ରାସ୍ତା ଦୁର୍ଘଟଣାରେ ଯୁବକ ମୃତ
ଚାରିଛକ (ଜୁଗାବ୍ଦ ନ୍ୟୁଜ୍):ଗତ ଶକ୍ରବାର ବିଳମ୍ବିତ ରାତିରେ ପିପିଲି-ନିମାପଡା ମୁଖ୍ୟ ରାସ୍ତାର ହରିପୁର ବ୍ରିଜ୍ ଉପରେ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ ହେଲେ ବଳଙ୍ଗା ଥାନା ଅର୍ନ୍ତଗତ ହରିପୁର ଗ୍ରାମର ସୁକାନ୍ତ ଦାର୍ଶଙ୍କ ସାନ ପୁଅ ଆଦିତ୍ୟ କୁମାର ଦାଶ (୧୯) ।
ଘଟଣାରୁ ପ୍ରକାଶ ଯେ ଆଦିତ୍ୟ ଗତକାଲି ରାତିରେ ନିକଟସ୍ଥ ଜଗନ୍ନାଥପୁର ଗ୍ରାମକୁ ଯାତ୍ରା ଦେଖିବାକୁ ଯାଇଥିଲେ । ସେ ସେଠାରୁ ରାତି ୩ଟାରେ ନିଜ ବାଇକ୍ରେ ଫେରୁଥିବାବେଳେ ହରିପୁର ବ୍ରିଜ୍ ଉପରେ ଏକ ଅଜଣା ଗାଡି ତାଙ୍କୁ ସମ୍ମୁଖରୁ ଧକ୍କା ଦେଇଥିଲା । ଫଳରେ ଆଦିତ୍ୟ ୧୦ ଫୁଟ ଦୂରକୁ ଛିଟିକି ଯାଇ ବ୍ରିଜ୍ର ବାଡ଼ରେ ମାଡ ହୋଇ ରାସ୍ତାରେ ପଡି ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ । ଦୁର୍ଘଟଣା ଘଟାଇଥିବା ଗାଡିଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଯାତ୍ରା ଦେଖି ଘରକୁ ଫେରୁଥିବା ହରିପୁର ଗ୍ରାମର କିଛି ଲୋକ ଆଦିତ୍ୟଙ୍କ ମୃତ ଦେହ ଦେଖି ପରିବାର ଲୋକଙ୍କୁ ଜଣାଇଥିଲେ । ଖବର ପାଇ ବଳଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ନିମନ୍ତେ ପୁରୀ ପଠାଇ ବାଇକ୍କୁ ଜବତ କରିଛି । ଏ ନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଦର୍ଘଟଣା ଘଟାଇ ଥିବା ଗାଡିର ପତ୍ତା ପାଇପାରିନାହିଁ । ଆଦିତ୍ୟ ନିମାପଡା କଲେଜର +୨ ର ବିଜ୍ଞାନ ଛାତ୍ର ଥିଲେ । ତାଙ୍କର ମୃତ୍ୟୁରେ ହରିପୁର ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।