ରାସ୍ତା ଓ ପିଇବା ପାଣିର ସମସ୍ୟା ସମାଧାନ ନହେଲେ ଭୋଟ ବର୍ଜନ ଚେତାବନୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଆର୍‌.ଉଦୟଗିରି ବ୍ଲକ ଅନ୍ତର୍ଗତ ଅନଘା ଗ୍ରାମ ପଞ୍ଚାୟତ ଅଧିନସ୍ଥ ତୁବୁରୁସିଂ, ବାଲିଗୁମା ଓ ବେନୁ ସାହି ଗ୍ରାମ ବାସୀନ୍ଦାମାନେ ମୌଳିକ ସମସ୍ୟା ଯଥା, ରାସ୍ତା ଓ ପିଇବା ପାଣି ବଞ୍ôଚତ ଥିବାକୁ ନେଇ ସାଂସଦଙ୍କୁ ନିବେଦନ କରିଥିବାର ଜଣାପଡିଛି । ଏହାର ତୁରନ୍ତ ସମାଧାନ ନ ହେଲେ ଆଗାମୀ ଦିନରେ ଭୋଟ ବର୍ଜନ କରିବୁ ବୋଲି ଏମାନେ ଚେତାବନୀ ଦେଇଛନ୍ତି । ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ରାମଗିରି ଗସ୍ତବେଳେ ଉଲ୍ଲେଖିତ ଗ୍ରାମବାସୀମାନେ ଲିଖିତ ପତ୍ର ମାଧ୍ୟମରେ ସମସ୍ୟା ଗୁଡିକର ସମାଧାନ ନିମନ୍ତେ ନିବେଦନ କରିଛନ୍ତି । ସେମାନେ ଜଣାଇଛନ୍ତି ଯେ ଦୀର୍ଘ ବର୍ଷ ଧରି ତୁବୁରୁସିଂ, ବାଲିଗୁମା ଏବଂ ବେନୁସାହି ଗ୍ରାମାଞ୍ଚଳର ଲୋକେ ବିଭିନ୍ନ ମୌଳିକ ସମସ୍ୟାରେ ଜୁଝୁଥିବା ବେଳେ ଏହାର ପ୍ରତିକାର ପାଇଁ କୌଣସି ପଦକ୍ଷେପ ନିଆଯାଉ ନ ଥିବାର ପ୍ରକାଶ କରିଛନ୍ତି । ଏହି ଅଞ୍ଚଳରେ ଯିବା ଆସିବା ନିମନ୍ତେ ରାସ୍ତା ନଥିବାରୁ ନାନାଦି ସମସ୍ୟା ଉପୁଜୁଛି । ଯଦି ଓ ଏହି ଅଞ୍ଚଳ ଗୁଡିକରେ ଉକ୍ତ ରାସ୍ତା ସମସ୍ୟାର ସମାଧାନ କରିବାକୁ ହେଲେ କେବଳ ଜାମଜୋଲ ଗ୍ରାମ ଠାରୁ ଭାୟା ବେନୁସାହି, ବଡଗାଁ ଦେଇ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ୭ କିମି ରାସ୍ତା ନିର୍ମାଣ କରାଗଲେ ଏହି ତିନି ଖଣ୍ଡ ଗ୍ରାମର ୩୦୦ରୁ ଉର୍ଦ୍ଧ ଲୋକେ ଉପକୃତ ହୋଇପାରନ୍ତେ । ଏହା ବ୍ୟତୀତ ଉକ୍ତ ୩ ଖଣ୍ଡ ଗ୍ରାମବାସୀ ଗ୍ରୀଷ୍ମ ଋତୁରେ ଭୀଷଣ ପାନୀୟ ଜଳ କଷ୍ଟ ଭୋଗି ଆସୁଛୁ ବୋଲି ଜଣାଇଛନ୍ତି । ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ହୋଇ ପାରୁନଥିବା ଯୋଗୁଁ ଏହି ତିନି ଖଣ୍ଡ ଗ୍ରାମର ଗ୍ରାମବାସୀ ଗ୍ରୀଷ୍ମ ଋତୁରେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ମୌଳିକ ସମସ୍ୟା ଯୋଗୁଁ ଅଞ୍ଚଳରେ ଲୋକମାନଙ୍କ ଶିକ୍ଷା, ଗମନାଗମନ, ସ୍ୱାସ୍ଥ୍ୟ ଅବସ୍ଥା ପ୍ରଭାବିତ ହେଉଅଛି । ଏହି ସମସ୍ୟା ଗୁଡିକର ସମାଧାନ ନିମନ୍ତେ ସାଂସଦ, ବିଧାୟକ ଓ ଜିଲ୍ଲା ଓ ବ୍ଲକ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ କୌଣସି ସୁଫଳ ମିଳିପାରୁ ନାହିଁ ବୋଲି ଜଣାଇଥିଲେ । ସେମାନେ ସାଂସଦ ଶ୍ରୀ ସାହୁଙ୍କୁ ଅନୁରୋଧ କରିଛନ୍ତି ଯେ ଏହି ମୌଳିକ ସମସ୍ୟା ଗୁଡିକର ତୁରନ୍ତ ସମାଧାନ କରାଯାଉ ନଚେତ ଆମ୍ଭେ ତିନିଖଣ୍ଡ ଗ୍ରାମ ବାସୀ ଆଗାମୀ ପଞ୍ଚାୟତ ନିର୍ବାଚନ ଠାରୁ ଆରମ୍ଭ କରି ସାଧାରଣ ନିର୍ବାଚନ ସମୟରେ ଭୋଟ ବର୍ଜନ କରିବୁ ଏତଦ୍‌ବ୍ୟତୀତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିବୁ ବୋଲି ଜଣାଇଥିଲେ । ମୌଳିକ ସମସ୍ୟା ସମ୍ପର୍କରେ ସାଂସଦଙ୍କୁ ଅବଗତ କରିବା ସମୟରେ ସାରଥି ଜାନୀ, ମାସୁ ଜାନୀ, କଶମ ମଣ୍ଡଳ ହିମା ମଣ୍ଡଳ ପ୍ରମୁଖ ଉପସ୍ଥିତଥିବା ବେଳେ ତୁବୁରୁସିଂ, ବାଲିଗୁମା ଓ ବେନୁ ସାହିର ବହୁ ସଂଖ୍ୟକ ଗ୍ରାମବାସୀ ମଧ୍ୟ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ