ରାସନ୍ କାର୍ଡ ନଥିବା ଗରିବ ପରିବାରକୁ ରାସନ ମିଳିବାକୁ ନେଇ ଦାବି
କୋଦଳା,(ଗୁଲସନ୍ କୁମାର କର): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଖାଦ୍ୟ ସୁରକ୍ଷା ଯୋଜନା ମାଧ୍ୟମରେ ଦିଆଯାଉଥିବା ଚାଉଳ ଓ ଗହମ ପାଇବାରୁ ଅନେକ ଗରିବ ଲୋକ ମାନେ ବଞ୍ଚିତ ହୋଇଥିବା ଜଣାପଡିଛି। ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଓ କୋଦଳା ଏନଏସି ଅନ୍ତର୍ଗତ ଅନେକ ଗରିବ ହିତାଧିକାରୀ ମାନେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଦରଖାସ୍ତ କରି ସୁଧା ବଞ୍ଚିତ ହୋଇଛନ୍ତି। ଅନ୍ୟ ପକ୍ଷରେ କିଛି ଧନୀକ ଶ୍ରେଣୀର ବ୍ଯକ୍ତି ରାଜନୈତିକ ବ୍ଯକ୍ତି ବିଶେଷ ମାନଙ୍କୁ ହାତ ବାରସି କରି ଏହି କାର୍ଡ ହାତେଇ ଥିବା ବେଳେ ସରକାରୀ ତଥ୍ୟ ଅନୁସାରେ ୮୫ ଭାଗ ଗରିବ ଲୋକଙ୍କୁ ରାସନ କାର୍ଡ ପ୍ରଦାନ କରାଯାଇଛି ଏବଂ ଆଉ ନୂତନ କାର୍ଡ ପାଇଁ ଟାର୍ଗେଟ ନାହିଁ। ଯଦି କୌଣସି ଗରିବ ବ୍ଯକ୍ତିକୁ ଏହି ଯୋଜନାରେ ସାମିଲ କରାଯିବ ତେବେ ଅନ୍ୟ ଧନୀକ ଲୋକକୁ ବାଦ୍ ଦେଲେ ହିଁ କାର୍ଡ ପ୍ରଦାନ କରିବା ସମ୍ଭବ ହେବ। ଏବେ କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ଲକ୍ ଡାଉନ୍ କରାଯାଇଛି ।ଏହି ସମୟରେ ଗରିବ ଖଟିଖିଆ ମଜୁରିଆ ଭାବେ କାମ କରୁଥିବା ଲୋକ ଖାଇବାକୁ ନ ପାଇ ଚିନ୍ତାରେ ରହିଛି। କାର୍ଡ ନଥିବା ଯୋଗୁଁ ସରକାରଙ୍କ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛି। ଏଭଳି ସ୍ଥିତିରେ ସରକାର ଅଭିଯୋଗ ଅନୁସାରେ ପ୍ରକୃତ ଗରିବମାନଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ଚାଉଳ, ଗହମ, ଡାଲି ସମେତ ଆର୍ଥିକ ସହାୟତା ଦେବାକୁ ଦାବି ହେଉଛି।


