୍ଦ୍ରକୁ ପଠାଇବାର ଆବଶ୍ୟକତା ରହିଛି । ସମାଜରେ ଅସାମାଜିକ ତତ୍ତ୍ୱମାନଙ୍କୁ ଦୃଢ ହସ୍ତରେ ଦମନ କିରବା ସହ ଆଦର୍ଶର ପ୍ରଚାର ଓ ପ୍ରସାର ପାଇଁ ସାଧୁ ଆତ୍ମାମାନେ ଆଗେଇ ଆସିବା ଉଚିତ୍ ବୋଲି ସେ କହିଥିଲେ । ସାମାଜିକ କର୍ମୀ ସମ୍ବିତ ଦାସ ସ୍ୱାମୀଜୀଙ୍କ ବିଚାର ଘରେ ଘରେ ପହଞ୍ଚାଇବାର ଆବଶ୍ୟକତା ରହିଛି ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସାମାଜିକ କର୍ମୀ ସଞ୍ଜୀବ କୁମାର ମିଶ୍ର, ଇଂ ଦୀପକ ଜେନା, ରଣଜିତ କୁମାର ଧଳ, ପ୍ରକାଶ ଚନ୍ଦ୍ର ବାରିକ, କାଶୀ ବିଶ୍ୱନାଥ ବାରିକ, ଯୋଗାଚାର୍ଯ୍ୟ ଡଃ ବିଶ୍ୱରଞ୍ଜନ ରଥ, ତୃପ୍ତିରାଣୀ ବେବର୍ତ୍ତା, ଶ୍ରାବଣୀ ସାହୁ, ଲିନୁ ମିଶ୍ର, କଲ୍ୟାଣୀ ପଣ୍ଡା, ସନ୍ଧ୍ୟାରାଣୀ ପରିଡ଼ା, କରିସ୍ମା ଦଣ୍ଡିଆ, ଜଗତଜୀବନ ଜେନା, ପ୍ରଶାନ୍ତ କୁମାର ସ୍ୱାଇଁ, ମହେନ୍ଦ୍ର ଭଞ୍ଜ, ଜ୍ୟୋତିରଞ୍ଜନ ଚୌଧୁରୀ, ସୌମ୍ୟରଞ୍ଜନ ପରିଡ଼ା, ମନୋରଞ୍ଜନ ଖଟେଇ, ବାବୁଲି ପ୍ରସାଦ ସିଂହ, ପ୍ରକାଶ ମାଝୀ, ଚନ୍ଦନ କୁମାର ସାହୁ, ହିମାଂଶୁ ଶେଖର ରାଉତ ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ