ରାସ୍ତା ଉପରୁ ପରିବା ବ୍ୟବସାୟୀଙ୍କୁ ହଟାଇଲା ପ୍ରଶାସନ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳିକାଟୁ ପୈାରାଞ୍ଚଳ ପନିପରିବା ମାର୍କେଟ ମୁଖ୍ୟ ରାସ୍ତା ଉପରେ ବସି ବ୍ୟବସାୟ କରୁଥିବା ପରିବା ବ୍ୟବସାୟୀଙ୍କୁ ହଟାଇଛି ପ୍ରଶାସନ। ହିଞ୍ଜିଳିକାଟୁ ଠାରୁ ପରିବା ବଜାର ଦେଇ ତାରାତାରିଣୀ, ଖରିଡା , ଆଲପୁର, ପୁରୁଷୋତ୍ତମପୁର, ସିକିରି, ରାଳବ, ଅନ୍ତରିଗାଁ, କୋଳିଦାସପୁର ପ୍ରମୁଖ ଗାଁ କୁ ବହୁ ଯାତ୍ରୀ ପରିବହନ କାରୀ ବସ୍, କାର୍, ଅଟୋ ସମେତ ମାଲ୍ ପରିବହନ କାରୀ ଯାନବାହାନ ଗୁଡିକ ଚଳାଚଳ କରୁଛି। ଏପରିକି ସଂପୃକ୍ତ ରାସ୍ତାଦେଇ କେନ୍ଦ୍ରୀୟ ବିଦ୍ୟାଳୟ, ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟକୁ ବହୁ ଶିକ୍ଷାର୍ଥୀ ଯାତାୟତ କରିବା ସହ ବିଭିନ୍ନ କାର୍ଯ୍ୟରେ ବହୁ ପଥଚାରୀ ଡାକ କାର୍ଯ୍ୟାଳୟକୁ ଯାତାୟତ କରିଥାନ୍ତି। ପରିବା ବଜାର ରାସ୍ତାର ଉଭୟ ପାର୍ଶ୍ବରେ ବହୁ କ୍ଷୁଦ୍ର ପରିବା ବ୍ୟବସାୟୀ ରାସ୍ତା ଉପରେ ବସି ବ୍ୟବସାୟ କରି ଆସୁଥିଲେ। ଫଳରେ ସଂପୃକ୍ତ ପରିବା ବଜାର ରାସ୍ତା ସଂକୀର୍ଣ୍ଣ ହେବା ସହ ଗାଡି ମୋଟର ଚଳାଚଳ ସମୟରେ ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସହ ବିଭିନ୍ନ ସମୟରେ ଛୋଟ ବଡ ଦୂର୍ଘଟଣା ଘଟୁଥିବା ନଜିର ରହିଥିଲା। ଘଟଣା ସମ୍ପର୍କରେ ବିଭିନ୍ନ ସମୟରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଖବର ପ୍ରକାଶିତ ପରେ ପ୍ରଶାସନ ଚେତିଛି। ବୁଧବାର ହିଞ୍ଜିଳିକାଟୁ ପୈାର ଓ ପୁଲିସ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ପୈାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା ଓ ହିଞ୍ଜିଳି ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ନେତୃତ୍ୱରେ ପୈାର ଏନଫୋର୍ସମେଣ୍ଟ ଟିମ୍ ଓ ପୁଲିସ ପ୍ରଶାସନ ପରିବା ମାର୍କେଟରେ ପହଞ୍ଚି ରାସ୍ଥା ଉପରେ ବସି ୪୦ ରୁ ଉର୍ଦ୍ଧ୍ୱ କ୍ଷୁଦ୍ର ପରିବା ବ୍ୟବସାୟୀଙ୍କୁ ରାସ୍ତାରୁ ହଟାଇଛି। ଥାନା ଏସଆଇ ସୁନିଲ କଣ୍ଡାଗୋରି , ଏଏସଆଇ ଅନନ୍ତ ଶବର ଓ ପୈାର ଏନଫୋର୍ସମେଣ୍ଟ ଟିମ୍ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। କିଛି ଦିନର ବ୍ୟବଧାନ ପରେ ହିଞ୍ଜିଳି ପୁଲିସ ଓ ପୈାର ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ