ରାସ୍ତାରୋକ ସମୟ ରେ ୨ ଯୁବକଙ୍କୁ ଘାତକ ଆକ୍ରମଣ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷ ଉପ ନିର୍ବାଚନ ସ୍ଥଗିତ ପରେ ଉତ୍ୟକ୍ତ ଜନତାଙ୍କ ରାସ୍ତାରୋକ ସମୟରେ ବାଇକ ରେ ଯାଉଥିବା ୨ ଯୁବକଙ୍କୁ ଘାତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଘଟଣା ରେ ସମ୍ପୃକ୍ତ ଯୁବକ ଙ୍କୁ ପୋଲିସ ଥାନାରେ ଅଟକ ରଖି ତଦନ୍ତ ଚଳାଇଛନ୍ତି। ପ୍ରକାଶ ଯେ, ଗୁରୁବାର ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷା ନିର୍ବାଚନ ସ୍ଥଗିତ କୁ ବିରୋଧ କରି ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଜିଲାପରିଷଦ ସଦସ୍ୟ ବିପିନ ଚନ୍ଦ୍ର ପ୍ରଧାନ ଙ୍କ ସମର୍ଥକ ମାନେ ସ୍ଥାନୀୟ ପୁଞ୍ଜିକୟା ଛକଠାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ସେହି ସମୟରେ ଦିଗପହଣ୍ଡି ର ୨ ଜଣ ସାଙ୍ଗ ଟୁଲୁ ଗୈାଡ ଓ କାହ୍ନୁ ଚରଣ ସାହୁ ଏକ ବାଇକ ରେ ଧର୍ମପୁର ରୁ କାମସାରି ଦିଗପହଣ୍ଡି ଆସୁଥିଲେ । ରାସ୍ତାରୋକ କରିଥିବା କିଛି ଯୁବକ ଉଭୟଙ୍କୁ ଅଟକାଇ ଥିଲେ । କଥାବାର୍ତ୍ତା ସମୟରେ କିଛି ଯୁବକ ପ୍ରଥମେ ବାଇକକୁ ଗୋଇଠା ମାରିବା ପରେ ଟୁଲୁ ଓ କାହ୍ନୁ ତଳେ ପଡି ଯାଇଥିଲେ । ଏହାପରେ ଉତ୍ୟକ୍ତ ଯୁବକ ଙ୍କ ମଧ୍ୟରୁ କେ.ନୂଆଗାଁ ଥାନା ବାଇଗଣବାଡି ଗ୍ରାମର ସାଗର ଦାସ ନାମକ ଜଣେ ଯୁବକ ଉଭୟଙ୍କୁ ଘାତକ ଆକ୍ରମଣ କରିଥିଲେ । ଫଳରେ ଉଭୟଙ୍କ ମୁଣ୍ଡ ଫାଟି ଯାଇଥିଲା। ଘଟଣାସ୍ଥଳ ରେ ଉପସ୍ଥିତ କିଛି ବ୍ୟକ୍ତି ଉଭୟ ପକ୍ଷଙ୍କ ମଧ୍ୟରେ ମିଳାମିଶା କରିଥିଲେ। ପରେ ଆହାତ ଦୁଇ ଯୁବକ ଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା । ଖବର ପାଇ ଦିଗପହଣ୍ଡି ର ବହୁ ସଂଖ୍ୟକ ଯୁବକ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ପହଞ୍ଚିବା ପରେ ସେଠାରୁ ଦିଗପହଣ୍ଡି ଥାନା କୁ ଯାଇ ଏତଲା ଦେଇଥିଲେ। ଥାନା ଆଇ ଆଇ ସି ଦିପ୍ତୀରଞ୍ଜନ ବେହେରା ଆକ୍ରମଣ କରିଥିବା ଯୁବକଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଥିବା ଜଣାପଡିଛି।


