ରାସ୍ତା ଖରାପ ଯୋଗୁ ଲୋକଙ୍କ ଯାତାୟତ ବାଧାପ୍ରାପ୍ତ

ଯୋଡ଼ା (ଯୁଗାଦ୍ଦନ୍ୟୁଜ) କେନ୍ଦୁଝର ଜିଲା ଯୋଡା ସହରରେ ଜନ ସ୍ୱାସ୍ଥ୍ୟ ବିଭାଗ ର ମନମୁଖୀ ମାଟି ଖୋଳା କାର୍ଯ୍ୟ ହେତୁ କଂକ୍ରିଟ ରାସ୍ତା ଖରାପ ହେବା ସହିତ ସାଧାରଣ ଲୋକଙ୍କ ଯାତାୟତ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହୋଇଛି । ଯୋଡା ସହରର ବିଭିନ୍ନ ସ୍ଥାନରେ ବିଭାଗ ପକ୍ଷରୁ ପାଇପ ଲାଇନ୍ ମରାମତି ନିମନ୍ତେ ପୌରପାଳିକା ଦ୍ୱାରା ନିର୍ମିତ କଂକ୍ରିଟ ଏବଂ ଫ୍ଲାଏ ଆସ୍ ଇଟା ନିର୍ମିତ ରାସ୍ତା ଗୁଡିକରେ ମାଟି ଖୋଳା ଯାଇଛି । ପାଇପ ଲାଇନ୍ ମରାମତି କରିବା ପରେ କେତେକ ସ୍ଥାନରେ ମାଟି ପୁରଣ କରାଯାଉଥିବା ବେଳେ ଅନେକ ସ୍ଥାନରେ ଖୋଳାଯାଇଥିବା ଗର୍ତରେ ମାଟି ପୁରଣ ନକରି ଖୋଲା ଭାବରେ ଛାଡି ଦିଆଯାଉଛି । ଯାହା ଫଳରେ ପୌରପାଳିକା ପକ୍ଷରୁ ନିର୍ମିିତ ରାସ୍ତା ଗୁଡିକ ଖରାପ ହେବା ସହିତ ବିଭାଗ ପକ୍ଷରୁ ଖୋଳା ଯାଇଥିବା ରାସ୍ତାଗୁଡିକ ସମତୁଲ କରାଯାଉନଥିବାରୁ ସାଧାରଣ ଲୋକଙ୍କ ଯାତାୟତରେ ଅସୁବିଧା ହେଉଛି । ବାଇକ୍‌, ଛୋଟଯାନବାହନ ଉକ୍ତ ରାସ୍ତା ଦେଇ ଯାତାୟତ କରିବା ବେଳେ ଦୁର୍ଘଟଣାର ଶିକାର ହେଉଥିବା ଲୋକେ ଅଭିଯୋଗ କରିଛନ୍ତି । ସହରରେ ଥିବା ଷ୍ଟେଟ୍ ବ୍ୟାଙ୍କ ଛକ, ଯୋଡା ମାର୍କେଟ୍ ମୁସଲିମ୍ ବସ୍ତି, ଶ୍ରୀ ଗଣେଶ ସପିଂ ମହଲ ସାମନା ପ୍ରଭୃତି ସ୍ଥାନରେ ବିଭାଗ ପକ୍ଷରୁ ମାଟି ଖୋଳାଯାଇଥିବାରୁ ସ୍ଥାନୀୟ ଲୋକେ ହନ୍ତସନ୍ତ ହେଉଛନ୍ତି । ଏହି ଖାଲରେ କିଛି ଦିନ ତଳେ ଜଣେ ବାଇକ୍ ଆରୋହୀ ଉକ୍ତ ଖାଲରେ ପଡି କ୍ଷତାକ୍ତ ହୋଇଥିଲେ । ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାସ୍ତାର ମାଟି ଖୋଳା ସ୍ଥାନରେ କଂକ୍ରିଟ ରାସ୍ତା କିମ୍ବା ଫ୍ଲାଏ ଆସ୍ ଇଟାକୁ ଠିକ୍ ଭାବରେ କାମ ନକରି କେବଳ ଗର୍ତ ଉପରେ ଭଙ୍ଗା ଇଟା ଓ ମାଟି ଘୋଡାଇ ଦେଇ ଚାଲିଯାଉଥିବା ସମୀର କୁମାର ଦାସ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଯୋଡା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ପାଇପ ଲାଇନ୍ ସଂଯୋଗ ଦେବା ଏବଂ ପାଇପ୍ ଲାଇନ୍ ର ମରାମତି କରିବା ପାଇଁ ଜନସ୍ୱାସ୍ଥ୍ୟ ବିଭାଗ ରାସ୍ତା ଖୋଳିପାରିବ ଏବଂ ଖୋଳାଯାଇଥିବା ରାସ୍ତାକୁ ବିଭାଗ ପକ୍ଷରୁ ଠିକ୍ ଭାବରେ ମରାମତି କରାଯିବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି । ଏନେଇ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ