ରାସ୍ତା ପାଲଟିଛି ଧାନଖଳା
ନିମାପଡ଼ା, (ସନ୍ତୋଷ ଦାଶ):ଏବେ ଧାନ ଫସଲ ଅମଳ ସମୟ। ପୁଣି ଲଘଚାପଜନିତ ବର୍ଷା ପବନ ଜାରି ରହୁଛି। ଚାଷୀ ମାନେ ତର ତର ହୋଇ ଧାନ ଫସଲ ଅମଳ କରିବା ରେ ଲାଗିଛନ୍ତି। ତେବେ ନୟାହାଟ ଅଞ୍ଚଳ ର ଓଟର, ଦେସ୍ଥଳୀ,ପାଞ୍ଚଣା, ବଉଲାଙ୍ଗ, ପାଞ୍ଚଣା, ପ୍ରଭୃତି ଗ୍ରାମ ର ଚାଷୀ ମାନେ ନୟାହାଟ – କୋଣାର୍କ ମୁଖ୍ୟରାସ୍ତା ଉପରେ ଧାନ ହଳା ସବୁ ପକାଇ ଅମଳ କରୁଥିବାରୁ ରାସ୍ତା ଗୁଡିକ ଧାନ ଖଳା ରେ ପରିଣତ ହୋଇଛି। ଧାନ ହଳା ସବୁ ଓଦା ରହି ଥିବାରୁ ମୋଟର ସାଇକେଲ ଆରୋହୀ ମାନେ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ର ଶୀକାର ହେଉଛନ୍ତି। ସରକାର ଚାଷୀ ମାନଙ୍କ ପାଇଁ ବିଭିନ୍ନ ଗ୍ରାମ ରେ ହଜାର ହଜାର ଟଙ୍କା ବ୍ୟୟ କରି ଧାନ ଖଳା ନିର୍ମାଣ କରିଥିଲେ ମଧ୍ୟ ଚାଷୀ ମାନେ ଧାନ ଖଳା କୁ ନ ଯାଇ ମୁଖ୍ୟ ରାସ୍ତା ଉପରେ ଧାନ ଅମଳ କରୁଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ସ୍ଥାନୀୟ ପୋଲିସ, ଲୋକପ୍ରତିନିଧି ,କୃଷି ବିଭାଗ ଅଧିକାରୀ ଚାଷୀ ମାନଙ୍କୁ ସଚେତନ କରି ରାସ୍ତା ରେ ଧାନ ଅମଳ ନ କରିବାକୁ ପରାମର୍ଶ ଦେବାକୁ ଓ କଥା ମାନୁ ନଥିବା ଚାଷୀ ଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲ ରୁ ଦାବୀ ହେଉଛି।