ରାସ୍ତା ସମ୍ପ୍ରସାରଣରେ ବାଧକ ସାଜୁଛି ବିଦ୍ୟୁତ ବିଭାଗ

କୋଦଳା,(ବାପୁନି କୁମାର ମଲୁ):ସାମ୍ପ୍ରତିକ ଜନ ସଂଖ୍ୟା ବୃଦ୍ଧି ସାଙ୍ଗକୁ ଦୈନନ୍ଦିନ ଜୀବନରେ ଗମନାଗମନର ଆବଶ୍ୟକତା ଦୃଷ୍ଟିରୁ ଯାନବାହାନର ଚଳାଚଳ ବୃଦ୍ଧି ପାଇଛି । ଯାହା ଫଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ଏହାକୁ ଦୃଷ୍ଟିରେ ରଖି ରାସ୍ତା ସମ୍ପ୍ରସାରଣର ଆବଶ୍ୟକତା ରହିଛି । ହେଲେ ଗୋଟିଏ ବିଭାଗର କାର୍ଯ୍ୟରେ ଅନ୍ୟ ବିଭାଗର ଅସହଯୋଗ ଯୋଗୁଁ ଅନେକ ସ୍ଥଳରେ କାର୍ଯ୍ୟରେ ମନ୍ଥରତା ଦେଖାଦେଉଛି । ଏହି ଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର ପୂର୍ତ୍ତ ରାସ୍ତାରେ । କଞ୍ଚଣା ଭେଜିପୁଟ ପୂର୍ତ୍ତ ରାସ୍ତାର ପ୍ରାୟ 15 କି. ମି ରାସ୍ତା ବେଗୁନିଆପଡା ବ୍ଲକ ଦେଇ ଯାଇଛି । ଏହି ରାସ୍ତାର ଉର୍ନ୍ନତିକରଣ ସାଙ୍ଗକୁ କଲଭର୍ଟ ଗୁଡିକର ସମ୍ପ୍ରସାରଣ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ 2024 ମସିହାରେ ଟଙ୍କା ମଞ୍ଜୁର ହୋଇ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଏପରିକି ରାସ୍ତାର ଉର୍ନ୍ନତି କରଣ ଶେଷ ପର୍ଯ୍ୟୟ ପହଂଚି ସାରିଲାଣି,ହେଲେ ଅନେକ ସ୍ଥାନରେ କଲଭର୍ଟ ଗୁଡିକ ସମ୍ପ୍ରସାରଣରେ ବାଧକ ସାଜିଛି ବିଦ୍ୟୁତ ବିଭାଗ । ପୁରୁଣା କଲଭର୍ଟ ନିକଟରେ ବିଦ୍ୟୁତ ଖୁଣ୍ଟ ରହିଛି। ଏହି ବିଦ୍ୟୁତ ଖୁଣ୍ଟ ସ୍ଥାନାନ୍ତର ହେଉନଥିବାରୁ କଲଭର୍ଟର ସମ୍ପ୍ରସାରଣ ହୋଇପାରୁନାହିଁ। ଦୀର୍ଘ ଦିନ ଧରି ରାସ୍ତା ସମ୍ପ୍ରସାରଣ ଅଧପନ୍ତରିଆ ହୋଇ ପଡି ରହିଛି । ଫଳରେ ଅନେକ ଯାନବାହାନ ଚଳାଚଳ ରେ ଅସୁବିଧା ସହ ଦୃଘଟଣା ଘଟିବାର ମଧ୍ୟ ଦେଖିବାକୁ ମିଳୁଛି । ଏ ସମ୍ପର୍କରେ ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ସତ୍ୟ ନାରାୟଣ ବିଷୋୟୀଙ୍କୁ ଯୋଗାଯୋଗ କରିବାରେ ସେ କହିଲେ ଆମେ ବିଦ୍ୟୁତ ବିଭାଗକୁ ଅନେକ ଦିନ ହେଲା ଜଣାଇଲୁଣି ହେଲେ ସେମାନେ ବିଦ୍ୟୁତ ଖୁଣ୍ଟ ଘୁଞ୍ଚାଉ ନାହାନ୍ତି । ଖୁଣ୍ଟ ଘୁଞ୍ଚାଇ ଦେଲେ ଆମେ ଯଥାଶୀଘ୍ର କାର୍ଯ୍ୟ ସାରିଦେବୁ । ଏ ସମ୍ପର୍କରେ ବିଦ୍ୟୁତ କନିଷ୍ଠ ଯନ୍ତ୍ରୀ ଙ୍କୁ ଯୋଗାଯୋଗ ରେ କହିଲେ ଏ ଦିଗରେ ଖୁବ ଶୀଘ୍ର ପଦକ୍ଷେପ ନିଆଯାଇ ବିଦ୍ୟୁତ ଖୁଣ୍ଟ ସ୍ଥାନାନ୍ତର କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ