ରାସନ ସାମଗ୍ରୀ ବଂଟନରେ ହେରଫେର ମହିଳାଙ୍କୁ ଦୁର୍ବ୍ୟବହାର ଯୋଗାଣ ନିରୀକ୍ଷକଙ୍କଠାରେ ଅଭିଯୋଗ
ଯୋଡ଼ା (ସମୀର କୁମାର ଦାସ) : ପୌରପାଳିକା ୩ନଂ ଓାର୍ଡ କୁନ୍ଦୁରୁନାଲାର ରାସନ ସାମଗ୍ରୀ ଡିଲର ରାସନ ସାମଗ୍ରୀ ବଂଟନରେ ହେରଫେର କରିବା ସହିତ ମହିଳାମାନଙ୍କୁ ଦୁର୍ବ୍ୟବହାର କରୁଥିବା ଯୋଡା ଯୋଗାଣ ନିରୀକ୍ଷକଙ୍କଠାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଜଣାପଡିଛି ଯେ, ଦୀର୍ଘ ୨୫ ବର୍ଷ ହେବ ଉକ୍ତ ଓାର୍ଡର ନରହରି ପାତ୍ରଙ୍କୁ ସରକାରଙ୍କ ପକ୍ଷରୁ ରାସନ ସାମଗ୍ରୀ ଡିଲର ଦିଆଯାଇଛି । ପୂର୍ବରୁ କିଛି ରାସନକାର୍ଡ ହିତାଧିକାରୀ ରାସନ ସାମଗ୍ରୀ ନେଇଥିଲେ ହେଁ, କିଛି ଦିନ ହେବ ଡିଲର ନରହରି ପାତ୍ର ସେମାନଙ୍କୁ ଏଠାରେ ତୁମ ରାସନକାର୍ଡ ନମ୍ବର ନାହିଁ କହି ରାସନ ସାମଗ୍ରୀ ଦେଉ ନାହାନ୍ତି । ବହୁ ହିତାଧିକାରୀ ଡିଲର ନରହରି ପାତ୍ରଙ୍କଠାରୁ କିରୋସିନ୍ ଉଠାଇନଥିଲେ ମଧ୍ୟ କାର୍ଡରେ କିରୋସିନ ଉଠାଯିବାର ଦର୍ଶାଯାଇଛି । ମହିଳା ପଦ୍ମିନୀ ପାତ୍ର, ନମିତା ପାତ୍ର, ରେବତୀ ପାତ୍ର, ପାର୍ବତୀ ପାତ୍ର,ଗୀତା ଦାସ ପ୍ରମୁଖ ତାଙ୍କ ଅଭିଯୋଗରେ କହିଛନ୍ତି ଯେ, ନୂତନ ରାସନକାର୍ଡ ହିତାଧିକାରୀଙ୍କ ଲିଷ୍ଟ ଆସିଛି । ମାତ୍ର ଡିଲର ନରହରି ପାତ୍ର ଲିଷ୍ଟକୁ କାନ୍ଥରେ ନମାରି ନୂତନ ରାସନକାର୍ଡ ଲିଷ୍ଟ ଦେଖାଇବା ପାଇଁ କହିଲେ , ମୋ ପାଖରେ ନାହିଁ ବୋଲି କହି ଧମକଚମକ ଦେବା ସହିତ ମହିଳାମାନଙ୍କୁ ଦୁର୍ବ୍ୟବହାର କରୁଛନ୍ତି । ସେମାନେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଏନେଇ ଏକ ବୈଠକ କରାଯିବା ପାଇଁ ନିଷ୍ପତି ହୋଇଥିଲା । ମାତ୍ର ଉକ୍ତ ଦିନ ରାସନ ସାମଗ୍ରୀ ଆଣିବା ପାଇଁ ଯାଇଥିବା କିଛି ହିତାଧିକାରୀଙ୍କୁ ବୈଠକକୁ ନଯିବାକୁ ଧମକ ଦେବା ସହିତ ବୈଠକକୁ ଗଲେ ରାସନ ସାମଗ୍ରୀ ଦିଆଯିବ ନାହିଁ ବୋଲି ଡିଲର ନରହରି ପାତ୍ର ଧମକ ଦେଇଥିଲେ । ଡିଲର ନରହରି ପାତ୍ରଙ୍କ ଅତ୍ୟଧିକ ଅତ୍ୟାଚାର ଓ ଦୁର୍ବ୍ୟବହାର ସହିନପାରି ସେମାନେ ଏହି ଅଭିଯୋଗ କରିଥିବା କହିଛନ୍ତି ଏବଂ ଡିଲର ନରହରି ପାତ୍ରଙ୍କ ଡିଲରସିପ୍ ବାତିଲ କରି ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀକୁ ଡିଲରସିପ ଦିଆଗଲେ ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି ସେମାନେ କହିଛନ୍ତି । ଅଭିଯୋଗକୁ ଅନୁଧ୍ୟାନ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେମାନେ ଦାବି କରିଛନ୍ତି ।