ରାଷ୍ଟ୍ରୀୟ ଶିକ୍ଷା ନୀତି ଭାରତକୁ ବିଶ୍ୱରେ ଅଗ୍ରଣୀ କରିବ : ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) :ଏକବିଂଶ ଶତାବ୍ଦୀର ଆବଶ୍ୟକତା ଅନୁସାରେ ପ୍ରଣିତ ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି -୨୦୨୦ (ଏନଇପି) ଭାରତକୁ ବିଶ୍ୱରେ ଅଗ୍ରଣୀ କରିବ ବୋଲି ଶୁକ୍ରବାର ଉତରପ୍ରଦେଶର ଗୋରଖପୁର ଠାରେ ମହାରଣା ପ୍ରତାପ ଶିକ୍ଷା ପରିଷଦର ପ୍ରତିଷ୍ଠା ସପ୍ତାହ ସମାରୋହରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନ କହିଛନ୍ତି ଯେ ଦୀର୍ଘ ୩୪ ବର୍ଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ରାଷ୍ଟ୍ରୀୟ ଶିକ୍ଷା ନୀତି ପ୍ରଣୟନ କରାଯାଇଛି । ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି ଏକବିଂଶ ଶତାବ୍ଦୀର ଆବଶ୍ୟକତା ଅନୁସାରେ ଦେଶର ଯୁବକଙ୍କ ଜ୍ଞାନ ଓ ଦକ୍ଷତା ବୃଦ୍ଧି କରିବ । ଆଜିର ଯୁବବର୍ଗଙ୍କୁ ବୈଶ୍ୱିକ ନାଗରିକ ବନାଇବା ଦିଗରେ ନୂଆ ଶିକ୍ଷା ନୀତି ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ । ନୂଆ ଶିକ୍ଷା ନୀତି ଭାରତକୁ ବିଶ୍ୱର ଅଗ୍ରଣୀ ଦେଶ ଭାବରେ ସ୍ଥାପିତ କରିବ । ଗୋରଖପୁରର ଅଧ୍ୟାତ୍ମିକ ଚେତନା ଏବଂ ଜ୍ଞାନର ପରମ୍ପରାକୁ ଆଗକୁ ନେବା ପାଇଁ ଆଗାମୀ ଦିନରେ ପୂଣ୍ୟଭୂମି ଗୋରଖପୁରକୁ “ସ୍ପେଶାଲ ଏଜ୍ୟୁକେସନ ଜୋନ୍‌” ଭାବରେ ବିକଶିତ କରାଯିବ । ଭଗବାନ ଶିବ ଏବଂ ବୁଦ୍ଧଙ୍କ ପବିତ୍ର ଭୂମି, ଗୋରଖପୁରରେ ଯୁଗପୁରୁଷ ମହନ୍ତ ଦିଗବିଜୟନାଥ ଶତାବ୍ଦୀ ପୂର୍ବରୁ ଆଧ୍ୟାତ୍ମିକ ଚେତନାରେ ଆଗକୁ ବଢ଼ି ଏହି ଅଂଚଳରେ ସମାଜର ବିକାଶ ଏବଂ ବିକାଶର ଦାୟିତ୍ୱ ନେଇଥିଲେ । ଯାହାକୁ ପରବର୍ତୀ ସମୟରେ ମହନ୍ତ ଅବୈଦ୍ୟନାଥ ଏବଂ ଆଜିର ସମୟରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିକାଶର ଧାରାକୁ ଆଗକୁ ନେଉଛନ୍ତି । ଏମ୍ସ ଗୋରଖପୁର ହେଉ କିମ୍ବା ଦଶନ୍ଧି ପରେ ପୁନଃକାର୍ଯ୍ୟକ୍ଷମ ହୋଇଥିବା ଗୋରଖପୁର ସାର କାରଖାନା ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦେଉଥିବା ପ୍ରତିଶ୍ରୁତି କେବଳ ଭାଷାଣବାଜୀରେ ସୀମିତ ନୁହେଁ ବରଂ ନିର୍ଦ୍ଧାରିତ ସମୟରେ ସେହି ପ୍ରତିଶ୍‌ୁୃତି ବାସ୍ତବର ରୂପ ନେଉଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ୟୁପିରେ ମହାରଣା ପ୍ରତାପ ଶିକ୍ଷା ପରିଷଦର ପ୍ରତିଷ୍ଠା ସପ୍ତାହ ସମାରୋହରେ କେନ୍ଦ୍ରମନ୍ତ୍ରୀ ବିଭିନ୍ନ କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଯୁବକଙ୍କୁ ପୁରସ୍କାର ବିତରଣ କରିଥିଲେ । ଏହି ଅବସରରେ ତାମିଲନାଡୁର କୁନ୍ନୁର ଠାରେ ଦୁର୍ଭାଗ୍ୟପୂର୍ଣ୍ଣ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ସିଡିଏସ ଜେନେରାଲ ବିପିନ ରାୱତ, ତାଙ୍କ ଧର୍ମପତ୍ନୀ ଏବଂ ଭାରତୀୟ ସେନାର ୧୧ ବୀର ଯବାନଙ୍କୁ ଏକ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଦେଶ ସେବାରେ ସମର୍ପିତ ରହିବାରେ ଏହି ବୀର ଯବାନଙ୍କ ବିଚାର ଆଗାମୀ ପିଢ଼ିଙ୍କୁ ସର୍ବଦା ଅନୁପ୍ରାଣିତ କରିବ ବୋଲି ସେ କହିଛନ୍ତି । ———————-

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ