ରାସ୍ତାରେ ଛାତ୍ରୀଙ୍କୁ ଏସିଡ୍ ମାଡ, ସନ୍ଦେହରେ ଜଣେ ଅଟକ
ବନ୍ତ-(ଯୁଗାଦ୍ଧ ନ୍ୟୁଜ୍) : ଗୁରୁବାର ବନ୍ତ ଥାନା ଅଧିନ ବାଙ୍ଗୋରପଦୀ ଓ ଜଗଦୀଶପୁର ଗ୍ରାମର ଦୁଇ ଜଣ ଛାତ୍ରୀଙ୍କ ଉପରକୁ ଜଣେ ଯୁବକ ଏସିଡ୍ ମାଡ କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ପ୍ରକାଶ ଯେ, ବନ୍ତ ବାଳିକା ହାଇସ୍କୁଲରେ ଦଶମ ଶ୍ରେଣୀରେ ପଢୁଥିବା ବାଙ୍ଗୋରପଦୀ ଗ୍ରାମର ଶ୍ରୀକାନ୍ତ ସାହୁଙ୍କ ଝିଅ ସୁସ୍ମିତା ସାହୁ ଏବଂ ନବମ ଶ୍ରେଣୀରେ ପଢୁଥିବା ଜଗଦୀଶପୁର ଗ୍ରାମର ବିପିନ କୁମାର ସାହୁଙ୍କ ଝିଅ ସ୍ମୃତିରେଖା ସାହୁ ବିଦ୍ୟାଳୟକୁ ଯାଉଥିବା ବେଳେ ବନ୍ତ ଡିଗି ଛକ ଠାରେ ଜଣେ ଯୁବକ ସେମାନଙ୍କ ଉପରକୁ ଏସିଡ୍ ପକାଇଥିଲେ । ଫଳରେ ଛାତ୍ରୀ ଦୁଇ ଜଣଙ୍କୁ ପ୍ରଥମେ ବନ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଭଦ୍ରକ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଏହି ଘଟଣାରେ ପୋଲିସ କଣ୍ଟାପଡା ଗ୍ରାମର ଜଣେ ଯୁବକକୁ ଥାନାକୁ ଆଣି ପଚରା ଉଚରା କରୁଛି । ପ୍ରକାଶ ଥାଉକି, ଗତ କିଛି ଦିନ ତଳେ ଏହି ଛାତ୍ରୀ ଦୁଇ ଜଣ ଟିଉସନରୁ ଫେରୁଥିବା ବେଳେ ସେମାନଙ୍କୁ ଅସଦ ବ୍ୟବହାର କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ପରେ ତାହା ଉଭୟ ପକ୍ଷଙ୍କ ଦ୍ୱାରା ସମାଧାନ ହୋଇଥିଲା । ତେବେ ଆଜିର ଘଟଣା ପୂର୍ବ ଆକ୍ରୋଶକୁ ନେଇ ହୋଇଥିବା ଆଲୋଚନା ହେଉଛି ।