ରାସ୍ତା ମରାମତି ଓ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତି ପୂରଣ ଦାବୀରେ ବିଜେପି ପକ୍ଷରୁ ବିଡିଓଙ୍କୁ ଦାବୀ ପତ୍ର
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ କେନ୍ଦୁଆପଦା ପଞ୍ଚାୟତ ଅଧିନ ବି.କେ.ବି.ଏମ୍ ରାସ୍ତା(ଗଣ୍ଡଗରା) ଠାରୁ ଗୋହିରାପଦୀ ଭାୟା କସଗଢିଆ, ମୁଗଗଢିଆ ରାସ୍ତାକୁ ତୁରନ୍ତ ମରାମତି କରିବା ସହ ଚାଷୀଙ୍କୁ କ୍ଷତି ପୂରଣ ପ୍ରଦାନ ଦାବୀରେ ଶୁକ୍ରବାର ଭଣ୍ଡାରିପୋଖରୀ ବିଧାନ ସଭାର ବିଜେପି ନେତା ବଦ୍ରୀ ନାରାୟଣ ଧଳଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବିଡିଓ ରେବେକା ବିଲୁଙ୍ଗଙ୍କୁ ଭେଟି ଦାବୀ ପତ୍ର ପ୍ରଦାନ କରିଛନ୍ତି । ଏହି ପ୍ରତିନିଧି ଦଳରେ ମଣ୍ଡଳ ସଭାପତି ନବ କିଶୋର ବଳ, ଜିଲ୍ଲା କାର୍ଯ୍ୟକାରିଣୀ ସଭ୍ୟ ବନମାଳୀ ଜେନା, ମଣ୍ଡଳ ସାଧାରଣ ସଂପାଦକ ରାଜୀବ ଲୋଚନ ସାହୁ, ମନୋଜ ବିଶ୍ୱାଳ, ପ୍ରାକ୍ତନ ସମିତି ସଭ୍ୟ କୁଳମଣି ବେହେରା, ସରପଞ୍ଚ ପ୍ରତିନିଧି ପ୍ରମୋଦ ଜେନା, ପଞ୍ଚାୟତ ସଭାପତି ଜୟନ୍ତ କର, ଚନ୍ଦ୍ରମଣି ଜେନା, ଶାନ୍ତପ୍ରିତମ ଲେଙ୍କା, ନିରଞ୍ଜନ ପ୍ରଧାନ, ଜ୍ଞାନେନ୍ଦ୍ର ସ୍ୱାଇଁ, ପ୍ରଶାନ୍ତ ରାଉତ, ଶିଶିର ରାଉତ, ଟୁଟୁ କୁମାର ଓଝା, ରଣଜିତ୍ ଓଝା ସାମିଲ ଥିଲେ । ଗତ ଅକ୍ଟୋବର ୨୪ରେ ଉକ୍ତ ରାସ୍ତା ନିର୍ମାଣ ଦାବୀରେ ବିକେବିଏମ ରୋଡକୁ ବିଜେପି ପକ୍ଷରୁ ଅବରୋଧ କରାଯାଇଥିଲା । ପ୍ରକାଶ ଥାଉକି, ଗତ ଲଘୁଚାପ ବର୍ଷାରେ ଜଳ ନିଷ୍କାସନ ହୋଇନପାରି ଉକ୍ତ ରାସ୍ତାରେ ୩ଟି ଘାଇ ସୃଷ୍ଟି ହେବା ସହ ଶହ ଶହ ଏକର ଚାଷ ଜମି ଜଳମଗ୍ନ ହୋଇ ଧାନ ଗଛ ପଚି ନଷ୍ଟ ହୋଇଥିଲା । ଏହି ରାସ୍ତା ଉପରେ ନିର୍ଭର କରୁଥିବା ୩ଟି ଗ୍ରାମର ଲୋକ ମାନେ କେନ୍ଦୁଆପଦା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ରେଲୱେ ଷ୍ଟେସନ, ପୋଲିସ ଫାଣ୍ଡି, କେନ୍ଦୁଆପଦା ବଜାର, ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଯାତାୟତ କରିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଉକ୍ତ ଦାବୀ ପତ୍ରରେ ଉଲ୍ଲେଖ ଅଛି ।


