ରାସ୍ତା ନିର୍ମାଣ ନିମ୍ନ ମାନର ଅଭିଯୋଗ;ପୂର୍ତବିଭାଗ କରୁଛି କ’ଣ?
ଯୋଡା, (ସମୀର କୁମାର ଦାସ): ପୂର୍ତବିଭାଗ ଦ୍ୱାରା ନିର୍ମାଣ କରାଯାଇଥିବା ଯୋଡା ସହରର ରାସ୍ତା ଅତି ନିମ୍ନମାନର କରାଯାଇଥିବା ଅଭିଯୋଗ ହୋଇଛି । କଂକ୍ରିଟ୍ ନିର୍ମାଣ କରିବାର ମାତ୍ର କିଛି ଦିନ ପରେ ରାସ୍ତା ଅବସ୍ତା ଶୋଚନୀୟ ହୋଇପଡିବାରୁ ଜନ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି । ପ୍ରାପ୍ତସୂଚନା ଅନୁଯାୟୀ ଯୋଡା ବାମେବାରୀ ଏକ୍ସପ୍ରେସ୍ ରାସ୍ତାଟି ଯୋଡା ସହର ମଧ୍ୟଦେଇ ଯାଇଛି । ଯୋଡା ସହରବାସୀ ଉକ୍ତ ରାସ୍ତାର ବାଉଁଶପାଣି ଠାରୁ ରଣାଶାଳ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ଭାବେ ନିର୍ଭର କରିଥାନ୍ତି । ଉକ୍ତ ରାସ୍ତାରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଖଣିଜ ବୋଝେଇ ଟ୍ରକ ଯାତାୟାତ କରିବା ଯୋଗୁଁ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ଉକ୍ତ ରାସ୍ତାର ମରାମତି ନିମନ୍ତେ ଦୀର୍ଘ ବର୍ଷ ହେବ ଦାବି ହେଉଥିଲେ ମଧ୍ୟ ପ୍ରଶାସନର ନିଦ ଭାଙ୍ଗୁ ନାହିଁ । ରାସ୍ତା ମରାମତି ପାଇଁ ଯୋଡାର ବରିଷ୍ଠ ନାଗରିକ ଓ ବିଭିନ୍ନ ସଂଗଠନ ଧାରଣା ଓ ଦାବିପତ୍ର ପରେ ନିକଟରେ ପୂର୍ତବିଭାଗ ପକ୍ଷରୁ ଯୋଡା ସହର ଦେଇ ଯାଇଥିବା ରାସ୍ତାର କିଛି ଅଂଶ କଂକ୍ରିଟ୍ ନିର୍ମାଣ କରାଯାଇଥିଲା । ଯୋଡା ବଜାର ନିକଟରେ ଥିବା ପୋଲ ଉପର ମରାମତି କାର୍ଯ୍ୟ ଓ ସିନେମା ହଲ୍, ସେଂଟ୍ ଟେରେସା ସ୍କୁଲ୍, ଷ୍ଟେଟ୍ ବ୍ୟାଙ୍କ ସମୁଖ ବିଭିନ୍ନ ସ୍ଥାନରେ ବିଭିନ୍ନ ଖାଲ ଢିପ ସ୍ଥାନରେ କଂକ୍ରିଟ୍ ନିର୍ମାଣ କରାଯାଇଥିଲା । ମାତ୍ର କଂକ୍ରିଟ୍ ନିର୍ମାଣ ମାସେ ନ ପୂରୁଣୁ ରାସ୍ତା ଅବସ୍ଥା ପୂର୍ବ ଅବସ୍ଥାକୁ ଫେରିଆସିଛି । ଯାହା ଫଳରେ ଲୋକେ ଗମନା ଗମନ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି । ଏ ସମ୍ପର୍କରେ ଯୋଡା ପୌରପାଳିକାର ପୂର୍ବତନ ଉପ-ନଗରପାଳ ପୁରୁଷୋତମ ଦାସ ଅଭିଯୋଗ କରି କହିଛନ୍ତି ଯେ, ପୂର୍ତବିଭାଗ ରାସ୍ତା ନିର୍ମାଣ କାର୍ଯ୍ୟ ପ୍ରତି ଆଦୌ ଦୃଷ୍ଟି ଦେଉନାହିଁ । ରାସ୍ତା ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର କରାଯାଇଛି । କଂକ୍ରିଟ୍ ନିର୍ମାଣ ପରେ ପାଣି ଦିଆଯାଇନଥିବାରୁ ଏହି କଂକ୍ରିଟର ସ୍ଥାୟୀତ୍ୱ କେତେ ବୋଲି ପ୍ରଶ୍ନ କରିବା ସହିତ କଂକ୍ରିଟ୍ ନିର୍ମାଣ ନାମରେ ଲକ୍ଷ ଲକ୍ଷ ଟଙ୍କା ବାଟମାରଣା କରାଯାଉଛି ବୋଲି ଅଭିଯୋଗ କରିଛନ୍ତି । ସେହିପରି ଯୋଡା ବରିଷ୍ଠ ନାଗରିକ ନିଳମଣୀ ମହାନ୍ତି ଅଭିଯୋଗ କରିଛନ୍ତି ଯେ, କଂକ୍ରିଟ୍ ନିର୍ମାଣ କାର୍ଯ୍ୟ ସମୟରେ ପୂର୍ତବିଭାଗର ଅଧିକାରୀ ମାନେ ଉପସ୍ଥିତ ରହୁନାହାନ୍ତି, କି ଏହି କାର୍ଯ୍ୟର ତଦାରଖ କରୁନାହାନ୍ତି । ଠିକାଦାର ପକ୍ଷରୁ ମନମୁଖୀ କାର୍ଯ୍ୟ କରାଯାଇ ଅତି ନିମ୍ନମାନର କାର୍ଯ୍ୟ କରାଯାଇଛି । ଏହାର ଜିଲ୍ଲାପାଳ ତଦନ୍ତ କରିବା ପାଇଁ ସେ ଦାବି କରିଛନ୍ତି । ସେହିପରି ଅନ୍ୟଜଣେ ବରିଷ୍ଠ ନାଗରିକ ଫକୀର ଚରଣ ସାହୁ ତାଙ୍କ ଅଭିଯୋଗରେ କହିଛନ୍ତି ଯେ, ସରକାର ଯୋଡାରୁ କୋଟି କୋଟି ଟଙ୍କା ଖଣି ରାଜସ୍ୱ ପାଉଛନ୍ତି । ଖଣିଜ ବ୍ୟବସାୟ ପାଇଁ ଖଣି ଲିଜ୍ ଧାରୀମାନେ ଯୋଡା ସହରର ରାସ୍ତାଘାଟ ବ୍ୟବହାର କରୁଛନ୍ତି । ଯାହା ଫଳରେ ଲୋକେ ଧୂଳି ଧୁଆଁରେ ପ୍ରଦୂଷିତ ହୋଇ ଶୋଚନୀୟ ଅବସ୍ଥାରେ ଜୀବନ କାଟୁଛନ୍ତି । ସହର ମଧ୍ୟରେ ଯାଇଥିବା ଏହି ରାସ୍ତା ନିର୍ମାଣ ପାଇଁ ଦୀର୍ଘ ବର୍ଷ ଧରି ଦାବି କରାଯାଉଛି ମାତ୍ର ପୂର୍ତବିଭାଗ ପକ୍ଷରୁ କିଛି କିଛି ସ୍ଥାନରେ ଅଧପନ୍ତରିଆ ଭାବେ କଂକ୍ରିଟ୍ ନିର୍ମାଣ କରାଯାଇଛି । ସେହି ରାସ୍ତା ବି ନିମ୍ନମାନର ହୋଇଥିବାରୁ ଯୋଡା ସହରବାସୀ ସବୁବେଳେ ଏପରି ଶୋଚନୀୟ ରାସ୍ତାରେ ଅତି ଦୟନୀୟ ଭାବେ ଯାତାୟାତ କରୁଛନ୍ତି । ଯେଉଁଥିପାଇଁ ପ୍ରତିଦିନ ଦୁର୍ଘଟଣା ଘଟୁଛି । ଏଦିଗରେ ସରକାର ଦୃଷ୍ଟି ଦେବାପାଇଁ ସେ ଦାବୀ କରିଛନ୍ତି । ପି.ଡବ୍ଲ୍ୟୁ.ଡି ବଡବିଲର ଏସ୍.ଡି.ଓ ଅଶୋକ କୁମାର ମହାପାତ୍ର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ରାସ୍ତାର ନିର୍ମାଣ କାର୍ଯ୍ୟ ବର୍ତମାନ କରାଯାଉ ନାହିଁ କେବଳ ସ୍ଥାନେ ସ୍ଥାନେ ମରାମତି କାର୍ଯ୍ୟ କରାଯାଉଛି । ନିମ୍ନମାନର କାର୍ଯ୍ୟ ଏବଂ ନିର୍ମାଣ କରାଯାଇଥିବା କଂକ୍ରିଟ୍ ରାସ୍ତାରେ ପାଣି ଦିଆଯାଉନଥିବା ଅଭିଯୋଗକୁ ଖଣ୍ଡନ କରି ପାଣି ପକାଯାଉଥିବା କହିବା ସହିତ ଏକ ପାଶ୍ୱର୍ରେ ରାସ୍ତା ମରାମତି କାର୍ଯ୍ୟ ଶେଷ କରାଯାଇ ଅନ୍ୟ ପାଶ୍ୱର୍ରେ ରାସ୍ତା କାମ କରାଯିବ ବୋଲି କହିଥିଲେ ।


