ରାସ୍ତାରେ ମୋବାଇଲ ଓ ବ୍ୟାଗ ଛଡାଇ ନେଉଥିବା ୩ ଲୁଟେରାଙ୍କ ସମେତ ୫ଗିରଫ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ଟାଉନ ଥାନା ପୋଲିସ ଦ୍ୱାରା ରାସ୍ତାରେ ମୋବାଇଲ ଓ ବ୍ୟାଗ ଛଡାଇ ନେଉଥିବା ୩ଲୁଟେରାଙ୍କ ସମେତ ୫ଜଣଙ୍କୁ ଗିରଫ ହୋଇଥିବା ଜଣାପଡିଛି । ଏହି ଉପଲକ୍ଷେ ଟାଉନ ଥାନା ଅଧିକାରୀ ଗୈାରାଙ୍ଗ ଚରଣ ପୃଷ୍ଟିଙ୍କ ଦ୍ୱାରା ଥାନା ପରିସରରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପୃଷ୍ଟି କହିଥିଲେ ଯେ ଗତ କିଛିଦିନ ଧରି ଟାଉନ ଥାନା ଅଞ୍ଚଳ ସମେତ କେନ୍ଦ୍ରାପଡା ସଦର ଥାନା ଅଞ୍ଚଳର କେତେକ ସ୍ଥାନର ରାସ୍ତା ଉପରୁ କଲେଜପିଲାଙ୍କ ଠାରୁ ମୋବାଇଲ ଓ ବ୍ୟାଗ ଛଡାଇ ନେଉଥିବା ଏକ ଗ୍ୟାଙ୍ଗ ସକ୍ରୀୟ ହୋଇପଡିଥିଲା । ଏଭଳି ଅଭିଯୋଗ ବାରମ୍ବାର କେନ୍ଦ୍ରାପଡା ସଦର ଥାନା ଓ ଟାଉନ ଥାନାରେ ହେବା ପରେ ଘଟଣାର ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡ଼କରଙ୍କ ନିର୍ଦେଶ କ୍ରମେ ଟାଉନ ଥାନାର ସବଇନିସପେକ୍ଟର ରତିରଞ୍ଜନ ନାୟକଙ୍କ ନେତୃତ୍ୱରେ ହାବିଲଦାର ନରେନ୍ଦ୍ରନାଥ ସୋରେନଙ୍କ ସମେତ ଅନ୍ୟ ୩ଜଣଙ୍କୁ ନେଇ ଏକ ପୋଲିସ ଟିମ ଗଠନ କରାଯାଇଥିଲା । ସେହି ଟିମ ଗତ ୭ତାରିଖରେ କାକଟଲକ ନିକଟରେ ଜଣେ କଲେଜ ଛାତ୍ରୀଙ୍କ ଠାରୁ ବ୍ୟାଗ ଛଡେଇ ନେବା ମାମଲା ସମ୍ପର୍କରେ ସେହି ରାସ୍ତାରେ ଥିବା ଏକ ଘରୋଇ ସିସିଟିଭିର ଫୁଟେଜକୁ ଆଧାରକରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପୋଲିସ ଟିମ ପ୍ରଥମେ ଏହି ମୋବାଇଲ ଓ ବ୍ୟାଗ ଛଡାଇ ନେବା ଗ୍ୟାଙ୍ଗର ମୁଖ୍ୟ ଟାଉନ ଥାନା ଅନ୍ତର୍ଗତ ଟାଉନ ବଳରାମପୁର ଗ୍ରାମର ରମେଶ ବେହେରାଙ୍କ ପୁଅ କମଳାକାନ୍ତ ବେହେରା ଓରଫ କାଳିଆକୁ ଧରିବାକୁ ସକ୍ଷମ ହୋଇଥିଲା । ପରେ କାଳିଆକୁ ପଚରାଉଚରା କରିବା ପରେ ଅନ୍ୟ ୨ଜଣ ଅଭିଯୁକ୍ତ ଟାଉନ ଥାନା ଅନ୍ତର୍ଗତ ଭଗବାନପୁର ଗ୍ରାମର ବିଜୟ ସ୍ୱାଇଁଙ୍କ ପୁଅ ମୁରଲୀଧର ସ୍ୱାଇଁ(୧୯) ଓ ସେହି ଥାନା ଅନ୍ତର୍ଗତ ଚକଡା ଗ୍ରାମର ଜର୍ନାଦନ ସୁଆରଙ୍କ ପୁଅ ପ୍ରସନ୍ନଜିତ ସୁଆର ଓରଫ କପୁର(୧୮)ଙ୍କୁ ଗିରଫ କରିଥିଲା । ପରେ ଅଭିଯୁକ୍ତମାନଙ୍କ ଠାରୁ ସୂଚନା ପାଇ ସେମାନଙ୍କ ଠାରୁ ମୋବାଇଲ କିଣିଥିବା ଅଭିଯୋଗରେ କେନ୍ଦ୍ରାପଡା ଥାନା ଅନ୍ତର୍ଗତ ଆଳିଜଙ୍ଗା ଗ୍ରାମର ଧିରେନ୍ଦ୍ର ନାଥ ନାୟକଙ୍କ ପୁଅ ରଞ୍ଜନ କୁମାର ନାୟକ(୨୫) ଓ ମାର୍ଶାଘାଇ ଥାନା ଅନ୍ତର୍ଗତ ଚକରପୁର ଗ୍ରାମର ବଳଭଦ୍ରନାଥ ଶର୍ମାଙ୍କ ପୁଅ ଚନ୍ଦନ ଶର୍ମା(୨୫)କୁ ଗିରଫ କରିଥିଲା । ୩ଜଣ ଅଭିଯୁକ୍ତଙ୍କୁ ପୋଲିସ ପଚରାଉଚରା କରିବା ପରେ ଜଣା ପଡିଥିଲା ଯେ ସେମାନେ କେନ୍ଦ୍ରାପଡା ସହରର ଟାଉନବଳରାମପୁର ନିକଟସ୍ଥ ଗ୍ରୀସଫିଲଡରେ ବସି ଏହିସବୁ ଲୁଟର ଯୋଜନା କରିଥାନ୍ତି । ପରେ ବିଭିନ୍ନ ସ୍ଥାନରେ ମୁଖ୍ୟତଃ କଲେଜ ପିଲାମାନଙ୍କୁ ଟାର୍ଗେଟ କରି ସେମାନଙ୍କ ଠାରୁ ମୋବାଇଲ ଓ ବ୍ୟାଗ ପ୍ରଭୃତି ଛଡାଇ ନେଇଥାନ୍ତି । ବ୍ୟାଗରେ ଥିବା ଅର୍ଥ ଏବଂ ମୋବାଇଲକୁ ବିକ୍ରୀକରି ସେହି ଅର୍ଥରେ ମଦ ପିଇଥାନ୍ତି ବୋଲି ଅଭିଯୁକ୍ତମାନେ ପୋଲିସକୁ କହିଥିବା ସୂଚନା ଦିଆଯାଇଛି । ଅଭିଯୁକ୍ତମାନଙ୍କ ମଧ୍ୟରୁ ପ୍ରସନ୍ନଜିତ ନିକିରାଇ କଲେଜରେ +୨ କଳାର ପ୍ରଥମବର୍ଷ ଛାତ୍ର ହୋଇଥିବା ବେଳେ ଅନ୍ୟ ୨ଜଣ ଶ୍ରମିକ ଶ୍ରେଣୀର ବୋଲି ପୋଲିସ କହିଛି । ଅଭିଯୁକ୍ତମାନଙ୍କ ଠାରୁ ପୋଲିସ ଗୋଟିଏ ବାଜାଜ ଡିସ୍କଭର ବାଇକ(ନଂ- ଓଡି-୨୯ଏ- ୨୧୧୧) ସମେତ ୭ଟି ମୋବାଇଲ ଫୋନ ଜବତ କରିଛି । ଏହି ଲୁଟ ଘଟଣାରେ ଟାଉନ ଥାନାରେ କେଶ ନମ୍ବର- ୭୫/୨୦୨୨ରେ ଆଇପିସିର ୩୭୯ଦଫାରେ ଏବଂ ୭୭/୨୦୨୨ରେ ଆଇପିସିର ଦଫା ୩୭୯ରେ ଦୁଇଟି ମାମଲା ରୁଜୁ ହୋଇଛି । ଏହି ଅଭିଯୁକ୍ତମାନେ କେନ୍ଦ୍ରାପଡା ସଦର ଥାନା ଅଞ୍ଚଳରେ ଏଭଳି ଲୁଟ ହୋଇଥିବା ଅନ୍ୟ ୩ଟି ଘଟଣାରେ ମଧ୍ୟ ସଂପୃକ୍ତ ଥିବା ପୋଲିସ କହିଛି । ଏମାନଙ୍କର ଏକ ୭ଜଣିଆ ଗ୍ୟାଙ୍ଗ ଥିବା ବେଳେ ଖୁୁବଶୀଘ୍ର ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ଟାଉନ ଥାନା ଅଧିକାରୀ ଶ୍ରୀ ପୃଷ୍ଟି ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତମାନଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି ।