ରାସନ ସାମଗ୍ରୀ ଓ ଭତ୍ତା ନିଜ ଗାଁ ରେ ପ୍ରଦାନ ସହ ଦଶ ଦଫା ଦାବୀ
ସୋରଡ଼ା,(ୱାଇଏନଏସ):ଗଞ୍ଜାମ ସୋରଡ଼ା ଠାରେ ଗୌଡ଼ଗୋଠ ପଂଚାୟତର ଏକ ନମ୍ବର ଓ ଦୁଇ ନମ୍ବର ୱାର୍ଡ ଆଦିବାସୀ ସମୂହ ନିଜ ନିଜ ଗାଁ ରେ ରାସନ ସାମଗ୍ରୀ ଓ ଭତ୍ତା ପ୍ରଦାନ ବ୍ୟବସ୍ଥା ଦାବିନେଇ ସୋରଡ଼ା ବିଡ଼ିଓ କାର୍ଯ୍ୟାଳୟକୁ ଦୀର୍ଘ ସମୟ ଧରି ଘେରାଓ କରି ରଖିଛନ୍ତି l ସୂଚନା ଯୋଗ୍ୟ ଯେ, ଉପାନ୍ତ ଅଞ୍ଚଳ ଘାଟି ବଣ ପାହାଡ଼ ଗାଁରେ ରାସନ ଚାଉଳ ଓ ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତ୍ତା ଆଣିବା ପାଇଁ କଷ୍ଟ ହେଉଥିବାରୁ ତୁରନ୍ତ ଏହି ଅଂଚଳରେ ବଣ୍ଟନ କରିବା ପାଇଁ ଚାଷୀ ମୁଲିଆ ସଂଘ, ଓଡିଶା ଅଲ ଇଣ୍ଡିଆ କ୍ଷେତ ମଜଦୁର କିଷାନ ସଭା ସହ ଅନୁବନ୍ଧିତ ସୋରଡ଼ା ବ୍ଲକ କମିଟି ପକ୍ଷରୁ ଯଥା ସମ୍ଭବ ବିହିତ ପଦକ୍ଷେପ ନେବା ପାଇଁ ଶହ ଶହ ସଂଖ୍ୟାରେ ସୋରଡ଼ା କାଳୀ ମନ୍ଦିର ଠାରୁ ବିଶାଳ ଶୋଭାଯାତ୍ରା ବାହାରି ଗଣି ଛକ ହୋଇ ବିଡ଼ିଓ ଅଫିସ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରି ଘେରାଓ କରି ରଖିଥିଲେ l ଗୌଡ଼ଗୋଠ ପଂଚାୟତକୁ ଆସିବା ପାଇଁ ପ୍ରାୟ ୧୨କିମି ରାସ୍ତା ବଣ ପାହାଡ଼ ଘାଟି ରାସ୍ତା ଦେଇ ଚାଲି ଚାଲି ରାସନ ଚାଉଳ ମୁଣ୍ଡରେ ବୋହି ବାର୍ଦ୍ଧକ୍ୟ, ବିଧବା, ଭିନ୍ନକ୍ଷମ ଭତ୍ତା ନେବାକୁ ହେଉଛି । ଅନ୍ୟପଟେ କନ୍ଧମାଳ ଜିଲ୍ଲା ମଧ୍ୟ ଦେଇ ଗୌଡ଼ଗୋଠ ପଂଚାୟତକୁ ଆସିଲେ ପ୍ରାୟ ୫୦ କିମି ଯିବାକୁ ପଡୁଛି। ଗର୍ଭବତୀ ଓ ଅନ୍ୟ ରୋଗୀ ମାନଙ୍କୁ ୧୨ କିମି ଦୋଳି କରି ଧରି ଆଣିଲା ବେଳେ ଅଧା ବାଟରେ ଜୀବନ ଚାଲିଯିବାର ନଜିର ଅଛି। ଏହି ଆଦିବାସୀ ଗ୍ରାମ ଗୁଡିକର ବିଭିନ୍ନ ମୌଳିକ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଦଶ ଦଫା ଦାବି ପତ୍ର ଜିଲ୍ଲାପାଳ ଓ ବିଡିଓଙ୍କୁ ପ୍ରଦାନ କରାଯାଇଛି ଯଥା ଦୁଇ ନମ୍ବର ୱାର୍ଡ ର କୁଡୁମା, ତୁହାରୁ,କେରାଞ୍ଜଳି,ହେପ୍ରେମା ଆଦି ଗ୍ରାମର ରାସନ କାର୍ଡ ସଂଖ୍ୟା ୯୫ ଓ ଭତ୍ତା ସଂଖ୍ୟା ୩୫ ଟି ଅଟେ। କୁଡୁମା ଗ୍ରାମରେ ରାସନ ଚାଉଳ ଓ ଭତ୍ତା ବଣ୍ଟନ କରିବା,ଏକ ନମ୍ବର ୱାର୍ଡର ସାରାପାଡ଼ି, ଦୁଦୁବୁରୀ, କୁଟାମା ଆଦି ଗ୍ରାମର ପ୍ରାୟ ୭୧ଟି ରାସନ କାର୍ଡ ଓ ୨୮ଟି ଭତ୍ତା ହିତାଧିକାରୀ ମାନଙ୍କୁ ବାର୍ଦ୍ଧକ୍ୟ ଓ ବିଧବା ତଥା ଭିନ୍ନକ୍ଷମ ଭର୍ତ୍ତା ସାରାପାଡ଼ି ଗାଁରେ ବଣ୍ଟନ କରିବା,ଗୌଡ଼ଗୋଠ ପଞ୍ଚାୟତ ଠାରୁ ଭାୟା ସାରାପାଡ଼ି ହୋଇ କୁଡୁମା କୁ ୨୦୨୩ ମସିହାରେ ୧୨ କୋଟି ଟଙ୍କା ମଂଜୁର ହୋଇସାରିଥିଲେ ମଧ୍ୟ ରାସ୍ତାକାମ ଦୀର୍ଘ ବର୍ଷରୁ ବନ୍ଦ ରହିଛି l ତୁରନ୍ତ ଉକ୍ତ ରାସ୍ତା କାମ ସଂପୂଣ୍ଣ କରିବା,ଆଦିବାସୀ ଉପାନ୍ତ ବଣ ପାହାଡ଼ ଅଂଚଳ ହୋଇଥିବାରୁ ନୂତନ ପ୍ରାଥମିକ ଚିକିତ୍ସାଳୟ ଦୁଇ ନମ୍ବର ୱାର୍ଡର ତୁହାରୁ ଗ୍ରାମରେ ନିର୍ମାଣ କରିବା,ଏକ ନମ୍ବର ଓ ଦୁଇ ନମ୍ବର ୱାର୍ଡ ସମ୍ପୂର୍ଣ୍ଣ ଆଦିବାସୀ ଅଞ୍ଚଳ ହୋଇଥିବାରୁ ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବା,ଏକ ନମ୍ବର ଓ ଦୁଇ ନମ୍ବର ୱାର୍ଡରେ ଜମିରେ ପାଣି ନଥିବାରୁ ତୁରନ୍ତ ଉଠା ଜଳସେଚନ ବ୍ୟବସ୍ତା କରିବା, ଦୁଇ ନମ୍ବର ୱାର୍ଡର କୁଡୁମା ଗ୍ରାମରେ ନୂତନ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ କରିବା,ଏକ ନମ୍ବର ଓ ଦୁଇ ନମ୍ବର ୱାର୍ଡ ସମସ୍ତ ପରିବାରକୁ ଘରବାରି ପଟ୍ଟା ପ୍ରଦାନ କରିବା,ଏକ ନମ୍ବର ୱାର୍ଡର ସାରାପାଡ଼ି ଗ୍ରାମରେ ମୋବାଇଲ ଟାୱାର ନିର୍ମାଣ କରିବା,ପ୍ରତ୍ୟକ ଆଦିବାସୀ ଗ୍ରାମରେ ରାସ୍ତା ନିର୍ମାଣ କରିବା। ଏହି ବିକ୍ଷୋଭ ରେ ବ୍ଲକ ସଭାପତି କୈଳାଶ ମଳିକ, ସମ୍ପାଦକ ନମଶିବା ନାଇକଙ୍କ ନେତୃତ୍ୱରେ ବରିଷ୍ଠ ଆଇନଜୀବୀ ଅବନୀ କୁମାର ଗୟା, ଚାଷୀ ମୁଲିଆ ସଂଘ, ଓଡ଼ିଶାର ରାଜ୍ୟ ନେତା ନିରାକାର ନାୟକ, ୱାର୍ଡ ମେମ୍ବର ଅନାମ ମଳିକ, ଅରବିନ୍ଦ ମଳିକ, ଅଞ୍ଚଳ କମିଟି ଆବ୍ରହାମ ମଳିକ,କମ୍ପ୍ଲେନ୍ଦ୍ର ମଳିକ, ରଶାନ୍ତ ମଳିକ,ସନାତନ ମଳିକ ପ୍ରମୁଖ ନେତୃତ୍ୱ ନେଇଥିଲେ।