ରାସ୍ତା ନିର୍ମାଣ ଦାବିରେ ବିକ୍ଷୋଭ ପ୍ରଦର୍ଶନ କଲେ ଯୁବଗୋଷ୍ଠୀ
ବାରିକପୁର, (ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ପାଳଦା ବାଙ୍କ ଠାରୁ ପଡୋଶୀ ଯାଜପୁର ଜିଲ୍ଲାକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତା ନିର୍ମାଣ ଦାବିରେ ଯୁବଗୋଷ୍ଠୀଙ୍କ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ୧୩କି.ମି. ବିଶିଷ୍ଟ ରାସ୍ତାଟିର ସମ୍ପୂର୍ଣ୍ଣ କଂକ୍ରିଟ ନିର୍ମାଣ ହୋଇଥିଲେ ସୁଦ୍ଧା ଖପୁରିଆପଦା ନିକଟରେ କିଛି ସ୍ଥାନକୁ ନିର୍ମାଣରୁ ବାଦ ଦିଆଯାଇଛି । ରାସ୍ତା ନବୀକରଣ ପାଇଁ ବ୍ୟକ୍ତିଗତ ଜାଗା ପଡୁଥିବା ଅଭିଯୋଗ କରି ଦୀର୍ଘଦିନ ହେବ ସ୍ଥାନୀୟ କିଛି ସ୍ୱାର୍ତନ୍ୟଷ୍ଟି ଗୋଷ୍ଟୀ ନିର୍ମାଣ କାର୍ଯ୍ୟ ବିରୋଧ କରି ଆସୁଛନ୍ତି । ଫଳରେ ପ୍ରାୟ ୫୦ମିଟର ବ୍ୟାପୀ ରାସ୍ତା ନିର୍ମାଣ ହୋଇନପାରିବାରୁ ଗାଡିଘୋଡା ଯାତାୟତ କରିବାରେ ଘୋର ଅସୁବିଧା ସୃଷ୍ଟି ହୋଇଛି । ଉପୁଜୁଥିବା ସମସ୍ୟାର ସମାଧାନ କରି ଯଥାଶୀଘ୍ର ରାସ୍ତା ନିର୍ମାଣ କରିବାକୁ ପ୍ରଶାସନ ନିକଟରେ ସ୍ଥାନୀୟ ସଚେତନ ନାଗରିକ ଏହାକୁ ଦାବି ଉଠାଇଆସୁଥିଲେ ସୁଦ୍ଧା କେହି ଏହାକୁ କର୍ଣ୍ଣପାତ କରୁନାହାଁନ୍ତି । ପରିଶେଷରେ ସ୍ଥାନୀୟ ଯୁବଗୋଷ୍ଠୀ ମାନେ ନୂତନ ରାସ୍ତା ନିର୍ମାଣ ଦାବି କରି ଆଜି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଉକ୍ତ ସ୍ଥାନରେ ଯୁବକମାନେ ଏକତ୍ରିତ ହୋଇ ଟାୟାର ଜାଳିବା ସହ ରାସ୍ତା ନିର୍ମାଣ ପାଇଁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ଫଳରେ ଦୀର୍ଘ ସମୟ ଧରି ଯାନବାହନ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ଖବର ପାଇ ଭଣ୍ଡାରିପୋଖରୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବିକ୍ଷୋଭକାରୀ ଯୁବଗୋଷ୍ଠୀଙ୍କ ସହିତ ଆଲୋଚନା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଆସନ୍ତା ୧୫ଦିନ ଭିତରେ ସମସ୍ୟାର ସମାଧାନ ହୋଇଯିବ ବୋଲି ପ୍ରତିଶୃତି ମିଳିବା ପରେ ବିକ୍ଷୋଭ ପ୍ରତ୍ୟାହୃତ ହୋଇଥିବା ଜଣାପଡିଛି ।


