ରାସ୍ତା ତୁରନ୍ତ ମରାମତି ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ଇନ୍ଦୁପୁର ବିରୂପା ନଦୀ ଘେରିବନ୍ଧ ରାସ୍ତାର ତୁରନ୍ତ ମରାମତି ପାଇଁ ସରପଞ୍ଚ ପ୍ରଦୀପ୍ତରଞ୍ଜନ ସୂତାରଙ୍କ ନେତୃତ୍ୱରେ ପଞ୍ଚାୟତବାସୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁର ଗ୍ରାମପଞ୍ଚାୟତ ଅଧିନ ୧,୨,୫,୧୧ ଓ ୧୨ନମ୍ବର ୱାର୍ଡର ଅଧିବାସୀମାନେ ଗମନାଗମନ ପାଇଁ ବିରୂପା ଓ ବ୍ରାହ୍ମଣୀ ନଦୀର ଘେରିବନ୍ଧ ରାସ୍ତାକୁ ମୁଖ୍ୟତଃ ବ୍ୟବହାର କରିଥାନ୍ତି । ସେହି ଘେରିବନ୍ଧ ରାସ୍ତାଟି ଇନ୍ଦୁପୁର ରଣଢିଅ ଠାରୁ କଅଁରପୁର ଗ୍ରାମର ଶେଷ ପର୍ଯ୍ୟନ୍ତ ପ୍ରାୟ ଏକ କିଲୋମିଟର ଲମ୍ବ । ଏହି ରାସ୍ତା ଦେଇ ଇନ୍ଦୁପୁର ବାସୀନ୍ଦାଙ୍କ ସମେତ ପଡୋଶୀ ଧୂମାତ ପଞ୍ଚାୟତ ଓ ଯାଜପୁର ଜିଲ୍ଲାର ତିନୋଟି ପଞ୍ଚାୟତର ଲୋକମାନେ ଦୈନିକ ଚଳପ୍ରଚଳ କରିଥାନ୍ତି । ମାତ୍ର ଏହି ରାସ୍ତାଟି ଏବେ ବର୍ଷାରେ କାଦୁଅ ପଚ ପଚ ହେବା ସହିତ ସେହି ରାସ୍ତାରେ ଥିବା ଖାଲଖମାରେ ନାଲିରଙ୍ଗର ପାଣି ଭର୍ତ୍ତି ହୋଇଯାଇଛି । ଫଳରେ ସେହି ରାସ୍ତା ଦେଇ ଦୈନିକ ଯାତାୟତ କରୁଥିବା ଲୋକଙ୍କ ପାଇଁ ଏହା ଏକ ବିରାଟ ସମସ୍ୟା ସୃଷ୍ଟି କରିଛି । ସେହି ରାସ୍ତାରେ ଅନେକ ସମୟରେ ଦୂର୍ଘଟଣା ଘଟି ଧନଜୀବନ କ୍ଷୟକ୍ଷତି ହେଉଥିବା ବେଳେ ରାସ୍ତାର ନାଲିପାଣିରେ ଯାତାୟତ କରୁଥିବା ଲୋକମାନେ ଚର୍ମରୋଗରେ ଆକ୍ରାନ୍ତ ହେଉଥିବା ମଧ୍ୟ ଅଭିଯୋଗ ହୋଇଛି । ଏବେ ସେହିରାସ୍ତା ଦେଇ ଇନ୍ଦୁପୁର ପଞ୍ଚାୟତକୁ ଭତ୍ଥା, ରାସନ ସାମଗ୍ରୀ ଓ ସ୍ୱାସ୍ଥ୍ୟ ସେବା ପାଇଁ ଆସୁଥିବା ଲୋକମାନେ ସେହିସବୁ ସେବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ଯଦି ବନ୍ୟା ଆସେ ତେବେ ସେହି ଘେରିବନ୍ଧ ରାସ୍ତାର ଅବସ୍ଥା ଆହୁରି ଶୋଚନୀୟ ହେବା ସହ ଏହି ପଞ୍ଚାୟତର ୧,୫ ଓ ୧୨ନମ୍ବର ୱାର୍ଡର ଅଧିବାସୀମାନେ ଜଳବନ୍ଦୀ ଭିତରେ ରହିଯିବେ ବୋଲି ଅଭିଯୋଗ ହୋଇଛି । ଏଣୁ ଏହି ସମସ୍ୟାର ତୁରନ୍ତ ସମାଧାନ କରାଯିବାକୁ ଇନ୍ଦୁପୁର ସରପଞ୍ଚ ପ୍ରଦୀପ୍ତ ରଞ୍ଜନ ସୂତାରଙ୍କ ନେତୃତ୍ୱରେ ସମିତିସଭ୍ୟା ସୁନନ୍ଦା ମଲିକ, ପୂର୍ବତନ ସରପଞ୍ଚ ବିଜନ ମଲିକ, ନାଏବ ସରପଞ୍ଚ ପ୍ରମିଳା ସାହୁ, ନିରାକାର ଦାସ, ଶରତ କୁମାର ବିହାରୀ, ମୂରଲୀଧର ସେଠୀ, ଦୁର୍ଗାବତୀ ସେଠୀ, ବିଜୟ କୁମାର ସୂତାର ପ୍ରମୁଖ ଉପଜିଲ୍ଲାପାଳ ନିରଞ୍ଜନ ବେହେରାଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ । ଏଥିସହିତ ସେହି ଦାବିପତ୍ରର ନକର ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳୀ ସେଠୀ, କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଓ କେନ୍ଦ୍ରାପଡା ଜଳସେଚନ ଡିିଭିଜନର ନିର୍ବାହୀ ଯନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିବା ସୂଚନା ଦିଆଯାଇଛି ।


