ରାସ୍ତା ଅବରୋଧ ପ୍ରତିବାଦରେ ଜିଲ୍ଲାପାଳଙ୍କୁ ଅଭିଯୋଗ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରପଡା ଆଳି ତହସିଲ ଅନ୍ତର୍ଗତ ଏକମାଣିଆ ଗ୍ରାମପଂଚାୟତର ଅଧିବାସୀମାନେ ଶୁକ୍ରବାର ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ତାଙ୍କ ଆବାସିକ କାର୍ଯ୍ୟାଳୟରେ ଭେଟି ଅଭିଯୋଗ କରିଛନ୍ତି ଯେ ସେହି ପଂଚାୟତର ଦକ୍ଷିଣଡିହା ଗ୍ରାମରେ ଦୀର୍ଘ ଦେଢଶହ ବର୍ଷରୁ ଉର୍ଦ୍ଧ୍ୱ ହେବ ରହି ଆସିଥିବା ଯାତାୟତ ରାସ୍ତାକୁ ଜନୈକ ବ୍ୟକ୍ତିଙ୍କ ଦ୍ୱାରା ଅବରୋଧ କରାଯିବା ଫଳରେ ଗ୍ରାମବାସୀମାନେ ଯାତାୟତରେ ଘୋର ଅସୁବିଧାର ସମ୍ମୁଖୀନ ହେବା ସହ ସେହିବାଟ ଦେଇ ସ୍କୁଲକୁ ଯାଉଥିବା ଛାତ୍ରଛାତ୍ରୀମାନେ ମଧ୍ୟ ସ୍କୁଲକୁ ଯିବାରେ ଗୁରୁତ୍ତର ବାଧା ଉପୁଜିଛି । ଦକ୍ଷିଣଡିହା ଗ୍ରାମରେ ଆବହମାନ କାଳରୁ ସର୍ବସାଧାରଣଙ୍କ ଦ୍ୱାରା ବ୍ୟବହୃତ ହୋଇଆସୁଥିବା ସେହି ଗ୍ରାମମୁଣ୍ଡର ରାସ୍ତାକୁ ଉପେନ୍ଦ୍ର କରଣଙ୍କ ପୁଅ ଭ୍ରମରବର କରଣ ନାମକ ବ୍ୟକ୍ତି ଜଣଙ୍କ ମାଙ୍କଡା ପଥର ପକାଇ ବାଡବୁଜି ବନ୍ଦ କରିଦେବାରୁ ସେହି ଗ୍ରାମରୁ ବାହାରକୁ ବାହାରିବାକୁ ଆଉ କୈାଣସି ରାସ୍ତା ନଥିବାରୁ ଏବଂ ଗ୍ରାମର ପିଲାମାନେ ସେହି ଏକମାତ୍ର ରାସ୍ତା ଦେଇ ବିଦ୍ୟାଳୟକୁ ଯିବାରେ ଗୁରୁତ୍ତର ବାଧା ସୃଷ୍ଟି ହୋଇଛି । ଏତଦବ୍ୟତିତ ପଂଚାୟତର ଲୋକମାନେ ମଧ୍ୟ ସେହି ବାଟଦେଇ ଯିବାଆସିବା କରିଥାନ୍ତି । ଏ ସମ୍ପର୍କରେ ସଂପୃକ୍ତ ବ୍ୟକ୍ତିଙ୍କୁ ବାରମ୍ବାର ନିବେଦନ କରାଯାଇଥିଲେ ମଧ୍ୟ ସେ କିଛି ଶୁଣୁନଥିବାରୁ ଶେଷରେ ଗ୍ରାମବାସୀମାନେ ଆଳି ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ଆଳି ଥାନା ଅଧିକାରୀ ସେହି ଅଭିଯୋଗ ଉପରେ କୈାଣସି ପଦକ୍ଷେପ ଗ୍ରହଣ ନକରିବାରୁ ସେମାନେ ବାଧ୍ୟହୋଇ ଶୁକ୍ରବାର ସଂନ୍ଧ୍ୟାରେ ଜିଲ୍ଲାପାଳଙ୍କ ଆବାସୀକ କାର୍ଯ୍ୟାଳୟରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ସାକ୍ଷାତକରି ଏହି ସମସ୍ୟାର ସମାଧାନ ପାଇଁ ନିବେଦନ କରିଥିଲେ । ଜିଲ୍ଲାପାଳ ଏ ସମ୍ପର୍କରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଳି ତହସିଲଦାରଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି । ଏକମାଣିଆ ପଂଚାୟତ ସରପଂଚ ଗୀତାଞ୍ଜଳି ମଲ୍ଲିକଙ୍କ ସମେତ ଗ୍ରାମବାସୀଙ୍କ ପକ୍ଷରୁ ମକର ଚରଣ ରାଉତ,ପୂର୍ଣ୍ଣଚନ୍ଦ୍ର ରାଉତ,ଭରତ ଚନ୍ଦ୍ର ରାଉତ,ସନ୍ତୋଷ କୁମାର ଦାସ,ଆଦିକନ୍ଦ ଦାସ,ରବିନ୍ଦ୍ର ରାଉତ,ବିଶ୍ୱଜୀତ ବିଶ୍ୱାଳ,ଭୀମସେନ ରାଉତ,ଶରତ କୁମାର ନାୟକ,ଫକିର ବିଶ୍ୱାଳ,ମଙ୍ଗୁଳି ରାଉତ,ବନିତା ବିଶ୍ୱାଳ ପ୍ରମୁଖ ଶତାଧିକ ଲୋକ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଥିଲେ ।