ରାସ୍ତା ଓ ନାଳ ନିର୍ମାଣ ନେଇ ଅଧିକାରୀଙ୍କୁ ସାହି ବାସିନ୍ଦାଙ୍କ ଦାବିପତ୍ର ପ୍ରଦାନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌର ପରିଷଦର ୱାର୍ଡ ନଂ ୧ ଅନ୍ତର୍ଗତ ରେଲିପାପୁଡୁ ସାହିରେ ମଞ୍ଜୁରପ୍ରାପ୍ତ ସିସି ରାସ୍ତା ଓ ନାଳ ଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ନେଇ ଆଜି ସମ୍ପୃକ୍ତ ସାହି ବାସିନ୍ଦା ପାରଳା ପୌର ପରିଷଦ ନିର୍ବାହୀ ଅଧିକାରୀଙ୍କ ଦ୍ୱାରସ୍ତ ହୋଇଛନ୍ତି । ରେଲିପାପୁଡୁ ସାହିର ବହୁ ମହିଳା ଓ ପୁରୁଷ କେ.ଯୁବରାଜଙ୍କ ନେତୃତ୍ୱରେ ପୌର ପରିଷଦ ଅଧିକାରୀ ମହେନ୍ଦ୍ର କୁମାର ଭୂୟାଁଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାହିର ସିସି ରାସ୍ତା ଓ ନାଳ ସମସ୍ୟାକୁ ନେଇ ସାକ୍ଷାତ ଆଲୋଚନା କରି ଏବଂ ଶୀଘ୍ର ରାସ୍ତା ଓ ନାଳ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ସାହି ବାସିନ୍ଦା ସେମାନଙ୍କ ଦାବୀ ପତ୍ରରେ ସେମାନେ ଉଲ୍ଲେଖ କରିଛନ୍ତି ଯେ , ରେଲିପାପୁଡୁ ସାହିର ରାସ୍ତା ଓ ନାଳ ନ ଥିବା ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେବା ପରେ ସାହିର ଅଧା ରାସ୍ତା ଓ ନାଳ ସିମେଣ୍ଟ କଂକ୍ରିଟରେ ପାରଳାଖେମୁଣ୍ଡି ବିଧାୟକଙ୍କ ଅନୁଦାନ ପାଣ୍ଠିରେ ନିର୍ମାଣ ହୋଇଥିଲା । ଆଉ ବାକି ରହି ଯାଇଥିବା ଅଧା ରାସ୍ତା ଓ ନାଳ ନିର୍ମାଣ ପାଇଁ ପୌର ପରିଷଦ ଠାରେ ବାରମ୍ବାର ଦାବି ହେବା ଫଳରେ ସେଥିପାଇଁ ପୌର ପରିଷଦ ପକ୍ଷରୁ ସରକାରଙ୍କ ଉନ୍ନତି ଯୋଜନାରେ ନିର୍ମାଣ ହେବାପାଇଁ ଏଷ୍ଟିମେଟ କରାଯାଇ ସେଥିପାଇଁ ୩ ଲକ୍ଷ ୫୭ ହଜାର ୧୬୦ ଟଙ୍କାର ବ୍ୟୟ ଅଟକଳ କରାଯିବା ସହ ମଞ୍ଜୁର ହୋଇଥିଲା । ତେବେ ଏହା ହୋଇ ଦୀର୍ଘ ମାସ ବିତି ଯାଇଥିଲେ ମଧ୍ୟ ପୌର ପରିଷଦ କର୍ତ୍ତୃପକ୍ଷଙ୍କ ଉଦାସୀନତା ଓ ଅବହେଳା ଯୋଗୁଁ ଆଜିସୁଦ୍ଧା ସେହି ରାସ୍ତା ଓ ନାଳ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଉନି । ବର୍ଷା ହେଲେ ନାଳରୁ ପାଣି ଆସି ଶୋଚନୀୟ ଭାବେ ଖାଲଖମା ହୋଇ ପଡି ରହିଥିବା ରାସ୍ତାରେ ପାଣି ଜମିରହି ପୁତ୍ତି ଗନ୍ଧମୟ ହୋଇ ପଡୁଛି । ତେଣୁ ତୁରନ୍ତ ରେଲିପାପୁଡୁ ସାହିର ଅଧା ରହି ଯାଇଥିବା ସିସି ରାସ୍ତା ଓ ନାଳ ନିର୍ମାଣ କରିବା ପାଇଁ ସାହି ବାସିନ୍ଦା ପୌର ପରିଷଦ ନିର୍ବାହୀ ଅଧିକାରୀଙ୍କ ଠାରେ ଦୃଢ଼ ଦାବି କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।


